ପୁଲିସ ଡିଜି ଭାବେ ଦାୟିତ୍ୱ ନେଲେ ଆର୍.ପି. ଶର୍ମା

38

କନକ ବ୍ୟୁରୋ : ରାଜ୍ୟ ପୋଲିସ ମୁଖ୍ୟ ଭାବେ ଦାୟିତ୍ୱ ନେଇଛନ୍ତି ଆର.ପି.ଶର୍ମା । ଦାୟିତ୍ୱ ଗ୍ରହଣ ପୂର୍ବରୁ କଟକ ପୁଲିସ ମୁଖ୍ୟାଳୟରେ ଆର ପି ଶର୍ମାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି । ପୁଲିସ ସହିଦ ସ୍ତମ୍ଭରେ ଶ୍ରଦ୍ଧାଂଜଳୀ ଜଣାଇଛନ୍ତି ଡିଜିପି । ସକାଳୁ ସକାଳୁ ଲିଙ୍ଗରାଜ ମନ୍ଦିର ଯାଇ ଭଗବାନଙ୍କ ଆର୍ଶୀବାଦ କାମନା କରିଛନ୍ତି  ଆର ପି ଶର୍ମା ।  ନୂଆ ପୋଲିସ ଡିଜି ଭାବେ ଦାୟିତ୍ୱ ମିଳିବା ପରେ ପ୍ରତିକ୍ରିୟା ରଖି ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି, ଏହା ତାଙ୍କ ପାଇଁ ଏକ ବଡ ଚ୍ୟାଲେଂଜ । ସେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚେଷ୍ଟା କରିବେ । ଏଥିସହ ପୁଲିସି ବିଭାଗକୁ ସୁଦୃଢ କରିବାକୁ ଉଦ୍ୟମ କରିବେ । ପୂର୍ବରୁ ଭୁବନେଶ୍ୱର-କଟକ ପୋଲିସ କମିଶନର ଦାୟିତ୍ୱ ତୁଲାଇସାରିଛନ୍ତି ଆର.ପି ଶର୍ମା । ରାଜସ୍ଥାନରେ ଜନ୍ମିତ ଏହି ପୋଲିସ ଅଧିକାରୀ ପୂର୍ବରୁ ଏନଏସଜିର ଆଇଜି ପଦ ବି ସମ୍ଭାଳିଛନ୍ତି । ଏପରିକି ସେହି ସମୟରେ ତାଙ୍କୁ ରାଷ୍ଟ୍ରପତି ପୋଲିସ ମେଡାଲ ବି ମିଳିଥିଲା ।

ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ୨୦୨୦ ମେ ଯାଏଁ କାର୍ଯ୍ୟକାଳ ରହିଛି । ଚର୍ଚ୍ଚା ହେଉଛି, ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଶର୍ମାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି ଓ ଏଥିପାଇଁ ତାଙ୍କୁ ପର୍ଯ୍ୟାପ୍ତ ସମୟ ଦିଆଯାଇଛି । ତଥାପି ନୂଆ ଦାୟିତ୍ୱ ତାଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ । ଆଇନଶୃଙ୍ଖଳା ରକ୍ଷା ତାଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ । ରାଜ୍ୟ ପୋଲିସ ମୁଖ୍ୟାଳୟରେ ସେ ଦିନ ସାଢେ ଏଗାରଟାରେ ଦାୟିତ୍ୱ ଗ୍ରହଣ କରିବେ ।

ବୈଠକ ଭିତରେ ବଦଳି । ସମ୍ବଲପୁରରେ ମାଓ ଦମନ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଥିବା ବେଳେ ଅଚାନକ ବଦଳିଛନ୍ତି ପୋଲିସ ଡିଜି । ରାଜ୍ୟ ପୋଲିସ ଡିଜି ପଦରୁ ହଟାଇ, ଦିଆଯାଇଛି ଓଏସଆରିଟିସି ସିଏମଡି ଦାୟିତ୍ୱ । ତେବେ ପ୍ରଶ୍ନ ଉଠୁଛି କାହିଁକି ବଦଳିଲେ କେବି ସିଂ । କଣ ପାଇଁ ତାଙ୍କୁ ଡିଜିପି ପଦରୁ ହଟାଇଦେଲେ ସରକାର । କେବି ସିଂଙ୍କ ଉପରେ ଭରସା ରଖିପାରିଲେନି କି ସରକାର । କେବି ସିଂଙ୍କ କାମରେ ଅସନ୍ତୁଷ୍ଟ ଥିଲେ କି ସରକାର । ତାଙ୍କ ବାବଦରେ ସରକାରଙ୍କୁ କିଛି ଗୁପ୍ତ ତଥ୍ୟ ମିଳିଥିଲା କି । ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ କାହିଁକି ତାଙ୍କୁ ବଦଳାଗଲା ।