ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ଜିତିଲେ ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂ : ୟୁପିଏ ପ୍ରାର୍ଥୀ ବିକେ ହରିପ୍ରସାଦଙ୍କୁ ହରାଇଲେ ହରିବଂଶ

34

କନକ ବ୍ୟୁରୋ : ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚନ ଜିତିଲେ ଏନଡ଼ିଏ ପ୍ରାର୍ଥୀ ହରିବଂଶ ସିଂ । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ଜିତିଲେ ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂ । ୟୁପିଏ ପ୍ରାର୍ଥୀ ବିକେ ହରିପ୍ରସାଦଙ୍କୁ ହରାଇଛନ୍ତି ହରିବଂଶ । ହରିବଂଶଙ୍କୁ ୧୨୫ଟି ଭୋଟ ମିଳିଥିବା ବେଳେ ହରିପ୍ରସାଦଙ୍କୁ ୧୦୫ଟି ଭୋଟ ମିଳିଛି । ହରିବଂଶଙ୍କ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବିଜେଡି ଜେଡିୟୁ ପ୍ରାର୍ଥୀ ହରିବଂଶଙ୍କୁ ସମର୍ଥନ କରିଥିବା ବେଳେ ଭୋଟିଂରେ ଭାଗନେଇନି ୱାଇଏସଆର କଂଗ୍ରେସ । ୨୪୫ ସଂଖ୍ୟା ବିଶିଷ୍ଟ ରାଜ୍ୟସଭାରେ ଏବେ ଅଛନ୍ତି ୨୪୪ ସଦସ୍ୟ । ନିର୍ବାଚନ ଜିତିବା ପାଇଁ ୧୨୩ ମ୍ୟାଜିକ ନମ୍ବର ଦରକାରଥିବା ବେଳେ ହରିବଂଶଙ୍କୁ ମିଳିଥିଲା ୧୨୫ଟି ଭୋଟ । ହରିବଂଶ ଜେଡ଼ିୟୁର ରାଜ୍ୟସଭା ସାଂସଦ ଥିଲେ । ପି.ଜେ କୁରିଏନଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପରେ ଗତ ଜୁନ୍ ମାସରୁ ଖାଲି ପଡ଼ିଥିବା ରାଜ୍ୟସଭା ଉପାଧ୍ୟକ୍ଷ ପାଇଁ ଆଜି ନିର୍ବାଚନ ହୋଇଥିଲା । ଆଉ ନିର୍ବାଚନ ଜିତିବା ପାଇଁ ମ୍ୟାଜିକ ନମ୍ବର ଥିଲା ୧୨୩ । ନିର୍ବାଚନ ଜିତିବା ପାଇଁ ଆବଶ୍ୟକ ମ୍ୟାଜିକ ନଂବର ଠାରୁ ଉଭୟ ଏନଡିଏ ଏବଂ ୟୁପିଏ ବହୁ ପଛରେ ଥିଲେ । ତେବେ ୧୨୫ ଟି ଭୋଟ୍ ପାଇଁ ବିଜୟୀ ହୋଇଛନ୍ତି ହରିବଂଶ ନାରାୟଣ ସିଂ ।

କେମିତି ବଦଳିଗଲା ସମୀକରଣ ?
ରାଜ୍ୟସଭାରେ ମ୍ୟାଜିକ୍ ନମ୍ବର ଠାରୁ ଦୂରରେ ଥିଲେ ଉଭୟ ଏନଡ଼ିଏ ଓ ବିରୋଧୀ ଦଳ । ତେବେ ଏହି ନିର୍ବାଚନନେର ବିଜେଡ଼ିର ୯ ସାଂସଦ କିଙ୍ଗମେକର ଭୂମିକା ଗ୍ରହଣ କରିଛନ୍ତି । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ଘୋଷଣା ପରେ ପ୍ରଧାନମନ୍ତ୍ରୀ ମୋଦି, ଜେଡ଼ିୟୁ ଅଧ୍ୟକ୍ଷ ନୀତିଶ କୁମାର, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଥିଲେ ଏବଂ ଏଡ଼ଡ଼ିଏ ପ୍ରାର୍ଥୀ ହରିବଂଶଙ୍କ ପାଇଁ ସମର୍ଥନ ମାଗିଥିଲେ । ଆଉ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ବିଜୁ ଜନତା ଦଳ ସମର୍ଥନ କଲା । ଏନେଇ ଗତକାଲି ମୁମ୍ବାଇରୁ ଫେରିବା ପରେ ସୂଚନା ଦେଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ସୂଚନାଯୋଗ୍ୟ ରାଜ୍ୟସଭାର ଉପ ସଭାପତି ନିର୍ବାଚନକୁ ନେଇ ଦିଲ୍ଲୀ ରାଜନୀତି ସରଗରମ ହୋଇ ଉଠିଥିଲା । ବିଶେଷ କରି ଏହି ନିର୍ବାଚନରୁ ଆଗାମୀ ଲୋକସଭା ନିର୍ବାଚନ ସମୟରେ ଜାତୀୟମେଣ୍ଟ ନେଇ ସୂଚନା ମିଳିବ ବୋଲି ରାଜନୈତିକ ବିଶ୍ଳେଷକମାନେ ଅଙ୍କ କଷୁ ଥିଲେ ।  କଂଗ୍ରେସ ଦଳ ତାର ରାଜ୍ୟସଭା ସାଂସଦ ବି କେ ହରିପ୍ରସାଦଙ୍କୁ ଉପସଭାପତି ପ୍ରାର୍ଥୀ ଭାବେ ଦଳ ପକ୍ଷରୁ ଘୋଷଣା କରିିବା ପରେ ତାଙ୍କ ବିଜୟ ପାଇଁ ସମର୍ଥନ ଯୋଗାଡ଼ ନିମନ୍ତେ ତତ୍ପରତା ପ୍ରକାଶ କରିଥିଲା । ୬୪ ବର୍ଷୀୟ ହରିପ୍ରସାଦ କର୍ଣ୍ଣାଟକରୁ ରାଜ୍ୟସଭା ସାଂସଦ ଅଛନ୍ତି । ଅନ୍ୟ ବିରୋଧୀ ଦଳଗୁଡ଼ିକ ସେମାନଙ୍କ ପ୍ରାର୍ଥୀ ଦେବାକୁ ମନା କରିବା ପରେ ଶେଷରେ କଂଗ୍ରେସ ଏହି ନିଷ୍ପତ୍ତି ନେଇଥିଲା । ଅପରପକ୍ଷେ ବିଜେପି ରାଜ୍ୟସଭାର ଉପସଭାପତି ପାଇଁ ପ୍ରାଥୀ ନ ଦେଇ ଏନଡିଏର ସହଯୋଗୀ ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂହଙ୍କୁ ପ୍ରାର୍ଥୀ କରିଥିଲା । ଫଳରେ ବିଜେପି ସହଯୋଗୀ ଦଳଗୁଡ଼ିକୁ ଏକାଠି ରହିବା ପାଇଁ ସୁଯୋଗ ସୃଷ୍ଟି କରିଥିଲା । ହୁଏତ ଖାସ ସେଇଥିପାଇଁ ବିଜେଡି ଓ ଟିଆରଏସ୍,  ଏନଡିଏ ପ୍ରାର୍ଥୀ ତଥା ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂହଙ୍କୁ ଉପସଭାପତି ନିବାଚନରେ ସମର୍ଥନ କରିବ ବୋଲି ଘୋଷଣା କରିଛନ୍ତି ।

ରାଜ୍ୟସଭାରେ ବର୍ତ୍ତମାନ ବିଜେପି ସବୁଠାରୁ ବଡ଼ ଦଳ । ଏହାର ସଦସ୍ୟ ସଂଖ୍ୟା ୭୩ । ତାପରେ କଂଗ୍ରେସର ସାଂସଦ ସଂଖ୍ୟା ରହିଛି ୫୦ । ସେହିପରି ତୃଣମୂଳ କଂଗ୍ରେସ ,ଏଆଇଡିଏମକେ ଓ ସମାଜବାଦୀ ପାର୍ଟିର ରାଜ୍ୟସଭା ସାଂସଦ ସଂଖ୍ୟା ୧୩ ଲେଖାଏଁ ରହିଥିବା ବେଳେ ବଜେଡିର ସଦସ୍ୟ ସଂଖ୍ୟା ୯ ରହିଛି । ସେହିପରି ଟିଆରଏସ, ଟିଡିପି ଓ ଜେଡିୟୁର ସହଦ୍ୟ ସଂଖ୍ୟା ୬ ଲେଖାଁଏ ରହିଥିବା ବେଳେ ସିପିଆଇଏମ , ଆରଜେଡିର ସଦସ୍ୟ ସଂଖ୍ୟା ୫ ରହିଛି । ଅନ୍ୟ ଦଳମାନଙ୍କ ମଧ୍ୟରେ ବିଏସପି, ଏନସିପି, ଡିଏମକେର ୪ ଜଣ ଲେଖାଏଁ ସଦସ୍ୟ ଥିବା ବେଳେ ଶିବସେନା ଓ ଆମ୍ ଆଦମି ପାର୍ଟିର ୩ ଜଣ ଲେଖାଁଏ ସଦସ୍ୟ ରହିଛନ୍ତିି । ସେହିପରି ଓ୍ଵାଇଏସଆର କଂଗ୍ରେସ, ସିପିଆଇର ଓ ପିଡ଼ିପିର ରାଜ୍ୟ ସଭାରେ ୨ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି । ଟିଆରଏସ ଏହି ନିର୍ବାଚନରେ ଭୋଟ୍ ଦାନରୁ ବିରତ ରହିଥିଲା ।