ରାଜ୍ୟସଭା ରେସରେ କିଏ ରହିବ ଆଗୁଆ, କାହାକୁ ମିଳିବ ଚତୁର୍ଥ ଆସନ? ବିଜେଡି କହିଲା, ସମସ୍ତ ଆସନ ଜିତିବ ଦଳ, ଏଯାଏଁ ସଂକେତ ଦେଉନି ବିଜେପି ।

523

କନକ ବ୍ୟୁରୋ : ରାଜ୍ୟସଭା ନିର୍ବାଚନରେ ବିଜେଡି ୪ଟି ଯାକ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଏବେ ବିଜେପି କ’ଣ କରିବ ଏବଂ କଂଗ୍ରେସର ଆଭିମୁଖ୍ୟ କ’ଣ ରହିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । କାରଣ, ପ୍ରାର୍ଥୀ ଦେବା ପାଇଁ କଂଗ୍ରେସ ପାଖରେ ସଂଖ୍ୟା ନାହିଁ ଏବଂ ବିଜେପି ପ୍ରାର୍ଥୀ ଦେବାକୁ ସମର୍ଥ ଥିଲେ ବି ଜିତିବା ପାଇଁ ସଂଖ୍ୟା ନାହିଁ । ଏହାରି ଭିତରେ ୪ର୍ଥ ଆସନ ପାଇଁ ସଂଖ୍ୟା ନଥାଇ ବି ପ୍ରାର୍ଥୀ ଦେଇଛି ବିଜେଡି । ଆଉ ପୂରା ଘଟଣା ସାମ୍ନାକୁ ଆଣିଛି ଅନେକ ପ୍ରଶ୍ନ ।

ନବୀନଙ୍କ ଘୋଷଣାର କ୍ରମ ଅନୁଯାୟୀ, ମମତା ମହାନ୍ତଙ୍କୁ ବିଜେଡି ଚତୁର୍ଥ ଆସନ ପାଇଁ ପ୍ରାର୍ଥୀ କରିପାରେ । କିନ୍ତୁ ଏହାକୁ ନେଇ ଏବେ ଓଡ଼ିଶାର ରାଜନୀତି ବେଶ ସରଗରମ ହୋଇଉଠିଛି । କାରଣ, ସଂଖ୍ୟା ଦୃଷ୍ଟିରୁ ବିଜେଡି ୩ଟି ଆସନ ଜିତିବା ନିଶ୍ଚିତ, ହେଲେ ୪ର୍ଥ ଆସନ ଜିତିବା ପାଇଁ ଦଳ ପାଖରେ ସଂଖ୍ୟା ନାହିଁ । ଏପଟେ ବିଜେପି ପ୍ରାର୍ଥୀ ଦେବ ନା ନାହିଁ ତାହା ନିର୍ଭର କରୁଛି ଦଳର ସଂସଦୀୟ କମିଟିର ନିଷ୍ପତି ଉପରେ । ଆଉ ଏହାରି ଭିତରେ କଂଗ୍ରେସ କହୁଛି- ଉଭୟ ବିଜେଡି କିମ୍ବା ବିଜେପିକୁ ସମର୍ଥନ କରିବାର ପ୍ରଶ୍ନ ଉଠୁନି ।

ଏସବୁ ଭିତରେ ନଜର ପକାନ୍ତୁ କଣ କହୁଛି ରାଜ୍ୟସଭା ଗଣିତ
ରାଜ୍ୟର ମୋଟ୍ ୧୪୭ ବିଧାୟକଙ୍କ ମଧ୍ୟରୁ ଶାସକ ବିଜେଡି ଦଳ ପାଖରେ ରହିଛି ୧୧୩ ବିଧାୟକ । ପ୍ରତ୍ୟେକ ରାଜ୍ୟସଭା ସିଟ୍ ପାଇଁ ୩୦ ବିଧାୟକଙ୍କ ସମର୍ଥନ ଦରକାର । ଅର୍ଥାତ୍ ୩୦ ଗୁଣନ ଚାରି ହିସାବରେ ୧୨୦ ସଦସ୍ୟଙ୍କ ଭୋଟ୍ ଆବଶ୍ୟକ ୪ଟି ଯାକ ରାଜ୍ୟସଭା ଆସନ ଜିତିବା ପାଇଁ । ହେଲେ ବିଜେଡି ପାଖରେ ୭ଜଣ ବିଧାୟକଙ୍କ ସଂଖ୍ୟା କମ୍ ରହିଛି । ବଡ଼ କଥା ହେଉଛି ବିଜେପି ପାଖରେ ରହିଛି ୨୩ ବିଧାୟକ । ଅର୍ଥାତ୍ ଗୋଟିଏ ରାଜ୍ୟସଭା ଆସନ ଜିତିବାକୁ ବିଜେପିକୁ ଦରକାର ୭ ଜଣ ବିଧାୟକଙ୍କ ସମର୍ଥନ । ଏଭଳି ସ୍ଥିତିରେ ସମସ୍ତଙ୍କ ନଜର କଂଗ୍ରେସ ଖାତାରେ ଥିବା ୯ଜଣ ବିଧାୟକଙ୍କ ଉପରେ । ଦ୍ୱିତୀୟ ପସନ୍ଦକୁ ଭରସା କରି ଚତୁର୍ଥ ଆସନଟିକୁ ଅକ୍ତିଆର କରିବା ଲକ୍ଷ୍ୟରେ ରହିଛି ବିଜେଡି ।ଏହାରି ଭିତରେ ଗେମ୍ ଚେଞ୍ଜର ହୋଇପାରନ୍ତି ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ଏବଂ ସିପିଆଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା । କାରଣ ଏହି ଦୁଇ ବିଧାୟକ ଯେଉଁ ଆଡକୁ ଢଳିବେ ରାଜ୍ୟସଭା ଆସନ ସିଏ ଅକ୍ତିଆର କରିବ ବୋଲି କୁହାଯାଉଛି ।