୫ଟି ରାଜ୍ୟରେ ବିଧାନସଭା ନିର୍ବାଚନକୁ ନେଇ ସରଗରମ ରାଜନୀତି : ରାଜସ୍ଥାନରେ ବ୍ରାହ୍ମଣ କାର୍ଡ ଖେଳିଲେ ବସୁନ୍ଧରା ରାଜେ

153

କନକ ବ୍ୟୁରୋ : ମଧ୍ୟପ୍ରଦେଶ ନିର୍ବାଚନୀ ପ୍ରଚାର ଶେଷ ହେବା ପରେ ଏବେ ନଜର ରାଜସ୍ଥାନ ଓ ତେଲେଙ୍ଗାନା ଉପରେ । ଆସନ୍ତା ଡିସେମ୍ବର ୭ ତାରିଖରେ ରାଜସ୍ଥାନ ବିଧାନସଭା ନିର୍ବାଚନ । ତା ପୂର୍ବରୁ ଆଜି ରାଜସ୍ଥାନ ବିଜେପି ଜାରି କରିଛି ନିର୍ବାଚନୀ ଇସ୍ତାହାର । ରାଜସ୍ଥାନରେ ବିଜେପି ଭଗବାନ ପର୍ଶୁରାମ ବୋର୍ଡ ଗଠନ କରିବା ପାଇଁ ଘୋଷଣା କରିଛି । ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କ ଉପସ୍ଥିତିରେ ଦଳ ଘୋଷଣାଣାପତ୍ର ଜାରି କରିଛି । ତେବେ ଏଥର ବିଜେପି ଚାଷୀଙ୍କୁ ଅଧିକ ଗୁରୁତ୍ୱ ଦେଇଛି । ୨୫୦ କୋଟି ଚାଷୀଙ୍କ ପାଇଁ ଗ୍ରାମୀଣ ଷ୍ଟାର୍ଟ ଅପ୍ ଫଣ୍ଡ ଗଠନ କରାଯିବ, ତା ସହ ଚାଷୀଙ୍କ ପାଇଁ ଋଣ ରିହାତି ଆୟୋଗ, ପ୍ରତିଟି ଜିଲ୍ଲାରେ ଯୋଗଭବନ ପ୍ରତିଷ୍ଠା କରାଯିବ ।

ତା ସହ ଶିକ୍ଷିତ ବେରୋଜଗାରଙ୍କୁ ୫ହଜାର ବେରାଜଗାରୀ ଭତ୍ତା ଦିଆଯିବ । ପ୍ରତିବର୍ଷ ୩୦ ହଜାର ସରକାରୀ ଚାକିରି ନିଯୁକ୍ତି ସୃଷ୍ଟି କରାଯିବା ନେଇ ଘୋଷଣାପତ୍ରରେ ଜାରି ହୋଇଛି । ତେବେ ଏହି ସମୟରେ ବସୁନ୍ଧରା ସରକାର ନିଜ ପାଂଚ ବର୍ଷ କାର୍ଯ୍ୟକାଳ ଭିତରେ କରିଥିବା ବିିଭିନ୍ନ ଲୋକାଭିମୁଖୀ କାମ ଲୋକଙ୍କ ଆଗରେ ରଖିଛନ୍ତି । ପୂର୍ବ ନିର୍ବାଚନ ସମୟରେ ଦଳ ୬୬୫ ଟି ପ୍ରତିଶ୍ରୁତି ଦେଇଥିବାବେଳେ ସେଥିମଧ୍ୟରୁ ୬୩୦ଟି ପ୍ରତିଶ୍ରୁତି ପୁରଣ ହୋଇଥିବା ବସୁନ୍ଧରା ରାଜେ ସିନ୍ଧିଆ କହିଛନ୍ତି । ଆସନ୍ତାକାଲି କଂଗ୍ରେସ ନିର୍ବାଚନୀ ଘୋଷଣାପତ୍ର ଜାରି କରିପାରେ ।

ସେପଟେ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରଣରେ ନିର୍ବାଚନୀ ପ୍ରଚାର କରିବା ସହ ସେଠାରେ ଆୟୋଜିତ ନିର୍ବାଚନୀ ସଭାକୁ ମୋଦି ସମ୍ବୋଧିତ କରିଛନ୍ତି । କହିଛନ୍ତି ଯାହାର ବିକାଶରେ ବିଶ୍ୱାସ ଅଛି, ନୂଆ ଭାରତ ତିଆରି କରିବାରେ ଯାହାର ବିଶ୍ୱାସ ଅଛି,ଯାହ ନୂଆ ତେଲେଙ୍ଗାନା ଗଠନ କରିବାର ବିଶ୍ୱାସ ଅଛି,ସେମାନେ ଭାରତୀୟ ଜନତା ପାର୍ଟିକୁ ଆଗକୁ ନେଉଛନ୍ତି । ଦୀର୍ଘ ଦିନର ସଂଘର୍ଷ ଓ ଯୁବକମାନଙ୍କ ବଳିଦାନ ଯୋଗୁଁ ତେଲେଙ୍ଗାନା ରାଜ୍ୟ ଭାବେ ଉଭା ହୋଇଛି । ହେଲେ ରାଜ୍ୟ ସରକାର ସେମାନଙ୍କ ବଳିଦାନକୁ ଶେଷ କରିଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କୁ ଟାର୍ଗେଟ କରି ମୋଦି କହିଛନ୍ତି ରାଓ ମଧ୍ୟ କଂଗ୍ରେସ ରାସ୍ତାରେ । କଂଗ୍ରେସ ଯେମିତି କୌଣସି କାମ ନକରି ନିର୍ବାଚନ ଜିତୁଥିଲା ଠିକ୍ ସେହିପରି ନିର୍ବାଚନ ଜିତିବା ଲକ୍ଷ୍ୟରେ ଅଛନ୍ତି ଚନ୍ଦ୍ରଶେଖର ରାଓ । ସାଢେ ୪ବର୍ଷ ଶାସନରେ ରାଜ୍ୟସରକାର କିଛି କରିନାହାନ୍ତି ବରଂ ରାଜ୍ୟକୁ ବରବାଦ କରିଦେଇଛନ୍ତି ବୋଲି ମୋଦି କହିଛନ୍ତି । ୧୧୯ ବିଧାନସଭା ଆସନ ପାଇଁ ଆସନ୍ତା ଡିସେମ୍ବର ୭ରେ ଭୋଟିଂ ହେବ ଏବଂ ୧୧ରେ ଫଳାଫଳ ଆସିବ ।