ପ୍ରେମିକକୁ ବାହା ହେଲା ସ୍ତ୍ରୀ, କୋର୍ଟ ରୁମରେ ସ୍ୱାମୀ ରହିଲା ସାକ୍ଷୀ !

ସ୍ତ୍ରୀର ପରକୀୟା ପ୍ରୀତିକୁ ମାଫ୍ କଲେ ସ୍ୱାମୀ, ପ୍ରେମିକ ସହ କରାଇଲେ ବିବାହ

736

କନକ ବ୍ୟୁରୋ :  ସ୍ୱାମୀ କରାଇଲେ ସ୍ତ୍ରୀର ବାହାଘର । ଯେତେବେଳେ ସ୍ୱାମୀ ଜାଣିଲେ, ସ୍ତ୍ରୀ ତାଙ୍କ ସହ ଖୁସି ନାହାଁନ୍ତି ଏବଂ ସେ ଅନ୍ୟଜଣଙ୍କୁ ଭଲ ପାଉଛନ୍ତି , ସେତେବେଳେ ସ୍ତ୍ରୀଙ୍କୁ ଛାଡପତ୍ର ଦେଇ ତାଙ୍କ ପ୍ରେମିକ ସହ ବିବାହ କରାଇଛନ୍ତି ସ୍ୱାମୀ ।

ଦୁଇଟି ଯାକ କୋର୍ଟ ପେପରରେ ଜଣିଏ ସ୍ତ୍ରୀ କିନ୍ତୁ ସ୍ୱାମୀ ଭିନ୍ନଭିନ୍ନ । ଏହି ଘଟଣା ଯେତିକି ରୋଚକ, ସେତିକି ସମ୍ବେଦନଶୀଳ । କେନ୍ଦ୍ରାପଡା ରାଜକନିକାର ଏହି ଖବର ଏବେ ଶିରୋନାମା ପାଲଟିଛି । କାରଣ ଖୋଦ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ଛାଡପତ୍ର ଦେଇ ତାଙ୍କ ପ୍ରେମିକ ସହ ବିବାହ କରାଇଛନ୍ତି । ତରପଦା ଗାଁର ବିକାଶ ସାହୁ ଚାରିବର୍ଷ ତଳେ ସସ୍ମିତାଙ୍କୁ ପ୍ରେମ ବିବାହ କରିଥିଲେ । ସସ୍ମିତା ତାଙ୍କ ପ୍ରକୃତ ନାଁ ନୁହେଁ । ମହିଳାଜଣକ ନିଜ ନାମକୁ ଗୋପନୀୟ ରଖିବାକୁ ଚାହୁଁଥିବାରୁ ଆମେ ସସ୍ମିତା ନାଁ ବ୍ୟବହାର କରୁଛୁ । ତେବେ ବିକାଶ କୋଲକାତାରେ ପ୍ଲାଏଉଡ କାମ କରନ୍ତି ଓ ସ୍ତ୍ରୀ ସସ୍ମିତା ବିକାଶଙ୍କ ପରିବାର ସହ ଗାଁରେ ରୁହନ୍ତି । ସ୍ୱାମୀଙ୍କ ଅନୁପସ୍ଥିତିରେ ସ୍ଥାନୀୟ ଜୟନଗରର ଅନ୍ୟଜଣେ ପୁରୁଷ ସୁରେଶ ଚନ୍ଦ୍ର ଲେଙ୍କାଙ୍କ ସହ ସସ୍ମିତାଙ୍କ ଘନିଷ୍ଠତା ବଢିଥିଲା । ଦୁହିଁଙ୍କ ଭିତରେ ପ୍ରାୟ ୧ ବର୍ଷ ହେବ ପ୍ରେମ ସଂପର୍କ ଥିବା ଜାଣିପାରି ଏମାନଙ୍କୁ ଏକାଠି କରିବାକୁ ନିଷ୍ପତି କରିଥିଲେ ସ୍ୱାମୀ ବିକାଶ ।

ବିକାଶ ଓ ସସ୍ମିତାଙ୍କ ଏକ ୩ ବର୍ଷର ଝିଅ ମଧ୍ୟ ଅଛି । ହେଲେ ସସ୍ମିତା ତାଙ୍କ ସହ ଖୁସିନଥିବା ଜାଣିବା ପରେ ତାଙ୍କୁ ସବୁ ବନ୍ଧନରୁ ମୁକ୍ତ କରିବାକୁ ନିଷ୍ପତି କରିଥିଲେ ବିକାଶ । ଏପରିକି ସସ୍ମିତାଙ୍କୁ ଛାଡପତ୍ର ଦେଇ ପୁଣି ସୁରେଶଙ୍କ ସହ ଯୋଗାଯୋଗ କରିଥିଲେ ଓ ତାଙ୍କ ହାତରେ ସସ୍ମିତାଙ୍କୁ ଟେକି ଦେଇଥିଲେ । ନୋଟାରୀ ପାଖରେ ନିଜେ ସାକ୍ଷୀ ରହି ଦୁହିଁଙ୍କ କୋର୍ଟ ମ୍ୟାରେଜ କରାଇଛନ୍ତି ବିକାଶ । ହେଲେ ବିକାଶଙ୍କ ସହ ଖୁସିନଥିଲେ ବୋଲି କହିଛନ୍ତି ସସ୍ମିତା । ଏପରିକି ତାଙ୍କ ପରିବାର ଲୋକ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି ।

ସ୍ତ୍ରୀଙ୍କ ପରକୀୟା ପ୍ରୀତିକୁ କେବଳ ସ୍ୱୀକାର କରିନାହାନ୍ତି ସ୍ୱାମୀ । ବରଂ ତାଙ୍କ ଖୁସିପାଇଁ ପ୍ରେମିକ ସହ ନିଜେ ବିବାହ ମଧ୍ୟ କରାଇଛନ୍ତି । ନିଜ ଖୁସିକୁ ଜଳାଞ୍ଜଳି ଦେଇ ପ୍ରେମ ଆଉ ସଂପର୍କର ଯେଉଁ ନୂଆ ପରିଭାଷା ଲେଖିଛନ୍ତି ତାହା ତାଙ୍କୁ ମହାନ କରିଦେଇଛି ।