ପଦ୍ମ ଦଳର ଓଡିଶା ଦଖଲ ପ୍ଲାନ ! ୨୦୧୯ ଯୁଦ୍ଧ ପାଇଁ ସାରଥୀ ସାଜି ଆସୁଛନ୍ତି ବିଜେପିର ହେଭିୱେଟ୍, ୧୭ରେ ରାଜନାଥ ଓ ୨୦ରେ ଆଦିତ୍ୟନାଥ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର

286

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ସେତିକି ବଢୁଛି । ଦୁଇ ପ୍ରମୁଖ ଜାତୀୟ ଦଳର ଫୋକସରେ ଏବେ ଓଡିଶା । ଜନତାଙ୍କ ନିକଟତର ହେବା ସହ ଓଡିଶା ଦଖଲ ପାଇଁ ଚାଲିଛି ଅଙ୍କକଷା । ଏହାରି ମଧ୍ୟରେ ପୂର୍ବଭାରତକୁ ଦଖଲ କରିବା ଲକ୍ଷ୍ୟରେ ବିଜେପି ଆରମ୍ଭ କରିବ ପ୍ରଚାର । ଖାସକରି ଦଳର ଫାୟାରବ୍ରିଗେଡ ନେତା ଯୋଗୀ ଆଦିତ୍ୟନାଥ ଓ ରାଜନାଥଙ୍କ ଭଳି ହେଭିୱେଟଙ୍କୁ ପ୍ରଚାର ମୈଦାନକୁ ଓହ୍ଲାଇ ଭୋଟ ହାତେଇବାକୁ ଲକ୍ଷ୍ୟ ରଖିଛି ଦଳ । ଆଉ ଏହି କ୍ରମରେ ଆସନ୍ତା ୧୭ ଓ ୨୦ରେ ଯଥାକ୍ରମେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଚାର ମୈଦାନକୁ ଓହ୍ଲାଇବାକୁ ସ୍ଥିର କରିଛି ଗେରୁଆ କ୍ୟାମ୍ପ ।

ଆସନ୍ତା ୧୭ ତାରିଖରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓଡିଶା ଗସ୍ତରେ ଆସି ଭଦ୍ରକରେ ସମାବେଶ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଯୋଗୀ ଆଦିତ୍ୟନାଥ ୨୦ ତାରିଖରେ ଭବାନୀପାଟଣା ଓ ଚିଲିକାରେ ୨୦୧୯ ପାଇଁ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର । ଏନେଇ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି । ମୋଦିଙ୍କ ଗସ୍ତ ପରେ ଶୀଥଳ ପଡି ଯାଇଥିଲା ଗେରୁଆ କ୍ୟାମ୍ପ । କିନ୍ତୁ ଲଗାତାର ୨ ଥର ଓଡିଶା ଗସ୍ତରେ ଆସି ବିଜେପି ଚାଣକ୍ୟ ଅମିତ ଶାହା ନିଜର ତତଲା ଭାଷଣରେ ଶୀଥଳ ପଡିଯାଇଥିବା ଗେରୁ ଆ କ୍ୟାମ୍ପରେ ଉଷୁମ ପାଣି ଛିଞ୍ଚିଛନ୍ତି । ଯାହା କର୍ମୀଙ୍କ ମନରେ ୨୦୧୯ ଯୁଦ୍ଧ ପାଇଁ ଜୋଶ ଭରିଦେଇଛି ।ଆଉ ଏଭଳି ସମୟରେ ବିଜେଡି ଶିବିରକୁ ତୀର ମାରି କ୍ଷତାକ୍ତ କରିବାକୁ ଓଡିଶା ଗସ୍ତରେ ଆସୁଛନ୍ତି ଯୋଗୀ ଆଦିତ୍ୟନାଥ ଓ ରାଜନାଥ ।

ଏ ସରକାର ବଦଳିବା ଦରକାର ନାରା ଦେଇ ୨୦୧୯ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ବିଜେପି । ଆଉ ଓଡିଶାରେ ଗେରୁଆ ବିଜୟ ରଥ ଗଡାଇବାକୁ ସାରଥୀ ସାଜି ଆସିବାକୁ ପ୍ରସ୍ତୁତ ହେଉଛନ୍ତି ଯୋଗୀ ଓ ରାଜନାଥଙ୍କ ଭଳି କେନ୍ଦ୍ରୀୟ ନେତା । ଏହାଛଡା କେନ୍ଦ୍ର ମନ୍ତ୍ରୀ ରାମକ୍ରିପାଲ ଯାଦବ, ମନୋଜ ସିଂହ୍ନା, ମନସୁଖ ମଣ୍ଡାୱାଲିଆ ପ୍ରମୁଖ ଓଡିଶା ଆସି ୧୪୭ ବିଧାନସଭା ଆସନରେ ସମାବେଶ କରିବା ସହ କର୍ମୀଙ୍କ କାନରେ ଫୁଙ୍କିବେ ନିର୍ବାଚନ ଜିତିବାର ମନ୍ତ୍ର ।

କେବଳ ଗେରୁଆ କ୍ୟାମ୍ପ ନୁହେଁ ନିର୍ବାଚନ ପ୍ରଚାରରେ ବିଜେପି ଓ ବିଜେଡିକୁ ଚେକ ଦେବା ପାଇଁ ରାହୁଲ ଗାନ୍ଧି ମଧ୍ୟ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । କିଛି ଦିନ ମଧ୍ୟ ଦୁଇ ଦୁଇଥର ଗସ୍ତରେ ଆସିଥିବା ରାହୁଲ ପୁଣିଥରେ ଏହି ମାସ ଶେଷ ସପ୍ତାହରେ କୋରାପୁଟ ଆସୁଛନ୍ତି । ନୂଆକରି କଂଗ୍ରେସର ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ପ୍ରିୟଙ୍କା ଗାନ୍ଧିଙ୍କୁ ମଧ୍ୟ ଓଡିଶା ଆଣିବା ପାଇଁ ଉଦ୍ୟମ ଚାଲିଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । ଆଉ ଏହା ହିଁ ସୂଚାଉଛି ପ୍ରଚାର ମୈଦାନରେ ରାଜ୍ୟର ୩ ପ୍ରମୁଖ ଦଳ ମଧ୍ୟରେ ହେବ ଜୋରଦାର ଲଢେଇ । ତେବେ ଜନତା କାହାକୁ ବିଜେତାର ସାର୍ଟିଫିକେଟ ଦେବେ ତାହା ନିର୍ବାଚନ ପରେ ସ୍ପଷ୍ଟ ହୋଇଯିବ ।