ରଜ ଲଢେଇ . . କିଏ ମାରିବ ବାଜି ?

104

ଆଗକୁ ଆସୁଛି ରଜ । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରଜ ପାଇଁ ସଜବାଜ ହୋଇଛି ଓଲିଉଡ୍ । ପରଦାକୁ ଆସୁଛି ବିଗ୍ ବ୍ୟାନର୍ ବିଗ୍ ବଜେଟ୍ ମୁଭି । ଏଥର ରଜ ଲଢେଇରେ ସାମିଲ ହେଉଛନ୍ତି ଅନୁଭବ, ବାବୁସାନ ଓ ଅରିନ୍ଦମ । ଏହା ସହ ବକ୍ସ ଅଫିସରେ ହେବ ଜୋର୍ ଦାର୍ ଟକ୍କର । ଦର୍ଶକ କେଉଁ ମୁଭିକୁ ଅଧିକ ପସନ୍ଦ କରିବେ ଆଉ କେଉଁ ମୁଭି ଫେଲ୍ ମାରିବ, ସେଥିପାଇଁ ଏବେ ଠାରୁ ଆରମ୍ଭ ଚର୍ଚ୍ଚା ହୋଇଗଲାଣି।

ରଜ ବଜାରରେ ଓଡିଆ ଇଣ୍ଡଷ୍ଟ୍ରୀରେ ମୁକ୍ତିଲାଭ କରିବାକୁ ଯାଉଛି ତିନୋଟି ଫିଲ୍ମ । ଅନୁଭବ ମହାନ୍ତିଙ୍କ ଅଗସ୍ତ୍ୟ, ଅରିନ୍ଦମ୍ ରୟଙ୍କ ପ୍ରେମରେ ପ୍ରେମରେ ଏବଂ ବାବୁଶାନ୍ ମହାନ୍ତିଙ୍କ ଲଭ୍ ଷ୍ଟେସନ୍ । ଅନୁଭବ ନିଜ ଫ୍ୟାନମାନଙ୍କ ପାଇଁ ଭେଟିଦେବାକୁ ଯାଉଛନ୍ତି ଆକ୍ସନ ଫିଲ୍ମ ଅଗସ୍ତ୍ୟ । ଯେଉଁଥିରେ ଦେଖିବାକୁ ମିଳିବ ଅନୁଭବଙ୍କ ଗ୍ୟାଙ୍ଗଷ୍ଟର୍ ଅବତାର୍ । ମୂରଲୀକ୍ରିଷ୍ଣାଙ୍କ ନିର୍ଦେଶିତ ଏହି ସିନେମାରେ ତାଙ୍କ ବିପକ୍ଷରେ ନାୟିକା ଭାବେ ବଙ୍ଗୀୟ ସୁନ୍ଦରୀ ଝିଲିକଙ୍କୁ ଦେଖିବାକୁ ମିଳିବ । ପୁଣିଥରେ ଓଡିଆ ଦର୍ଶକଙ୍କୁ ଏଂଟରଟେନ୍ କରିବେ ଏହି ଯୋଡି । ଆଗାମୀ ୧୦ ତାରିଖରେ ଏହି ସିନେମାଟି ଓଡିଶାର ବିଭିନ୍ନ ପ୍ରେଖ୍ୟାଳୟରେ ମୁକ୍ତିଲାଭ କରିବ ।

ଅନୁଭବଙ୍କୁ ଏଥର ଟକ୍କର ଦେବେ ଷ୍ଟାର୍ ସନ ବାବୁସାନ୍ । କାରଣ ସେହି ଦିନ ରିଲିଜ୍ ହେବ ତାଙ୍କ ଫିଲ୍ମ ଲଭ୍ ଷ୍ଟେସନ୍ । ଏଥର ବାବୁସାନ୍ ମହାନ୍ତିଙ୍କ ଯୋଡି ଜମିବ ଏଲିନାଙ୍କ ସହ । ତରଙ୍ଗ ସିନେ ପ୍ରଡକ୍ସନ ଦ୍ୱାରା ପ୍ରସ୍ତୁତ ଏହି ସିନେମାର ନିର୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ଅଶୋକ ପତି ।

ଏହାପରେ ପାଳି ଓଲିଉଡ୍ ହ୍ୟାଣ୍ଡସମ୍ ହଙ୍କ ଅରିନ୍ଦମଙ୍କର । ସେ ନିଜ ପ୍ରଶଂସକଙ୍କ ପାଇଁ ନେଇ ଆସିଛନ୍ତି ଚଳଚ୍ଚିତ୍ର ପ୍ରେମରେ ପ୍ରେମରେ । ସାର୍ଥକ ଦ୍ୱାରା ପ୍ରସ୍ତୁତ ଏହି ଫିଲ୍ମରେ ଅରିନ୍ଦମଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିବେ ଶୀତଲ । ଫିଲ୍ମର ନିର୍ଦେଶନା ଦେଇଛନ୍ତି ସୁଧାଂଶୁ ମୋହନ ସାହୁ । ଆଗାମୀ ୧୨ ତାରିଖରେ ଫିଲ୍ମଟି ମୁକ୍ତିଲାଭ କରିବ ବୋଲି ସୂଚନା ମିଳିଛି । ତେବେ ସେ ଯାହା ବି ହଉ ରଜ ବଜାରରେ ଏଥର ଓଡିଆ ଦର୍ଶକଙ୍କୁ ଏଂଟରଟେନ୍ କରିବେ ଏହି ତିନି ସୁପରଷ୍ଟାର୍ ।