ତେଲେଙ୍ଗାନା ଓ ରାଜସ୍ଥାନ ବିଧାନସଭା ପାଇଁ ଆରମ୍ଭ ହେଲା ମତଦାନ ! ବସୁନ୍ଧରା ଓ କେସିଆରଙ୍କ ପାଇଁ ଅଗ୍ନିପରୀକ୍ଷା

70

କନକ ବ୍ୟୁରୋ : ତେଲେଙ୍ଗାନା ଓ ରାଜସ୍ଥାନ ବିଧାନସଭା ପାଇଁ ଭୋଟ୍ ଗ୍ରହଣ ଗ୍ରହଣ ଆରମ୍ଭ ହୋଇଛି । । ଏଥିପାଇଁ ଉଭୟ ରାଜ୍ୟରେ ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତେଲେଙ୍ଗାନାରେ ୭ଟା ଏବଂ ରାଜସ୍ଥାନରେ ସକାଳ ୮ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । ରାଜସ୍ଥାନରେ ମୋଟ୍ ୪କୋଟି ୭୪ଲକ୍ଷ ଭୋଟରଙ୍କ ପାଇଁ ୫୨ହଜାର ବୁଥରେ ମତଦାନ ବ୍ୟବସ୍ଥା କରାଯାଇଛି ।

ରାଜସ୍ଥାନର ୧୯୯ଟି ବିଧାନସଭା ଆସନ ପାଇଁ ଏଥର ନିର୍ବାଚନରେ ୨ହଜାର ୨୭୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱ୍ୱିତା କରୁଛନ୍ତି । ସେହିଭଳି ତେଲେଙ୍ଗାନାର ୧୧୯ଟି ବିଧାନସଭା ଆସନ ପାଇଁ ୭ଟାରୁ ୫ଟା ଯାଏଁ ମତଦାନ ଚାଲିଛି । ରାଜ୍ୟରେ ଶାସନ କ୍ଷମତାରେ ଥିବା ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱଧୀନ ତେଲେଙ୍ଗା ରାଷ୍ଟ୍ରୀୟ ସମିତି, ଟିଆରଏସକୁ କଡା ଟକ୍କର ଦେଉଛି କଂଗ୍ରେସ-ତେଲଗୁ ଦେଶମ ପାର୍ଟି ମେଂଟ । ଏହି ଦୁଇ ରାଜ୍ୟ ସହ ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ମିଜୋରାମ୍ରେ ବିଧାନସଭା ନିର୍ବାଚନର ଭୋଟଗଣତି ଡିସେମ୍ବର ୧୧ ତାରିଖରେ ପ୍ରକାଶ ପାଇବ । ପୂର୍ବରୁ ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ମିଜୋରାମ୍ରେ ଭୋଟିଂ ଶେଷ ହୋଇଛି।

ରାଜସ୍ଥାନ ନିର୍ବାଚନ ଉଭୟ ବିଜେପି ଓ କଂଗ୍ରେସ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ରାଜ୍ୟରେ ନରେନ୍ଦ୍ର ମୋଦି ଓ ରାହୁଲ ଗାନ୍ଧି ମାରାଥନ ପ୍ରଚାର କରିଥିଲେ । ଗତ ୫ ବର୍ଷ ହେଲା ଏଠାରେ ବିଜେପି ଶାସନ କ୍ଷମତାରେ ରହିଥିବାବେଳେ କଂଗ୍ରେସ କ୍ଷମତାକୁ ଆସିବାକୁ ଜୋରଦାର ପ୍ରୟାସ ଚଳାଇଛି । ଏହି ନିର୍ବାଚନ ବସୁନ୍ଧରା ରାଜେଙ୍କ ପାଇଁ ଏସିଡ ଟେଷ୍ଟ ବୋଲି କୁହାଯାଇଛି । ରାଜସ୍ଥାନରେ ବିଜେପି ୨୨୩ ସଭା କରିଥିବାବେଳେ ୧୫ ରୋଡ ଶୋ କରିଥିଲା । ତେବେ ବିଭିନ୍ନ ସର୍ଭେରେ ରାଜ୍ୟରେ କଂଗ୍ରେସ କ୍ଷମତାକୁ ଫେରିବ ବୋଲି ଅନୁମାନ କରାଯାଇଛି ।

ତେଲେଙ୍ଗାନାରେ ମୋଟ ୧୧୯ ବିଧାନସଭା ଆସନରେ ଟିଆରଏସ ଏବଂ କଂଗ୍ରେସ-ଟିଡିପି ମଧ୍ୟରେ କଡା ଟକ୍କର ହେଉଛି । ବିଭିନ୍ନ ସର୍ଭେରେ ମଧ୍ୟ ଟିଆରଏସକ ଏହି ମେଂଟ କଡା ଟକ୍କର ଦେଇଥିବା କୁହାଯାଉଛି ।