ରଜ ପାଇଁ ଚାଲିଛି ସଜବାଜ । ବାତ୍ୟାରେ ଉପୁଡିପଡିଛି ଗଛ, ‘ଫୋନି’ ପାଇଁ ଫିକା ପଡିବ ଦୋଳି ଖେଳ ।

461

କନକ ବ୍ୟୁରୋ : କୁଆଁରି ମନରେ ପୁଲକ ଭରି ଆସୁଛି ରଜ । ଆରମ୍ଭ ହୋଇଯାଇଛି ସଜବାଜ । ଉପକଣ୍ଠରୁ ସଂଚରି ଆସିବ ରଜ ଦୋଳି ଗୀତ । ମହକିବ ପୋଡ଼ ପିଠାର ବାସ୍ନା । କୃଷିଭିତ୍ତିକ ଏହି ପର୍ବରେ ସାଙ୍ଗ ସାଥୀଙ୍କ ଗହଣରେ କଟିବ ଦିନ । ପୁଚି, ଦଉଡ଼ି ଡିଆଁ, ଲୁଡୁପାଲି, ତାସ ଖେଳଠୁ ନେଇ କବାଡ଼ି ଖେଳର ଆସର ଜମିବ । ରଜସ୍ବାଳା ଧରିତ୍ରୀମାତା(ଭୂଦେବୀ)ଙ୍କୁ ପୂଜାର୍ଚନା ସହ ବିଶ୍ରାମ ନେବେ ‌ଧରିତ୍ରୀ ମା’ । ଏସବୁ ସତ୍ତ୍ବେ ଏଥର ବାତ୍ୟା ‘ଫନି’ରେ ଗଛ ଲୋଟି ପଡ଼ିଥିବାରୁ ରଜରେ ସବୁଠୁ ଆକର୍ଷଣ ସାଜୁଥିବା ଦୋଳି କୋଉଠି ବନ୍ଧାଯିବ, ସେନେଇ ଚିନ୍ତା ଘାରିଲାଣି ।

ସଜେଇ ହେଉଛି ସ୍ବସ୍ତି ବନ :
ବାତ୍ୟା ‘ଫନି’ରେ ଧ୍ବସ୍ତବିଧ୍ବସ୍ତ ହୋଇଯାଇଥିବା ଭୁବନେଶ୍ବର ଉପକଣ୍ଠ କଲ୍ୟାଣପୁର ଗ୍ରାମସ୍ଥିତ ସ୍ବସ୍ତି ବନ ରଜ ମହୋତ୍ସବ ପାଇଁ ସଜେଇ ହେଉଛି । ସ୍ବସ୍ତି ବନରେ ଥିବା ପ୍ରାୟ ୪ହଜାର ଗଛରୁ ଅନେକ ବାତ୍ୟାରେ ଭାଙ୍ଗି ଯିବା ସହ ଉପୁଡ଼ି ପଡ଼ିଥିଲା । ସେ ସବୁକୁ ସଫା କରିବା ଓ ସବୁଜିମା ଫେରାଇ ଆଣିବା ପାଇଁ ଏକ ସପ୍ତାହ ହେଲା କଲ୍ୟାଣପୁର ସାଂସ୍କୃତିକ ପରିଷଦର ସଦସ୍ୟ ଓ କର୍ମକର୍ତ୍ତାମାନେ ଲାଗି ପଡ଼ିଛନ୍ତି । ସେଠାରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ପ୍ରାଚୀନ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ଲାଗି ଚତୁର୍ଥ ବାର୍ଷିକ ରଜ ମହୋତ୍ସବ ଆୟୋଜନ କରାଯାଇଛି । ଆସନ୍ତା ୧୪ରୁ ୧୬ତାରିଖ ପର୍ଯ୍ୟନ୍ତ ଅନୁକୂଳ ଚନ୍ଦ୍ରଙ୍କ ଆଧ୍ୟତ୍ମିକ ପୀଠସ୍ଥଳୀ ସ୍ବସ୍ତି ବନରେ ତିନି ଦିନ ବ୍ୟାପୀ ମହୋତ୍ସବର ଆୟୋଜନ କରାଯାଇଛି । ବିଭିନ୍ନ ସ୍ଥାନରୁ ଆସି ମହିଳା ଓ ଯୁବତୀମାନେ ଏଥିରେ ଭାଗ ନେବେ । ଦୋଳି ଖେଳ, ପୁଚି, କବାଡି, ଅରଟ, ଦୌଡି ଡିଆଁ, ପଶା, ମିକି ମାଉସ, ମ୍ୟୁଜିକ୍ ଚେୟାର ପ୍ରତିଯୋଗିତା, ରଙ୍ଗିନ୍ ଝୋଟି, ସାଧାରଣ ଜ୍ଞାନ, ନୃତ୍ୟ, ଶଙ୍ଖ, ହୁଳହୁଳି, ସଂଗୀତ ଗାନ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଶେଷରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ।

ପାତ୍ରପଡ଼ାରେ ଏଥର ୧୫୦ ନୁହେଁ ୭୦ ଦୋଳି :
ରାଜଧାନୀ ଉପକଣ୍ଠ ପାତ୍ରପଡ଼ାସ୍ଥିତ ମହାରାଜା କ୍ରିକେଟ୍‌ ଆସୋସିଏସନ୍‌ ଖେଳ ପଡ଼ିଆରେ ଏଥର ଆଉ ଆଗ ଭଳି ଦୋଳି ଝୁଲିବ ନାହିଁ । ଜଙ୍ଗଲ ଘେରା ସିମୁରିଆ ଗଛରେ ଆଉ ଦୋଳି ଖେଳିବାର ମଜା ମିଳିବନି । ପୂର୍ବ ପରି ଆଉ ଏଠି ୧୫୦ ଦୋଳି ଝୁଲିବନି । ବାତ୍ୟା ‘ଫନି’ର କୋପରେ ସାଢ଼େ ୩ଶହରୁ ୪ଶହ ଗଛ ଉପୁଡ଼ି ପଡ଼ିଛି । ଯେଉଁ ଅଳ୍ପ କିଛି ଗଛ ରହିଯାଇଛି, ତାହା ଦୋଳି ବନ୍ଧା ହେବା ଅବସ୍ଥାରେ ନାହିଁ । ଦୋଳି ଟାଙ୍ଗିବାକୁ ସାହାରା ପାଲଟିଥିବା ଗଛ ଭାଙ୍ଗିଯିବା ପରେ ଏଥର ବଲ୍ଲା ବାନ୍ଧି ଦୋଳି କରିବାକୁ ଯୋଜନା ହୋଇଛି ବୋଲି ମହାରାଜା କ୍ରିକେଟ୍‌ ଆସୋସିଏସନ୍‌ ରଜ ମହୋତ୍ସବର ଉପସଭାପତି ରବୀନ୍ଦ୍ରନାଥ ସାହୁ କହିଛନ୍ତି । ଚଳିତ ବର୍ଷ ୧୫୦ ପରିବର୍ତେ ମାତ୍ର ୭୦ଟି ଦୋଳି ଝୁଲିବ । ୧୩ରେ ରଜ ସଜବାଜରୁ ଏଠାରେ ରଜ ମଉଜ ଆରମ୍ଭ ହୋଇଯିବ । ୫ ଦିନ ଧରି ଦୋଳି ଖେଳିବା ସହ ମୀନାବଜାର ବୁଲିବା, ରାମ‌ଦୋଳି ଖେଳିବାର ସୁଯୋଗ ମିଳିବ । ୪୦ଟି ଦୋକାନ ପଡ଼ିବ । ଏଥିସହ କୁଆଁରୀମାନଙ୍କୁ ଆକର୍ଷିତ କରିବା ପାଇଁ ଏଠାରେ ପୁଚି, ଝୋଟି, ହୁଳହୁଳି, ଶଙ୍ଖଫୁଙ୍କା, ମ୍ୟୁଜିକ୍‌ ଚେୟାର ଭଳି ପ୍ରତିଯୋଗିତା ଆୟୋଜିତ ହେବ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ । ଆହୁରି ଆକର୍ଷଣୀୟ ସାଜିବ ପୋଡ଼ପିଠା ଏବଂ ଏଠିକାର ପ୍ରସିଦ୍ଧ ରଜପାନ ।

୨ ପାନ୍ଥନିବାସରେ ରଜ ମଉଜ ବନ୍ଦ :
ଚଳିତ ବର୍ଷ ନିରାଡ଼ମ୍ବର ହେବ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)ର ରଜ ମଉଜ । ପ୍ରତିବର୍ଷ ୧୦ଟି ପାନ୍ଥ ନିବାସରେ ରଜ ପର୍ବକୁ ଖୁବ୍‌ ଆଡ଼ମ୍ବର ସହକାରେ ପାଳନ କରୁଥିବା ଓଟିଡିସି ଏଥର କେବଳ ୮ଟି ପାନ୍ଥ ନିବାସରେ ଏହି ପର୍ବ ପାଳନ ପାଇଁ ଯୋଜନା କରିଛି । ପର୍ଯ୍ୟଟକଙ୍କ ପସନ୍ଦର ସର୍ବାଗ୍ରେ ଥିବା ପୁରୀ ଓ କୋଣାର୍କରେ ଏଥର ରଜ ଉତ୍ସବ ପାଳନ କରାଯିବ ନାହିଁ । ବାତ୍ୟା ଫନିରେ ଏହି ଦୁଇ ପାନ୍ଥ ନିବାସରେ ବ୍ୟାପକ କ୍ଷତି ହୋଇଥିବାରୁ ଓଟିଡିସି ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ଚାନ୍ଦିପୁର, ଗୋପାଳପୁର, ସମ୍ବଲପୁର, ରାଉରକେଲା, ବରକୂଳ, ପାରାଦୀପ, କଟକ ସମେତ ଭୁବନେଶ୍ବରରେ ରଜ ମଉଜ ପାଳନ ହେବ । ଭୁବନେଶ୍ବର ପାନ୍ଥନିବାସ ପରିସରରେ ଫୁଲରେ ସୁସଜ୍ଜିତ ଗୋଟିଏ ବଡ଼ ଦୋଳି ସହ ମୋଟ୍‌ ୪ଟି ଦୋଳି ଝୁଲିବ । ରାଜଧାନୀର ଲୋକଙ୍କର ଆଖି ପାନ୍ଥନିବାସ ପିଠା ଉପରେ ରହୁଥିବାରୁ ଏଥର ବି ଅନୁରୂପ ବ୍ୟବସ୍ଥା ହୋଇଛି । ବାସ୍କେଟ୍‌ ପିଠା ସାଙ୍ଗକୁ ମଣ୍ଡା, ଆରିସା, କାକରା, ଚକୁଳି, ଚନ୍ଦ୍ରକଳା ଆଦି ପିଠା ଉପଲବ୍ଧ ହେବ । ବିଶେଷକରି ଝାଉଁକାଠରେ ପ୍ରସ୍ତୁତ ପୋଡ଼ପିଠା ପାଇଁ ଏଥର ୧୨ଟି ଚୁଲୀ ହୋଇଥିବା ବେଳେ ୨୦ରୁ ଅଧିକ ପିଠା କାରିଗର ନିୟୋଜିତ ହେବେ ।

ମଶାଲରୁ ମିରାକିଲ୍‌…
ମଶାଲ ଅନୁଷ୍ଠାନ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆସନ୍ତା ୧୫ ତାରିଖରେ ରଜ ମହୋତ୍ସବ ଅନୁଷ୍ଠିତ ହେବ । ଏହି ଅବସରରେ ରବୀନ୍ଦ୍ର ମଣ୍ଡପ ପରିସରରେ ଦୋଳି ଝୁଲିବା ସହ ଶ୍ରେଷ୍ଠ ଓଡ଼ିଆଣୀ, ପିଠା, ଝୋଟିଚିତା, ପୁଚି, ପଶାପାଲି, କାନ୍ଦଣାଗୀତ ପ୍ରତିଯୋଗିତା ଆୟୋଜିତ ହେବ । ସୁର ଭାଇବ୍ରେସନ୍‌ ପକ୍ଷରୁ ମଧ୍ୟ ରବୀନ୍ଦ୍ର ମଣ୍ଡପରେ ୧୩ ତାରିଖରେ ‘ସଜରେ ସଜରେ ରଜ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ମିରାକିଲ୍‌ ଅନୁଷ୍ଠାନ ପକ୍ଷରୁ ୧୪ ତାରିଖରେ ଭଂଜ କଳାମଣ୍ଡପରେ ‘ରଜ ସ୍ପେସାଲ୍‌’ ‌କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଝୋଟି, ପାନଭଙ୍ଗା, ରଜ କ୍ବିଜ୍‌, ପୁଚି, ‌ଶଙ୍ଖଫୁଙ୍କା, ରଜ ଖେଳ, ହୁଳହୁଳି, ମିସ୍‌ ଓଡ଼ିଶା, ଗୀତ, ନୃତ୍ୟ, ଚିତ୍ର ପ୍ରତିଯୋଗିତା ହେବ । ହରିହର ଆର୍ଟ ଆଣ୍ଡ୍‌ କଲ୍‌ଚରାଲ୍‌ ଏକାଡେମି ପକ୍ଷରୁ ୧୪ ତାରିଖରେ ଜୟଦେବ ଭବନରେ ଦିବ୍ୟାଙ୍ଗ କୁମାରୀମାନଙ୍କୁ ନେଇ ‘ରଜ ରାଣୀ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସକାଳ ୯ଟାରୁ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏଥିସହ ଧଉଳି ପାନ୍ଥନିବାସରେ ଓଡ଼ିଶା ଟୁରିଷ୍ଟ୍‌ ଗାଇଡ୍‌ ଆସୋସିଏସନ୍‌ ପକ୍ଷରୁ ରଜ ମଉଜ ଅନୁଷ୍ଠିତ ହେବ ।