ରଜ ପାଇଁ ସଜବାଜ! ମେହେନ୍ଦି ଅଳତା ଲଗାଇ ସଜେଇ ହେଉଛନ୍ତି ଝିଅ ବୋହୂ, ମିଠା ପାନ ଓ ପୋଡ ପିଠାରେ ମହକିଲା ଓଡିଶା

205

କନକ ବ୍ୟୁରୋ : ଓଡିଆ ସଂସ୍କୃତି ଓ ପରମ୍ପରାକୁ ନେଇ ପାଳିତ ହୁଏ ରଜ ପର୍ବ । ମୁଖ୍ୟତଃ ତିନି ଦିନ ଧରି ପାଳିତ ହୋଇଥିବା ଏହି ରଜ ପର୍ବ । ହେଲେ ଏହାର ଗୋଟିଏ ଦିନ ଆଗରୁ ସଜବାଜ ଓ ଭୂମିନଅଣ ପର ଦିନ ବସୁମାତା ଗାଧୁଆ ପର୍ବ ପାଳନ କରାଯାଏ । ରଜ ପର୍ବକୁ ପୁରପଲ୍ଲୀରେ ସମସ୍ତେ ଆନନ୍ଦ ଉଲ୍ଲାସରେ ପାଳନ କରିଥାନ୍ତି ।

ଓଡିଆ ପରମ୍ପରାର ବଡପର୍ବ ରଜ ପର୍ବ । ରାତି ପାହିଲେ ପହିଲି ରଜ । ସଜବାଜ ଓ ବସୁମାତା ଗାଧୁଆକୁ ମିଶାଇ ମୋଟ୍ ୫ ଦିନ ରଜ ପର୍ବ ପାଳନ କରାଯାଏ । ଆଜି ସଜବାଜ ହୋଇଥିବାରୁ ମାଆମାନେ ଚକିରେ ଚାଉଳ ଚୂରି ପୋଡପିଠା କରିବାରେ ବ୍ୟସ୍ତ । କୁନିକୁନି ପିଲାଙ୍କ ଠାରୁ ଆରମ୍ଭ କରି ଯୁବତୀ ସମସ୍ତେ ହାତରେ ମେହେନ୍ଦି ଓ ଗୋଡରେ ଅଳତା ଲଗାଇ ସଜବାଜ ହେଉଛନ୍ତି । ଆଉ ବାପା ଅଜାମାନେ ଝିଅଙ୍କ ପାଇଁ ଦୋଲି ବାନ୍ଧିବାରେ ବ୍ୟସ୍ତ ।

ରଜକୁ ନେଇ ଗାଁ ଗଣ୍ଡା ଆନନ୍ଦ ଉଲ୍ଲାସରେ ପୁରି ଉଠେ । ରଜରେ ଛୋଟ ପିଲା, ଯୁବକ ଯୁବତୀ ନୂଆ ଡ୍ରେସ ପିନ୍ଧି ପୋଡ ପିଠା ଖାଇ ଦୋଳି ଖେଳିଥାନ୍ତି । ଆଉ ପହିଲି ରଜ, ରଜ ସଂକ୍ରାନ୍ତି ଓ ଭୂମିନଅଣ ଦିନ ଘରର ଝିଅ ଓ ନୂଆ ବୋହୂ କିଛି କାମଧନ୍ଦା କରନ୍ତି ନାହିଁ । ରଜ ପାଳିବା ପାଇଁ ବିଦେଶରେ ଥିବା ଲୋକ ଘରକୁ ବାହୁଡିଥାନ୍ତି । ବିଭିନ୍ନ ପ୍ରକାର ଖେଳ ଖେଳିବା ସହ ଗାଁରେ ବୁଲି ଏହାର ମଜା ଉଠାଇଥାନ୍ତି । ଓଡିଆ ଜାତିର ଚଳଣୀ ସହିତ ଅଙ୍ଗାଅଙ୍ଗି ଭାବରେ ଜଡିତ ରଜ ପର୍ବ ସମସ୍ତଙ୍କ ମନରେ ନୂଆ ଆନନ୍ଦ ଓ ଉଦ୍ଦିପନା ଭରି ଦେଇଥାଏ । ଆଧୁନିକତାର ସ୍ପର୍ଶରେ ବି ଗାଁ ଗହଳିର ଲୋକ ରଜ ପର୍ବକୁ ଧୁମଧାମରେ ପାଳନ କରାଯାଉଛି ।

ସେପଟେ ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାରେ ମଝ୍ୟ ରଜ ପାଇଁ ଚାଲିଛି ସଜ । ଗଣପର୍ବକୁ ନେଇ ଉତ୍ସବର ମୁଖର ସମଗ୍ର ଜିଲ୍ଲା । ରଜକୁ ମହାସମାରୋହରେ ପାଳିବାକୁ ଚାରିଆଡେ ଚାଲିଛି ପ୍ରସ୍ତୁତି । ରାତି ପାହିଲେ ପହିଲି ରଜ ତେଣୁ ପ୍ରସ୍ତୁତି ଏବେ ଚୁଡାନ୍ତ ପର୍ଯ୍ୟାୟରେ ପହଂଚିଛି । କେନ୍ଦୁଝର ସହରର ସ୍ଥାନୀୟ କାଳି ପଡିଆରେ ରଜ ମହୋତ୍ସବ କମିଟି ପକ୍ଷରୁ ବିଶେଷ ଆୟୋଜନ କରାଯଇଛି । ଯୁବକଙ୍କ ପାଇଁ ଦୋଳି ବନ୍ଧା ଯାଇଥିବା ବେଳେ ମହିଳାଙ୍କ ମଧ୍ୟରେ ଝୋଟି ଏବଂ ରଜଗିତ ପ୍ରତିଯୋଗିତାର ଆୟୋଜନ କରାଯାଇଛି । ଏହାସହ ରଜପାଇଁ ରଜପିଠାର ସ୍ୱାଦ ନେବାକୁ ବିଭିନ୍ନ ଷ୍ଟଲର ଆୟୋଜନ କରାଯାଇଛି । ଲୋକଙ୍କୁ ଆକର୍ଷିତ କରିବାକୁ ସର୍ବଭାରତୀୟ ହସନ୍ତତନ୍ନ ପ୍ରଦର୍ଶନୀର ଆୟୋଜନ କରିଛି କମିଟି । ପ୍ରତ୍ୟେକ ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ରାଜପାଇଁ ଏବେ କେନ୍ଦୁଝର ବଜାରରେ ପ୍ରବଳ ଭିଡ ଲାଗିଛି । ନୂଆ ଡ୍ରେସ କିଣିବା ସହ କସ୍ମେଟିକ୍ ଓ ଫଳମୂଳ ବଜାରରେ ମଧ୍ୟ ଲୋକଙ୍କ ଗହଳି ଦେଖିବାକୁ ମିଳିଛି ।