ପାକିସ୍ତାନୀ ମାଟିରେ ପୁଣି ଏକ ସର୍ଜିକାଲ ଷ୍ଟ୍ରାଇକର ଇସାରା କଲେ ଗୃହମନ୍ତ୍ରୀ ରାଜନାଥ ସିଂହ : କହିଲେ ଆବଶ୍ୟକ ପଡ଼ିଲେ ଅତିକ୍ରମ କରିବୁ ସୀମାରେଖା

43

କନକ ବ୍ୟୁରୋ : ବାରମ୍ବାର ଅସ୍ତ୍ରବିରତି ଉଲଂଘନ ପରେ ସିଧାସଳଖ ପାକିସ୍ତାନକୁ ଶୁଣାଇ ଦେଇଛନ୍ତି ଗୃହମନ୍ତ୍ରୀ । ଠିକ୍ ଏମିକି ବେଳେ ରାଜନାଥ ସିଂଙ୍କ ଏଭଳି ଏକ ମନ୍ତବ୍ୟ ଆସିଛି ଯେତେବେଳେ କ୍ରମାଗତ ଭାବରେ ୫ ଦିନ ହେଲା ସୀମା ଆରପଟରୁ ଗୁଳିଗୋଳା ମାଡ଼ କରୁଛନ୍ତି ପାକିସ୍ତାନ ଯବାନ । ପାକ୍ ଯବାନଙ୍କ ଗୁଳିମାଡ଼ରେ ପୁଂଚ ସେକ୍ଟରରେ ଜଣେ ଯବାନ ସହିଦ ହୋଇଥିବା ବେଳେ ୨ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ଆଉ ଏତିକି ବେଳେ ପାକିସ୍ତାନକୁ ମନେ ପକାଇ ଦେଇଛନ୍ତି ସର୍ଜିକାଲ ଷ୍ଟ୍ରାଇକର କଥା ।

ଗୃହମନ୍ତ୍ରୀଙ୍କ ଏହି ମନ୍ତବ୍ୟ ଏଇଥି ପାଇଁ ଗୁରୁତ୍ୱ ରଖୁଛି, କାରଣ ଗତ ୧୮ ତାରିଖରେ ପାକିସ୍ତାନ ସୀମାରେ ପଶି ୩ ଜଣ ପାକ୍ ରେଞ୍ଜର୍ସଙ୍କ ସମେତ ୮ଜଣଙ୍କୁ ଜୀବନର ଶେଷ ରାସ୍ତା ଦେଖାଇ ଦେଇଥିଲେ ଭାରତୀୟ ଜବାନ । ପାକିସ୍ତାନର ଆକ୍ରମଣ ବଦଳରେ ପ୍ରତି-ଆକ୍ରମଣ କରିବାକୁ ଭାରତ ପଛଘୁଂଚା ଦେବ ନାହିଁ ବୋଲି କହିଛନ୍ତି ଗୃହମନ୍ତ୍ରୀ । ପଡୋଶୀ ଦେଶଙ୍କ ସହ ଭାରତ ସବୁବେଳେ ଶାନ୍ତି ଚାହୁଁଥିବା ବେଳେ ପାକିସ୍ତାନର କିନ୍ତୁ ଅଭ୍ୟାସ ବଦଳୁ ନାହିଁ । ଗୃହମନ୍ତ୍ରୀ ହିସାବରେ ସବୁ କିଛି କହିବା ସଂଭବ ନୁହେଁ, ତେବେ ଭାରତର ମୁଣ୍ଡ ତଳକୁ ହେବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି ରାଜନାଥ ସିଂ ।

ଲକ୍ଷ୍ନୌରେ ଭାରତୀୟ ରେଲୱେ ମାଲ ଗୋଦାମ୍ ଶ୍ରମିକ ସଂଘର କର୍ମକର୍ତ୍ତାଙ୍କୁ ସମ୍ବୋଦିତ କରିବା ଅବସରରେ ପାକିସ୍ତାନକୁ ଏହି ଚରମବାଣୀ ଶୁଣାଇଛନ୍ତି ରାଜନାଥ ସିଂ ।