୮ ବର୍ଷ ହେଲା ମନ୍ଦିରରେ ଠାକୁରଙ୍କ ସେବା କରୁଛି ମାଙ୍କଡ ! ସାକ୍ଷାତ ଭଗବାନଙ୍କ ରୂପ ରାମୁ ବୋଲି କହୁଛନ୍ତି ସ୍ଥାନୀୟ ଲୋକ

୮ ବର୍ଷ ହେଲା ମନ୍ଦିରରେ ଠାକୁରଙ୍କ ସେବା କରୁଛି ମାଙ୍କଡ

178

କନକ ବ୍ୟୁରୋ : ହିନ୍ଦୁ ଧର୍ମରେ କୋଟି କୋଟି ଦେବତା ରହିଥିବା କଥା ସାଧାରଣ ଭାବରେ କୁହାଯାଇଥାଏ । କାରଣ ହିନ୍ଦୁମାନେ ପ୍ରତ୍ୟେକ ମାସରେ ଉପାସବ୍ରତ କରନ୍ତି । କେବଳ ଏତିକି ନୁହେଁ ବରଂ ହିନ୍ଦୁମାନେ ପ୍ରତ୍ୟେକ ଦିନ କହିବାକୁ ଗଲେ ନିଜ ନିଜର ଇଷ୍ଟ ଦେବତାଙ୍କୁ ଦର୍ଶନ କରିବାକୁ ମନ୍ଦିର ଯାଆନ୍ତି । ତେବେ ବିଭିନ୍ନ ପ୍ରକାର ଭକ୍ତ ବିଭିନ୍ନ ଠାକୁରଙ୍କୁ ନିଜର ଇଷ୍ଟ ଦେବତା ଭାବରେ ପୂଜାର୍ଚ୍ଚନା କରନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ ରାଜସ୍ଥାନର ବଜରଙ୍ଗଠାରେ ଥିବା ଏକ ହନୁମାନ ମନ୍ଦିରରେ ଏକ ଅଭାବନୀୟ ଚିତ୍ର ଦେଖିବା ପାଇଁ ମିଳିଛି ।

କାରଣ ସେଠାରେ ଥିବା ହନୁମାନ ମନ୍ଦିରରେ କୌଣସି ମଣିଷ ଭଗବାନଙ୍କ ପୂଜାର୍ଚ୍ଚନା କରୁନଥିବା ଜଣାପଡିଛି । ପ୍ରତ୍ୟେକ ଦିନ ସେଠାରେ ଠାକୁରଙ୍କ ନୀତି ଏକ ମାଙ୍କଡ କରୁଛି ଯାହାକୁ ନେଇ ବେଶ ଚର୍ଚ୍ଚା ମଧ୍ୟ ହେଉଛି । ତାହାର ନାମ ରାମୁ ବୋଲି ସ୍ଥାନୀୟ ଲୋକମାନେ କହୁଛନ୍ତି । ଏହାସହ ବିଗତ ୮ ବର୍ଷ ହେବ ସେଠାରେ ସେହି ମାଙ୍କଡଟି ଠାକୁରଙ୍କ ପୂଜା କରୁଛି । ସେହି ସ୍ଥାନରେ ହିଁ ତାହାର ସମସ୍ତ କାମ । ଖାଇବାଠାରୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ ସବୁ ସେହିଠାରେ ହିଁ କରୁଛି । ତେଣୁ ଲୋକମାନେ ତାକୁ ସାକ୍ଷାତ ବଜରଙ୍ଗବାଲି ବୋଲି କହୁଛନ୍ତି ।

ସେଠାରେ ପୂଜା ପାଉଥିବା ହନୁମାନଙ୍କ ମୁହଁ ଖୋଲାରହିଛି । ତେଣୁ ଭକ୍ତିରେ ଲୋକମାନେ କହନ୍ତି ଯେ, ଶ୍ରଦ୍ଧାଳୁମାନେ ଠାକୁରଙ୍କ ଉଦ୍ଦେଶ୍ୟରେ ଯାହା ବି ଦିଅନ୍ତି ତାହାକୁ ଭଗବାନ ସିଧାସଳଖ ଗ୍ରହଣ କରନ୍ତି । ଯେଉଁ ସମୟରେ ହନୁମାନ ଚାଲିଶା ବୋଲାଯାଏ ସେହି ସମୟରେ ରାମୁ ପୂରା ଚୁପଚାପ ହୋଇ ବସିଥାଏ । କେବଳ ସେତିକି ନୁହେଁ ବରଂ ଆଳତୀ ସମୟରେ ଘଣ୍ଟି ମଧ୍ୟ ବଜାଏ ରାମୁ । ଭଜନ ପରିବେଷଣ ସମୟରେ ନାଚିଥାଏ ରାମୁ । ମନ୍ଦିରକୁ ଆସୁଥିବା ଲୋକମାନଙ୍କୁ ମଧ୍ୟ ସେ ନିଜ ହାତରେ ବାହାରକୁ ଆସି ଆଶୀର୍ବାଦ ଦେଇଥାଏ ।

ଓମକାର ସିଂହ ଏହି ମନ୍ଦିରର ଜଗାରଖା କରନ୍ତି । ଓମକାର କହିଛନ୍ତି ଯେ, ୮ ବର୍ଷ ପୂର୍ବେ ରାମୁ ଏହି ମନ୍ଦିରକୁ ଆସିଥିଲା । ସେହି ସମୟଠାରୁ ହିଁ ରାମୁ ମନ୍ଦିରରେ ରହୁଛି । ସେ ମନ୍ଦିରକୁ ଆସିବା ପରଠାରୁ ହିଁ ଠାକୁରଙ୍କ କାମରେ ଲାଗିଛି । ମନ୍ଦିରକୁ ଆସୁଥିବା ଭକ୍ତମାନେ ମଧ୍ୟ ତାକୁ ଭଗବାନ ବୋଲି ଭାବନ୍ତି ତେବେ ଅନ୍ୟ କେଉଁଠାରେ ଏପରି ଦେଖାଯାଉନଥିବା ସେ କହିଛନ୍ତି ।