ଆଜି ରଜ ସଂକ୍ରାନ୍ତି : ପୁରପଲ୍ଲୀ ସବୁଠି ମଉଜମସ୍ତିର ମୁଡ୍

74

ଆଜି ପବିତ୍ର ରଜ ସଂକ୍ରାନ୍ତି । ତିନି ଦିନ ଧରି ରାଜ୍ୟର ପୁରପଲ୍ଲୀରେ ପାଳିତ ହେଉଥିବା ଏହି ଗଣ ପର୍ବର ଆଜି ଦ୍ୱିତୀୟ ଦିନ । ରଜକୁ ନେଇ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ । ବନ୍ଧୁବାନ୍ଧବରେ ଘରଦ୍ୱାର ପୁରି ଉଠିଛି । ଘରେ ଘରେ ଏବେ ପୋଡ ପିଠାର ମହକ । ପୋଡ ପିଠା, ନଡିଆ କୋରାଠୁ ଆରମ୍ଭ କରି ଜନ୍ତା ପିଠାର ମହକରେ ଫାଟି ପଡୁଛି ଗାଁ ଦାଣ୍ଡ । ରଜ ପାଳିବାକୁ ହାତରେ ମେହେନ୍ଦି, ଗୋଡରେ ଅଳତା ସହ ମୁଣ୍ଡରେ କୁଙ୍କୁମ ଲଗାଇ ସଜେଇ ହେଉଛନ୍ତି ଯୁବତୀ । ରଜକୁ ନେଇ ପିଲାଠୁ ବୁଢା ଯାଏଁ ସମସ୍ତେ ଲାଗିପଡିଛନ୍ତି । ରଜ ଦୋଳି ଖେଳ ବିନା ରଜ ଅଧୁରା । ବିଭିନ୍ନ ଦୋଳି ଖେଳରେ ଏବେ ସମସ୍ତେ ମସଗୁଲ । କେବଳ ସେତିକି ନୁହେଁ ଲୁଡୁ ସହ ତାସ୍ ଖେଳ ବି ଜମିଲାଣି । ହେଲେ ଏସବୁ ଭିତରେ ସବୁଠୁ ବେଶି ଚାହିଦାର ଜିନିଷ ହେଉଛି ରଜପାନ । କଥାରେ ଅଛି ରଜ ପାନ ବିନା ରଜର ମଜା ଫିକା । ଆଧୁନିକତାର ସ୍ପର୍ଶରେ ଏବେ ବି ଗାଁ ଗହଳିର ଲୋକମାନେ ରଜ ପର୍ବକୁ ଧୁମ୍ ଧାମ୍ ପାଳନ କରିଥାନ୍ତି ।