ସୁକମା ନକ୍ସଲ ଆକ୍ରମଣ ଘଟଣାକୁ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ନିନ୍ଦା : ରାୟପୁରରେ ଗୁରୁତର ଯବାନଙ୍କୁ ଭେଟିଲେ ରାଜନାଥ

33

କନକ ବ୍ୟୁରୋ : ଛତିଶଗଡ ବସ୍ତର ଅଂଚଳ ପାହାଡ ଉପରୁ ସିଆରପିଏଫ ଯବାନଙ୍କ ଉପରେ ଗୁଳିମାଡ ଘଟଣାରେ ୧୨ଜଣ ଯବାନ ସହିଦ ହୋଇଛନ୍ତି । ୪ ଜଣ ଗୁରୁତର ଆହତ ହୋଇ ରାୟପୁରରେ ଚିକିତ୍ସାଧିନ ଅଛନ୍ତି । ମାଓବାଦୀଙ୍କ ଆକ୍ରମଣ ଖବର ପାଇବା ପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଦିଲ୍ଲୀରୁ ସିଧା ରାୟପୁର ଆସି ସ୍ଥିତିର ଅନୁଧ୍ୟାନ କରିଛନ୍ତି । ଡାକ୍ତରଖାନା ଗସ୍ତ କରି ସେଠାରେ ଚିକିତ୍ସିତ ହେଉଥିବା ଯବାନଙ୍କୁ ଭେଟିବା ସହ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ।

ଏହା ସହ ସହିଦ୍ ଜବାନଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିବା ସହ ସମବେଦନା ଜଣାଇଛନ୍ତି । ସହିଦଙ୍କ ବଳିଦାନ ବେକାର ଯିବନାହିଁ ବୋଲି ମଧ୍ୟ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ କହିଛନ୍ତି । ଏହା ସହ ପ୍ରତି ସହିଦଙ୍କ ପରିବାରକୁ ମୋଟରେ କୋଟିଏ ଟଙ୍କା ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି । ବର୍ତ୍ତମାନ ମାଓବାଦୀଙ୍କ ସ୍ଥିତି ଦୁର୍ବଳ ହୋଇପଡିଥିବା ବେଳେ ବିଚଳିତ ହୋଇ ସେମାନେ ଏଭଳି କାଣ୍ଡ କରିଥିବା ରାଜନାଥ କହିଛନ୍ତି ।

ଏହା ସହ ମାଓବାଦୀ ଦମନ ଅଭିଯାନରେ ସଫଳତା ମିଳିଭ ବୋଲି ମଧ୍ୟ ସେ ଦୃଢତାର ସହ କହିଛନ୍ତି । ଆଜି ସହିଦଙ୍କ ମରଶରୀର ସେମାନଙ୍କ ଗାଁ ମାନଙ୍କୁ ପଠାଯିବ । ସିଆରପିଏଫ ୨୧୯ବାଟାଲିୟନର ରୋଡ ଓପନିଂ ପାର୍ଟି ଭେଜି ଅଂଚଳର ଦୁର୍ଗମ ରାସ୍ତା ଦେଇ ଯାଉଥିବାବେଳେ ସେଠାରେ ପୂର୍ବରୁ ଲୁଚିରହିଥିବା ମାଓବାଦୀ ଆକ୍ରମଣ କରିଥିଲେ । ତେବେ ମାଓବାଦୀଙ୍କ ଆକ୍ରମଣ ପରେ ଏହାର କଡା ମୁକାବିଲା କରିଥିଲେ ସିଆରପିଏଫ ଯବାନ ।

ଘଟଣାସ୍ଥଳରେ ୯ଯବାନ ସହିଦ ହୋଇଥିବା ବେଳେ ପରେ ୩ଜଣ ଯବାନ ସହିଦ ହୋଇଛନ୍ତି  । ଏହାସହ ୪ଜଣ ଯବାନ ଗୁରୁତର ଥିବା ବେଳେ ୪ଯବାନ ଆହତ ହୋଇଛନ୍ତି  । ବସ୍ତର ଅଂଚଳରେ ରାସ୍ତା ନିର୍ମାଣ କାମକୁ ବିରୋଧ କରିଆସୁଛି ଲାଲବାହିନୀ  । ନିର୍ମାଣକାରୀ ସଂସ୍ଥା ଓ ଶ୍ରମିକଙ୍କୁ ସେଠାରେ କାମ କରିବାକୁ ଦେଉନାହାନ୍ତି ମାଓବାଦୀ । ଫଳରେ ସୁକମା, ଦାନ୍ତେୱାଡା, ବିଜାପୁର ଓ କାଙ୍କେରର ଦୁର୍ଗମ ଅଂଚଳରେ ରାସ୍ତା ନିର୍ମାଣ କାମ ପୁଲିସ ଓ ସିଆରପିଏଫ ହାତକୁ ନେଇଛି  ।