ରୋଚକ ସ୍ଥିତିରେ ରାଜ୍ୟସଭା ଉପସଭାପତି ନିର୍ବାଚନ: ଆଜି ବିଜେଡିର ନିଷ୍ପତି ଉପରେ ସମସ୍ତଙ୍କ ନଜର, କାଲି ନବୀନଙ୍କୁ ଫୋନ କରିଥିଲେ ନିତୀଶ ଓ ଶରଦପାୱାର

24

କନକ ବ୍ୟୁରୋ: ଆସନ୍ତାକାଲି ହେବାକୁ ଥିବା ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନକୁ ନେଇ ଜାତୀୟ ରାଜନୀତିରେ ଲଢ଼େଇ ଆରମ୍ଭ ହୋଇଛି । ଉଭୟ ଏନଡିଏ ସରକାର ଓ ବିରୋଧୀ ମେଣ୍ଟ ଏହି ନିର୍ବାଚନକୁ ନିଜର ସମ୍ମାନର ପ୍ରଶ୍ନ ବୋଲି ଧରିନେଇଛନ୍ତି। ତେବେ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଲା, ଏହି ଲଢ଼େଇରେ ବିଜେଡି ନିର୍ଣ୍ଣାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଏନଡିଏ ଭରସା କରି ରହିଛି, ବିରୋଧୀ ମେଣ୍ଟ ମଧ୍ୟ କେବଳ ଆଶା ବାନ୍ଧି ନାହାନ୍ତି, ନବୀନଙ୍କୁ ମନାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଗତକାଲି ପୂର୍ବାହ୍ନରେ ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଟେଲିଫୋନ ଯୋଗେ କଥା ହୋଇଥିଲେ। ଯେହେତୁ ଜେଡିୟୁ ନେତା ହରିବଂଶ ନାରାୟଣ ସିଂହ ଏନ୍ଡିଏ ପ୍ରାର୍ଥୀ ଭାବେ ଉଭା ହୋଇଛନ୍ତି, ଏଣୁ ନୀତୀଶ ନବୀନଙ୍କ ସହିତ କଥା ହୋଇ ସମର୍ଥନ ଲୋଡ଼ିଛନ୍ତି। କେବଳ ସେତିକି ନୁହେଁ, ବିଜେପି ସଂସଦୀୟ ଦଳ ବୈଠକ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ନବୀନଙ୍କ ସହିତ କଥା ହୋଇ ସମର୍ଥନ ଲୋଡିଥିବା ଖବର ମିଳିଛି।

ସେପଟେ ବିରୋଧୀ ମେଣ୍ଟ ମଧ୍ୟ ଚୁପ୍ ବସିନାହାନ୍ତି । ଏନସିପି ନେତ୍ରୀ ବନ୍ଦନା ଚୌହାନ ବିରୋଧୀ ମେଣ୍ଟରୁ ପ୍ରାର୍ଥୀ ହୋଇଥିବା ପରିପ୍ରେକ୍ଷୀରେ ଏନସିପି ମୁଖିଆ ଶରଦ ପାଓ୍ଵାର ନବୀନଙ୍କ ସମର୍ଥନ ମାଗିଛନ୍ତି। ଏସବୁ ନେତା ନବୀନଙ୍କ ସହିତ ଆଲୋଚନା କରିଥିବା କଥା ମଧ୍ୟ ବିଜେଡି କହିଛି। ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିନ୍ତୁ ଆଜି ପର୍ଯ୍ୟନ୍ତ ସମସ୍ତଙ୍କୁ ଝୁଲାଇ ରଖିଛନ୍ତି। ଦଳର ବରିଷ୍ଠ ନେତାଙ୍କ ସହିତ ଆଲୋଚନା ପରେ ସେ ତାଙ୍କର ନିଷ୍ପତ୍ତି ଜଣାଇବେ ବୋଲି ସୂଚନା ଦେଇଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି।

ଆଜି ନିଷ୍ପତ୍ତି ଶୁଣାଇବ ବିଜେଡି

ଏଥିସହିତ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ରୋଚକ ମୋଡ଼ ନେଇଛି ଓ ସବୁ ରାଜନୈତିକ ଦଳ, ବିଶେଷଜ୍ଞ ନବୀନଙ୍କ ନିଷ୍ପତ୍ତିକୁ ଅପେକ୍ଷା କରୁଛନ୍ତି। ୨୪୫ ଆସନ ବିଶିଷ୍ଟ ରାଜ୍ୟସଭାରେ ଗୋଟିଏ ଆସନ ଖାଲି ପଡିଛି। ୧୨୩ ଜଣ ସଦସ୍ୟଙ୍କ ସମର୍ଥନ ହାସଲ କଲେ, ଜଣେ ପ୍ରାର୍ଥୀ ରାଜ୍ୟସଭାର ଏହି ଦୁଇ ନମ୍ବର ଆସନକୁ ଉନ୍ନୀତ ହୋଇପାରିବ। ସମୀକରଣ ଅନୁସାରେ, ଉଭୟ ଏନଡିଏ ଓ ବିରୋଧୀ ମେଣ୍ଟ ଏକାକୀ ଏତିକି ସଂଖ୍ୟକ ସଦସ୍ୟଙ୍କୁ ନିଜ ପାଖରେ ରଖିପାରିନାହାନ୍ତି। ଏଣୁ ଏନଡିଏ ଓ ଉପାଠାରୁ ସମଦୂରତ୍ୱରେ ଥିବା ବିଜେଡିକୁ ଏହି ନିର୍ବାଚନରେ ନିର୍ଣ୍ଣାୟକ ସ୍ଥିତିକୁ ଟାଣି ନେଇଛି। ଗତାକାଲି ବିଜେପିର ଶୀର୍ଷ ନେତାମାନେ ପୂର୍ବାହ୍ନରେ ବୈଠକ କରି ସଂଖ୍ୟା ଗଣିତ କଷିଥିଲେ। ଏନଡିଏର ସମସ୍ତ ସଦସ୍ୟଙ୍କ ବାଦ୍ ଦଳ ଏଆଇଏଡିଏମକେର ୧୩ ଜଣ ସଦସ୍ୟଙ୍କ ସମର୍ଥନ ପାଇବ ବୋଲି ଆଶା କରିଛି। ଏହା ସତ୍ତ୍ୱେ ଏନଡିଏ ମ୍ୟାଜିକ୍ ନମ୍ବର ଛୁଇଁପାରୁନାହାନ୍ତି। ବିଜେଡିର ୯ ଜଣ ସାଂସଦ, ତେଲେଙ୍ଗାନା ରାଷ୍ଟ୍ରୀୟ ସମିତିର ୬ ସାଂସଦଙ୍କ ଭୂମିକା ଏନ୍ଡିଏ ପାଇଁ ଗୁରୁତ୍ଵପୂର୍ଣ୍ଣ ହୋଇପଡିଛି। ଟିଆର୍ଏସ୍ ମୁଖ୍ୟ କେ ଚନ୍ଦ୍ରଶେଖର ରାଓଙ୍କ ସହିତ ଖୋଦ୍ ପ୍ରଧାନମନ୍ତ୍ରୀ କଥା ହୋଇଛନ୍ତି। ଶିବସେନାର ସମର୍ଥନ ମଧ୍ୟ ଦଳ ଲୋଡିଛି। ଅମିତ ଶାହ ଦଳର ନେତା ଉଦ୍ଧବ ଠାକରେଙ୍କ ସହିତ ଆଲୋଚନା କରିଛନ୍ତି।

election

ଅନ୍ୟପଟେ ବିରୋଧୀ ମେଣ୍ଟକୁ ଶିବସେନା ସହଯୋଗ କରିବ ବୋଲି ସୂଚନା ମିଳୁଛି। ଏହାବ୍ୟତୀତ ତେଲଗୁ ଦେଶମ ପାର୍ଟି, ଓ୍ଵାଇଏସଆର୍ କଂଗ୍ରେସ, ଆପ୍, ପିଡିପି, ଡିଏମକେ ସଦସ୍ୟ ବିରୋଧୀ ମେଣ୍ଟ ସହିତ ରହିବାକୁ ମନସ୍ଥ କରୁଛନ୍ତି। ତେଣୁ ଦଳକୁ ମ୍ୟାଜିକ୍ ନମ୍ବର ଛୁଇଁବାକୁ ହେଲେ ବିଜେଡିର ସମର୍ଥନ ଦରକାର। ଉଭୟ ଏନ୍ଡିଏ ଓ ଉପାଠାରୁ ସମଦୂରତ୍ଵ ଅବଲମ୍ବନ କରୁଥିବା କାରଣରୁ ବିଜେଡି ଏଯାଏ ନିଷ୍ପତ୍ତି ନେଇନାହିଁ। ଅକାଳୀ ଦଳ (୩) ଅଭିମାନ କରିଛି। କାରଣ ଦଳର ବରିଷ୍ଠ ନେତା ନରେଶ ଅଗ୍ରଓ୍ଵାଲ ଏନଡିଏ ପ୍ରାର୍ଥୀ ହେବେ ବୋଲି ପୂର୍ବୁରୁ ଚର୍ଚ୍ଚା ଚାଲିଥିଲା। ହରିବଂଶଙ୍କ ପ୍ରାର୍ଥିତ୍ଵ ନେଇ ଘୋଷଣା ପରେ ଅକାଳୀ ନେତାମାନେ ଅପମାନିତ ଅନୁଭବ କରୁଛନ୍ତି। ଆଜି ବିଜେପି ଶୀର୍ଷ ନେତାଙ୍କ ବୈଠକରେ ହିସାବ କରାଯାଇଛି, ଯଦି ଅନାସ୍ଥା ପ୍ରସଙ୍ଗ ଭଳି ଏଥର ବି ବିଜେଡି, ଟିଆର୍ଏସ୍, ଶିବସେନା ପ୍ରମୁଖ ସମର୍ଥନ ନ ଦେଇ ଭୋଟ ଦାନ ପ୍ରକ୍ରିୟାରୁ ଦୂରେଇ ଯାଆନ୍ତି, ତେବେ ମ୍ୟାଜିକ୍ ନମ୍ବର ୧୧୦କୁ ଖସିଆସିବ। ଏମିତି ହେଲେ ବି ଫାଇଦା ବିରୋଧୀ ମେଣ୍ଟକୁ ଯାଇପାରେ। ଏଣୁ କଳେ ବଳେ କୌଶଳେ ଏସବୁ ଦଳର ଭୋଟ ହାସଲ କରିବା ଲାଗି ଶୀର୍ଷ ନେତୃତ୍ଵ ବିଚାର କରୁଛନ୍ତି। ଇତିମଧ୍ୟରେ ଶିବ ସେନା ଗତକାଲି ରାତିରେ ଘୋଷଣା କରିଛି ଯେ ଏହା ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବ।

ପ୍ରକାଶଥାଉକି, ଗତ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିଥିଲା। ହେଲେ ଉପରାଷ୍ଟ୍ରପତି ନିର୍ବାଚନରେ ଗୋପାଳ କୃଷ୍ଣ ଗାନ୍ଧୀଙ୍କୁ ବିଜେଡି ସମର୍ଥନ କରିଥିଲେ ହେଁ, ଏନଡିଏ ପ୍ରାର୍ଥୀ ଏମ୍ ଭେଙ୍କିୟାନାଇଡୁ ବିଜୟୀ ହୋଇଥିଲେ। ଗତ ଅନାସ୍ଥା ଭୋଟରେ ଶେଷ ମୁହୂର୍ତରେ ନବୀନ ଉଭୟ ଆଲୋଚନା ଓ ଭୋଟଦାନ ପ୍ରକ୍ରିୟାରୁ ଦୂରେଇ ରହିଥିଲେ। ଏହା ପରୋକ୍ଷରେ ବିଜେପି ନେତୃତ୍ଵାଧୀନ ଏନଡିଏକୁ ଲାଭ ଦେଇଥିଲା। ଏଣୁ ନବୀନଙ୍କ ହଁ ଓ ନା ର ଗୁରୁତ୍ଵ ଏବେ ଜାତୀୟ ରାଜନୀତିରେ ବଢିଯାଇଛି। ପ୍ରଧାନମନ୍ତ୍ରୀଙ୍କ ଖାତିର୍ ବା ପତିଆରା ବଢିବ ନା ଛିଡିବ ତାହା ବିଜେଡି ଉପରେ ନିର୍ଭର କରୁଛି। କାରଣ ଯଦି ବିରୋଧୀ ମେଣ୍ଟ ଜିତନ୍ତି, ତେବେ ସେମାନଙ୍କ ମନୋବଳ କେବଳ ବଢିବ ତା ନୁହେଁ, ନିର୍ବାଚନ ବର୍ଷରେ ଏନଡିଏ ପାଇଁ ଘାତକ ହୋଇପାରେ। ଏହି ଲକ୍ଷ୍ୟ ରଖି ହିଁ କଂଗ୍ରେସର ୫୦ ଜଣ ସାଂସଦ ଥିବା ସତ୍ତ୍ୱେ ଦଳ ରାଜ୍ୟସଭା ଉପାଧ୍ୟକ୍ଷ ଭଳି ଗୁରୁତ୍ଵପୂର୍ଣ୍ଣ ଆସନ ଲାଗି ଏନସିପି ନେତାଙ୍କୁ ପ୍ରାର୍ଥୀ କରିଛି। ଗୁଜୁରାଟ, ଉତ୍ତରପ୍ରଦେଶ ଭଳି ବିଜେପିକୁ ଅଟକାଇବା ଲାଗି ଦଳର ଏହା ଏକ ରଣନୀତି।