ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡର ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ସସପେନ୍ସ ଜାରି ! ରାହୁଲଙ୍କ ଦରବାରରେ ଚୂଡାନ୍ତ ହେବ ନିଷ୍ପତି

ଆଜି ପର୍ଯ୍ୟବେକ୍ଷକଙ୍କ ସହ ବୈଠକ !

88

କନକ ବ୍ୟୁରୋ : ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ସସପେନ୍ସ ଜାରି ରହିଛି । ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ କିଏ ହେବ କଂଗ୍ରେସର ମୁଖ୍ୟମନ୍ତ୍ରୀ ତାକୁ ନେଇ ଦ୍ୱନ୍ଦ୍ୱ ଦେଖା ଦେଇଛି । ରାଜସ୍ଥାନରେ ଦୁଇ ଆଶାୟୀ । ଜଣେ ଦଳର ବରିଷ୍ଠ ନେତା ଅଶୋକ ଗହଲୋତ, ଆଉ ଜଣେ ଯୁବ ଚେହେରା ସଚିନ ପାଇଲଟ୍ । ଉଭୟ ନେତାଙ୍କ ସମର୍ଥକମାନେ ନିଜ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରୁଛନ୍ତି । ଏପରି ସ୍ଥିତି କଂଗ୍ରେସ ହାଇକମାଣ୍ଡ ୨ ନେତାଙ୍କୁ ଦିଲ୍ଲୀ ଡକାଇଛନ୍ତି ।

ମଧ୍ୟପ୍ରଦେଶରେ ବି ସମାନ ସ୍ଥିତି । କମଲନାଥ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆ ମୁଖ୍ୟମନ୍ତ୍ରୀ ଦୌଡ଼ରେ । ଉଭୟ ନେତାଙ୍କ ସମକ୍ଷରେ ଆସୁଛି ନେତା ଓ କର୍ମୀଙ୍କ ଯୁକ୍ତି । ବିଧାୟକ ଦଳ ବୈଠକରେ ଚୂଡାନ୍ତ ନିଷ୍ପତି ହାଇକମାଣ୍ଡ ନେବେ ବୋଲି ସମ୍ମତି ପ୍ରକାଶ ପାଇଛି । ଛତିଶଗଡରେ ଦୀର୍ଘ ୧୫ବର୍ଷ ପରେ କ୍ଷମତାକୁ କଂଗ୍ରେସ ଫେରୁଥିବା ବେଳେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା । ଏନେଇ କଂଗ୍ରେସ ଲେଜିିସଲେଚର ପାର୍ଟିର ବୈଠକ ବସିଛି । ତେବେ ମୁଖ୍ୟମନ୍ତ୍ରୀ କିଏ ହେବ ତାହାର ନିଷ୍ପତି ହାଇକମାଣ୍ଡ ନେବେ ବୋଲି ନିଷ୍ପତି ନିଆ ଯାଇଛି ।

ରାଜସ୍ଥାନରେ କଂଗ୍ରେସକୁ ବହୁମତ ମିଳିବା ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା । କାଲି ବସିଥିବା କଂଗ୍ରେସ ବିଧାୟକ ଦଳ ବୈଠକରେ ବିଧାୟକମାନେ ସେମାନଙ୍କର ନେତା ଚୟନ କରି ଲିଖିତ ରାୟ ପ୍ରଦାନ କରିଛନ୍ତି । ତେବେ କଂଗ୍ରେସ ବିଧାୟକ ଦଳ ବୈଠକରେ ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ପଦ ପାଇଁ ନିଷ୍ପତି ନେବେ ବୋଲି ଏକ ଧାଡିକିଆ ପ୍ରସ୍ତାବ ଆଣିଥିଲେ ଅଶୋକ ଗେହଲୋତ । ହାଇକମାଣ୍ଡ ଦଳର ଅନ୍ୟ ବରିଷ୍ଠ ନେତାଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀ ବାଛିବେ ବୋଲି ଜଣାପଡିଛି । କିଏ ମୁଖ୍ୟମନ୍ତ୍ରୀ ହେବ ତାହା ଆଜି ଘୋଷଣା ହେବାର ସୂଚନା ମିଳିଛି । ଆଜି ମୁଖ୍ୟମନ୍ତ୍ରୀ ସମ୍ପର୍କରେ ଘୋଷଣା କରିବାକୁ ସଂପକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ।