ଆସନ୍ତାକାଲି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ : ଏନଡିଏ ପ୍ରାର୍ଥୀ ହରିବଂଶ ସିଂହଙ୍କ ସହ କଂଗ୍ରେସର ହରିପ୍ରସାଦଙ୍କ ମୁକାବିଲା, ନବୀନଙ୍କ ନିଷ୍ପତ୍ତି ଉପରେ ନଜର

35

କନକ ବ୍ୟୁରୋ : ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ମୁହାଁମୁହିଁ ହେବ ଏନଡିଏ ଏବଂ ୟୁପିଏ ପ୍ରାର୍ଥୀ । ସାମ୍ବାଦିକରୁ ସାଂସଦ ବନିଥିବା ବିହାରର ହରିବଂଶ ନାରାୟଣ ସିଂଙ୍କୁ ଏନଡିଏ ପ୍ରାର୍ଥୀ କରିଛି । ଅନ୍ୟପଟେ ୟୁପିଏ ତଥା ବିରୋଧୀ ଦଳ ପକ୍ଷରୁ କର୍ଣ୍ଣାଟକର କଂଗ୍ରେସ ସାଂସଦ ବି.କେ ହରିପ୍ରସାଦଙ୍କୁ ପ୍ରାର୍ଥୀ କରାଯାଇଛି । ଆଜି ଉଭୟ ପ୍ରାର୍ଥୀ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ଆସନ୍ତାକାଲି ହେବ ଉପାଧ୍ୟକ୍ଷ ପଦ ପାଇଁ ମତଦାନ ।

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରାର୍ଥୀ ଚୁଡାନ୍ତ, କ୍ଷେତ୍ର ପ୍ରସ୍ତୁତ । ଗୁରୁବାର, ବିଜେପି ନେତୃତ୍ୱାଧିନ ଏନଡିଏ ଏବଂ କଂଗ୍ରେସ ନେତୃତ୍ୱାଧିନ ୟୁପିଏ ମଧ୍ୟରେ ସିଧାସଳଖ ଲଢ଼େଇ ହେବ । ଏନଡିଏରୁ ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂ ପ୍ରାର୍ଥୀ ହୋଇଥିବା ବେଳେ ୟୁପିଏ ତଥା ବିରୋଧୀ ମେଂଟରୁ ପ୍ରାର୍ଥୀ ହୋଇଛନ୍ତି କଂଗ୍ରେସ ସାଂସଦ ବିକେ ହରିପ୍ରସାଦ । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ଉଭୟ ଏନଡିଏ ଏବଂ ୟୁପିଏ ପାଇଁ ହେବ ଏସିଡ୍ ଟେଷ୍ଟ । କାରଣ ରାଜ୍ୟସଭାରେ ଏନଡିଏର ସଂଖ୍ୟା ନଥିବା ବେଳେ ବିରୋଧୀ ଏକତା କେତେ ମଜବୁତ ଅଛି ଏହି ନିର୍ବାଚନ ସ୍ପଷ୍ଟ କରିଦେବ ।

 

ପି.ଜେ କୁରିଏନଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପରେ ଗତ ଜୁନ୍ ମାସରୁ ଖାଲି ପଡ଼ିଥିବା ରାଜ୍ୟସଭା ଉପାଧ୍ୟକ୍ଷ ପାଇଁ ଗୁରୁବାର ନିର୍ବାଚନ ହେବ । ୨୪୫ ସଂଖ୍ୟା ବିଶିଷ୍ଟ ରାଜ୍ୟସଭାରେ ବର୍ତ୍ତମାନ ଅଛନ୍ତି ୨୪୪ ସଦସ୍ୟ । ନିର୍ବାଚନ ଜିତିବା ପାଇଁ ୧୨୩ ମ୍ୟାଜିକ ନମ୍ବର । ଆଉ, ଉଭୟ ଏନଡିଏ ଏବଂ ୟୁପିଏ ସଂଖ୍ୟା ଦୃଷ୍ଟିରୁ ବହୁ ପଛରେ ଅଛନ୍ତି । ବିଜେପିର ୭୩ ସାଂସଦ ଏବଂ ସହଯୋଗୀ ଦଳଗୁଡ଼ିକର ସାଂସଦକୁ ମିଶାଇଲେ ବିଜେପି ପାଖରେ ୧୦୦ଟି ଭୋଟ୍ ଥିବା ବେଳେ କଂଗ୍ରେସ ଦଳ ପାଖରେ ରହିଛି ୫୦ ଜଣ ସାଂସଦ । ଆଉ ସହଯୋଗୀ ଦଳଙ୍କୁ ମିଶାଇଲେ ସଂଖ୍ୟା ହେଉଛି ୧୧୨ । ମ୍ୟାଜିକ ନମ୍ବରରୁ ଉଭୟ ଦଳ ପଛରେ ।

source : News State

 

ତେଣୁ ଉଭୟ ଏନଡିଏ ଏବଂ ୟୁପିଏରେ ନଥିବା ଦଳଗୁଡ଼ିକ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ କିଙ୍ଗ ମେକର ଭୂମିକାରେ ରହିବେ । ଆଉ ଏସବୁ ଭିତରେ ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂ, ପାର୍ଲାମେଂଟରେ ଥିବା ବିଜେଡି କାର୍ଯ୍ୟଳୟକୁ ଯାଇ ଦଳୀୟ ସାଂସଦକୁ ଭେଟିଛନ୍ତି । କିନ୍ତୁ ଅପେକ୍ଷା ରହିଛି ନବୀନଙ୍କ ନିଷ୍ପତ୍ତିକୁ । ଅନ୍ୟପଟେ କଂଗ୍ରେସ ଦଳ ମଧ୍ୟ ସମଭାବାପନ୍ନ ଦଳଗୁଡ଼ିକ ସହ ଯୋଗାଯୋଗରେ ରହିଛି । ୨୦୧୯ ନିର୍ବାଚନ ପୂର୍ବରୁ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ଏକ ବଡ ବାର୍ତ୍ତା ଆଣିବାକୁ ଯାଉଛି । କାହା ସପକ୍ଷରେ ରହିଛି ଆଂଚଳିକ ଶକ୍ତିଗୁଡ଼ିକର ସମର୍ଥନ । ଏହି ନିର୍ବାଚନରେ ତାହା ସ୍ପଷ୍ଟ ହୋଇଯିବ । ବିଶେଷ କରି ଏନ୍ଡିଏ ବିରୋଧରେ ମେଳି ବାନ୍ଧୁଥିବା ବିରୋଧୀ ଦଳ ଗୁଡ଼ିକ ପାଇଁ ଏକ ଶକ୍ତି ପରୀକ୍ଷା ବୋଲି ଚର୍ଚ୍ଚା ହେଉଛି ।