ଭାଇଜାନଙ୍କୁ ମିଳିଲା ରାଜସ୍ଥାନ ହାଇକୋର୍ଟରୁ ଆଶ୍ୱସ୍ତି, ବିବାଦୀୟ ବୟାନ ଦେଇ ଫସିଥିଲେ ସଲମାନ

42

ବଲିଉଡର ଦବଙ୍ଗ ଖାନ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ତେବେ ପୂର୍ବରୁ ସଲମାନ ତାଙ୍କ ଶେଷ ଫିଲ୍ମର ପ୍ରମୋଶନ ପାଇଁ ଏକ ସାକ୍ଷାତକାରରେ ବିବାଦୀୟ ଶଦ୍ଦ ବ୍ୟବହାର କରିଥିବାରୁ ରାଜସ୍ଥାନ କୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା । ତେବେ ଏହି ବିବାଦକୁ ରାଜସ୍ଥାନ ହାଇକୋର୍ଟ ସୋମବାର ଦିନ ରୋକ ଲଗାଇ ସଲମାନଙ୍କୁ଼ ଆଶ୍ୱସ୍ତି ଦେଇଛନ୍ତି ।

ଅଭିଯୋଗ କ୍ରମେ ବାଲ୍ମିକୀ ସମୁଦାୟ ଉପରେ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ ବୋଲି ସଲମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ତେବେ କୋର୍ଟ ଏହି ମାମଲାର ପୁଲିସ ଯାଂଚ ଉପରେ ରୋକ ଲଗାଇଦେଇଛି । ତାଙ୍କ ନିଜ ଫିଲ୍ମର ପ୍ରମୋଶନ ପାଇଁ ସଲମାନ ଏକ ସାକ୍ଷାତକାରରେ ଏହି ସମୁଦାୟ ଉପରେ ଟିପ୍ପଣୀ ଦେଇଥିଲେ । ଯାହାକୁ ନେଇ ୨୨ ଫେବୃୟାରୀ ଦିଲ୍ଲୀ କୋର୍ଟରେ ଏକ ପିଟିସନ ଦାୟର କରାଯାଇଥିଲା, ଯେଉଁଥିରେ ସଲମାନ ଖାନଙ୍କ ସମେତ କ୍ୟାଟରୀନା କୈଫ ଓ ଶିଳ୍ପା ସେଟ୍ଟୀଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ପାଇଁ ଦାବି କରାଯାଇଥିଲା ।

ଦିଲ୍ଲୀ କର୍ମଚାରୀ ଆୟୋଗର ଅଧ୍ୟକ୍ଷ ହରନାମ ସିଂ ଏହାର ଅଭିଯୋଗ କରିବା ସହିତ କ୍ୟାଟ୍ରିନା କୈଫଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଆଣିଥିଲେ । ତାଙ୍କ କହିବାନୁସାରେ, ଆପତ୍ତିଜନକ ଟିପ୍ପଣୀ ବିରୋଧରେ କହିବା ପରିବର୍ତ୍ତେ କ୍ୟାଟ୍ରିନା ତାଙ୍କ ଆଚରଣରେ ଏହି ସମୁଦାୟକୁ ଆଘାତ ପହଂଚାଇବାରେ ସଲମାନଙ୍କୁ ସହଯୋଗ କରିଥିଲେ ।
ଭାଇଜାନ ତାଙ୍କ ଶେଷ ଫିଲ୍ମର ପ୍ରମୋଶନ ସମୟରେ ‘ଭଙ୍ଗୀ’ର ଶଦ୍ଦ ପ୍ରୟୋଗ କରିଥିଲେ । ଅଭିନେତ୍ରୀ ଶିଳ୍ପା ମଧ୍ୟ ଏହି ଶଦ୍ଦର ବ୍ୟବହାର କରି କହିଥିଲେ କି ସେ ଘରେ କେମିତି ଦେଖାଯାଆନ୍ତି ।