ଜାମିନ ପାଇ ଜେଲରୁ ବାହାରିଲେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ! ସେପଟେ ଆତଙ୍କରେ ବିରଂଚି ଦାସଙ୍କ ପତ୍ନୀ, ଅନ୍ୟ ସାକ୍ଷୀମାନେ ବି ଭୟଭୀତ

37

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ଜୁଡୋ କୋଚ୍ ବିରଂଚି ଦାସ ହତ୍ୟା ମାମଲାର ଅଭିଯୁକ୍ତ, ରାଜା ଆଚାର୍ଯ୍ୟ ଆଜି ଜେଲରୁ ବାହାରିଛି । ଜୁଡୋ କୋଚ୍ ବିରଂଚି ଦାସ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲର କାଳ କୋଠରୀରେ ସଜ୍ଜା ଭୋଗୁଥିବା ରାଜା ଆଚାର୍ଯ୍ୟକୁ ୧୦ ବର୍ଷ ପରେ ଖୋଲା ଆକାଶ ତଳେ ଦେଖିବାକୁ ମିଳିଛି । ହତ୍ୟା, ଅପହରଣ, ଦାଦାବଟି ଓ ଟେଣ୍ଡର ଫିକ୍ସି ଭଳି ଏକାଧିକ ମାମଲାରେ ଛନ୍ଦି ହୋଇଥିବା ରାଜା ଆଚାର୍ଯ୍ୟକୁ, ଜ୍ୟୋତି ମୋଟର୍ସ କର୍ମଚାରୀ ଅପହରଣ ଓ ହତ୍ୟା ଧମକ୍ ମାମଲାରେ ସର୍ତ୍ତମୂଳକ ଜାମିନ୍ ପରେ ଝାରପଡ଼ା ଜେଲରୁ ମୁକ୍ତି ମିଳିଛି ।

୨୦୧୭ ମସିହାରେ ଏହି ମାମଲାରେ ରାଜା ଆଚାର୍ଯ୍ୟଙ୍କ ଜାମିନ ଆବେଦକୁ ଖାରଜ୍ କରିଥିଲେ ହାଇକୋର୍ଟ । ଯାହାକୁ ନେଇ ସୁପ୍ରିମକୋର୍ଟର ଆଶ୍ରୟ ନେଇଥିଲେ ରାଜା । ଆଉ ସର୍ବୋଚ୍ଚ ନ୍ୟାୟାଳୟ ମାମଲାର ପୁନର୍ବିଚାର କରିବାକୁ ହାଇକୋର୍ଟଙ୍କୁ ଜଣାଇଥିଲେ । ଏହି ସବୁ ଆଶଙ୍କା ଭିତରେ ଜୁଡୋ କୋଚ୍ ବିରଂଚି ଦାସଙ୍କ ପତ୍ନୀ ଗୀତାଞ୍ଜଳି, ରାଜାଙ୍କ ମୁକ୍ତି ପରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରିଛନ୍ତି । ଗୀତାଞ୍ଜଳିଙ୍କ ଭଳି କିଛି ସାକ୍ଷୀ ରାଜାଙ୍କ ମୁକ୍ତିକୁ ନେଇ ବିଚଳିତ ଥିବାରୁ ପୁଲିସ କୌଣସି ପଦକ୍ଷେପ ନେଇପାରେ ବୋଲି ଚର୍ଚ୍ଚା ହେଉଛି ।