ଘରେ ବସି ଖାଇପାରିବେ ସ୍ପେଶାଲ ରଜ ପାନ ! ଗୋଟିଏ କ୍ଲିକରେ ଘରେ ପହଞ୍ଚିବ ବିଭିନ୍ନ ଫ୍ଲେଭରର ରଜ ପାନ

269

କନକ ବ୍ୟୁରୋ : ରଜରେ ପାନ ନାହିଁ ତ ରଜର ମଜା ନାହିଁ । ରଜ ଆସିଲେ ଆପଣାଛାଏଁ ପାଟି ଖୋଜିଥାଏ ପାନ । ଖାସକରି ରଜ ପାନର ସ୍ୱାଦ ଟିକିଏ ନିଆରା । ଏଥିପାଇଁ ଗାଁ ଗହଳିରେ ଏବେଠୁ ଆରମ୍ଭ ହେଲାଣି ପ୍ରସ୍ତୁ୍ତି । ତେବେ ଏସବୁ ଭିତରେ ରଜ ପାଇଁ ଏଥର ଅନଲାଇନରେ ବି ଭୁବନେଶ୍ୱର, କଟକରେ ମିଳୁଛି- ରଜ ପାନ । ସହିଦ ନଗର ବନାରସୀ ପାନ ଭଣ୍ଡାର ପକ୍ଷରୁ ଏଭଳି ସୁବିଧା ଯୋଗାଇ ଦିଆଯାଉଛି । ଦିଲଖୁସ୍ ପାନଠାରୁ ଆରମ୍ଭ କରି ବିଭିନ୍ନ ଫ୍ଲେଭରର ଡ୍ରାଇଫୁଟ୍ ପାନର ଚାହିଦା ବଢ଼ିଛି ।

ରଜ ପାଇଁ ପାନ । ଏ ପାନରେ ରହିଛି ସ୍ୱତନ୍ତ୍ରତା । ଆଇସ୍ ପାନଠାରୁ ଆରମ୍ଭ କରି ଲିଚି ଫ୍ଲେଭରର ପାନ । ଦବଙ୍ଗ ପାନଠାରୁ ଆରମ୍ଭ କରି ଦିଲବାହାର ପାନ । ଗତବର୍ଷ ଫାୟାର ପାନ ପାଇଁ ନାଁ କରିବା ପରେ ଏଥର ଅନଲାଇନରେ ପାନ ଯୋଗାଉଛି ସହିଦନଗର ବନାରସୀ ପାନ ଭଣ୍ଡାର । ୪ ଘଂଟା ଭିତରେ ଭୁବନେଶ୍ୱର କିମ୍ବା କଟକର ଯେକୌଣସି ସ୍ଥାନରେ ରଜ ପାନ ପହଂଚାଉଛି ବନାରସୀ ପାନ ଭଣ୍ଡାର । ଉପହାର ଆପରେ ନିର୍ଦ୍ଦିଷ୍ଟ ପାନ ଉପରେ କ୍ଲିକ୍ କରି ଅନଲାଇନ୍ ପେମେଣ୍ଟ କଲେ ଘରେ ପହଂଚିଯିବ ପାନ । ରଜ ପାଇଁ ଭଙ୍ଗାଯାଉଥିବା ସ୍ପେଶାଲ ପାନର ମୂଲ୍ୟ ୨୦ ଟଙ୍କାରୁ ଆରମ୍ଭ ହୋଇ ୧୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି ।

କେବଳ ବନାରସୀ ପାନ ଭଣ୍ଡାର ନୁହେଁ, ସିଆରପିର ଗୌରାଭାଇ ପାନ, ପମ୍ପ ହାଉସର ଟୁକୁନା ପାନ ଭଳି ଅନେକ ପାନ ଦୋକାନୀ ରଜ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରିଛନ୍ତି । ସ୍ୱତନ୍ତ୍ର ମଶଲା ଓ ଗିଲା ପାଇଁ ସିଆରପିର ଗୌରା ଭାଇ ପାନ ଦୋକାନୀ ଗ୍ରାହକଙ୍କ ମନ ଜିଣିପାରିବେ ବୋଲି କହିଛନ୍ତି । ଖାସ ରଜ ପାନ ପାଇଁ ସ୍ପେଶାଲ ମସଲା ରଖିଛନ୍ତି ଗୌରା ଭାଇ । ତାଙ୍କ ଦୋକାନରେ ମିଳୁଥିବା ପାନର ମୂଲ୍ୟ ୧୫ ଟଙ୍କାରୁ ଆରମ୍ଭ ହୋଇ ୭୫ ଟଙ୍କା ପର୍ଯ୍ୟନ୍ତ ରହିଛି ।