ପୁଣି ମାତିଲା ମଣିଷଖିଆ କୁମ୍ଭୀର ! ରାଜନଗରରେ କୁମ୍ଭୀର ଆକ୍ରମଣର ଶିକାର ହେଲେ ମହିଳା, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

84

କନକ ବ୍ୟୁରୋ : ସପ୍ତାହକ ମଧ୍ୟରେ ପୁଣିଥରେ କୁମ୍ଭୀର ଆକ୍ରମଣର ଶିକାର ହେଲେ ମହିଳା । ଆଉ କୁମ୍ଭିର ପାଟିରୁ ଅଳ୍ପକେ ବର୍ତ୍ତିଗଲା ଜୀବନ । କେନ୍ଦ୍ରାପଡ଼ା ରାଜନଗର ଅଂଚଳରେ ପୁଣି ଏପରି ଏକ ଘଟଣା ବେଶ ଚର୍ଚ୍ଚା ସୃଷ୍ଟି କରିଛି । ଲକ୍ଷ୍ମୀପ୍ରୀୟା ରାଉତ ନାମକ ଜଣେ ମହିଳାଙ୍କୁ ମଣିଷ ଖିଆ କୁମ୍ଭୀର ଟାଣି ନେଇଥିଲା । କିନ୍ତୁ ଲକ୍ଷ୍ମୀପ୍ରିୟାଙ୍କ ଚିତ୍କାର ଶୁଣି ଗ୍ରାମବାସୀ ତାଙ୍କୁ ବଂଚାଇଥିଲେ ।

ଶୈାଚ ହେବାକୁ ଘରପାଖ ନାଳକୁ ଯାଇଥିଲେ ଏହି ଗାଁର ଲକ୍ଷ୍ମୀପ୍ରିୟା ରାଉତ । ଆଉ ଏହି ସମୟରେ ୬ ଫୁଟର ଏକ କୁମ୍ଭୀର ତାଙ୍କୁ ପାଣି ଭିତରକୁ ଟାଣିନେଇଥିଲା । ତେବେ ଲକ୍ଷ୍ମୀପ୍ରିୟା ଉପାୟ ନପାଇ ବଂଚାଅ ବଂଚାଅ ଚିତ୍କାର କରିଥିଲେ । ଆଉ ଚିତ୍କାର ଶୁଣି ତାଙ୍କ ବୋହୁ ଓ ଗ୍ରାମବାସୀ ଆସି ତାଙ୍କୁ କୁମ୍ଭୀର ମୁହଁରୁ ବଂଚାଇଥିଲେ । ଏବେ ସେ ଗୃୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ସେହି ସମାନ ଘଟଣା ଘଟିଥିଲା ଗତ ୨୨ ତାରିଖରେ । ଗାଈ ଚରାଇବାକୁ ଯାଇଥିଲେ ରାଜନଗର ବ୍ଲକ ଅଂଚଳର ଭବାନୀ ମଣ୍ଡଳ । ବାଉଁଶଗଡ ନାଳ କୂଳରେ ଯାଉଥିବା ବେଳେ ହଠାତ୍ ଭବାନୀଙ୍କୁ ଟାଣି ନେଇଥିଲା ମଣିଷ ଖିଆ କୁମ୍ଭୀର । ଜୀବନ ବଂଚାଇବା ପାଇଁ ନିଜେ ସାହସ ଜୁଟାଇ କୁମ୍ଭୀର ସହ ଲଢିଥିଲେ ଭବାନୀ । ଆଉ ୮ ଫୁଟିଆ କୁମ୍ଭୀର ସହ ଲଢେଇ କରି ଶେଷରେ ଜିତିଗଲେ ଭବାନୀ । ସାହସ ଓ ଉପସ୍ଥିତି ବୁଦ୍ଧି ଯୋଗୁଁ ମୃତ୍ୟୁକୁ ମାତ ଦେଇଥିଲେ ଏହି ମହିଳା । କୁମ୍ଭୀର ଆକ୍ରମଣରେ ଭବାନୀଙ୍କ ପିଠି ଓ ହାତରେ ଗଭୀର କ୍ଷତ ହୋଇଥିଲା ।