ଦିନରେ ଭୋଟିଂ ହେବାପରେ ରାସ୍ତାରେ ପଡିଥିଲା ଇଭିଏମ ମେସିନ । ଖବର ପାଇ ମେସିନ ଉଦ୍ଧାର କଲା ପୋଲିସ

ରାସ୍ତାରେ ପଡିଲା ଇଭିଏମ ମେସିନ

137

କନକ ବ୍ୟୁରୋ : ରାଜସ୍ଥାନରେ ଗତକାଲି ବିଧାନସଭା ନିର୍ବାଚନ ସରିଛି । କେବଳ ରାଜସ୍ଥାନରେ ନୁହେଁ ବରଂ ଦେଶର ୫ ରାଜ୍ୟରେ ଗତକାଲି ନିର୍ବାଚନ ଶେଷ ହୋଇଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ନିର୍ବାଚନ ସମୟରେ ବାରାଂ ଜିଲ୍ଲାରେ ରସ୍ତା ଉପରେ ଏକ ଇଭିଏମ ମେସିନ ପଡିରହିଥିଲା । ରାସ୍ତାରେ ଇଭିଏମ ପଡିବା ଘଟଣା ଜଣାପଡିବା ପରେ ବିବାଦ ଦେଖାଯାଇଥିଲା । କାରଣ ବିଧାନସଭା ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ହେଲେ ଏପରି ସମୟରେ କିପରି ଭାବରେ ଇଭିଏମ ରାସ୍ତା ଉପରେ ପଡିଲା ତାହାକୁ ନେଇ ପ୍ରଶ୍ନ ଉଠିଛି । ଏ ସମ୍ପର୍କରେ ସ୍ଥାନୀୟ ପୋଲିସ ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ଇଭିଏମ ମେସିନକୁ ଉଦ୍ଧାର କରିଥିଲା ।

 

କେଉଁ ପରିସ୍ଥିତିରେ ଓ କିଏ ଏହି ମେସିନକୁ ରସ୍ତା ଉପରେ ପକାଇଲା ଏହି ସମସ୍ତ ଘଟଣାର ତଦନ୍ତ ହେବ ବୋଲି ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଗତକାଲି ଦିନବେଳା ଏହି ମେସିନ ଭୋଟିଂ କାମରେ ବ୍ୟବହାର ହୋଇଥିଲା । କିନ୍ତୁ ପରେ କିପରି ଭାବରେ ଏହା ରାସ୍ତା ଉପରେ ପଡିଲା ତାହା ସମସ୍ତଙ୍କୁ ଚକିତ କରିଛି ।

 

ଏହି ଘଟଣାପରେ ସୁରକ୍ଷା ବ୍ୟବସ୍ଥା ଉପରେ ବଡ ପ୍ରଶ୍ନ ଉଠିଛି । କାରଣ ନିର୍ବାଚନ ସମୟରେ ଇଭିଏମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ପ୍ରସଙ୍ଗ । ତେଣୁ ଏହି ଘଟଣାରେ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବୀ ହୋଇଛି । ସେପଟେ ୭୨.୬୨ ପ୍ରତିଶତ ମତଦାନ ରାଜସ୍ଥାନରେ ହୋଇଥିବା ସୂଚନା ମିଳିଛି ।