ବିଜେପି ଉପରେ ବର୍ଷିଥିଲେ, ବିଜେଡି ଦେଲା ପୁରସ୍କାର ! ମୋରଡା ବିଧାନସଭା ଆସନରେ ରାଜକିଶୋର ଦାସଙ୍କୁ ମିଳିଲା ଶଙ୍ଖ ଟିକେଟ୍ ।

220

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପାଇଁ ରାଜକିଶୋର ଦାସଙ୍କୁ ମୋରଡା ବିଧାନସଭା ଆସନରୁ ମଇଦାନକୁ ଓହ୍ଲାଇଛି ବିଜୁ ଜନତା ଦଳ । ଗତ ମାର୍ଚ୍ଚ ମାସ ୨୫ ତାରିଖ ଦିନ ବିଜେଡିରେ ମିଶିଥିଲେ ବିଜେପିର ଏହି ହେଭିୱେଟ ନେତା ତଥା ରାଜ୍ୟ ବିଜେପିର ପୂର୍ବତନ ଉପସଭାପତି । ବିଜେପିରେ ତାଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ଆଣି ସେ ଦଳ ଛାଡିଥିଲେ । ମୟୂରଭଞ୍ଜ ରାଜନୀତିରେ ବିଜେପିର ଜଣେ ବଡ ଚେହେରା ଥିଲେ ରାଜକିଶୋର । ମୟୂରଭଞ୍ଜର ଏହି ଟାଣୁଆ ନେତା ବିଜେପି ସହ ଦୀର୍ଘ ୪୦ ବର୍ଷ ଧରି ରହି ଆସିଥିଲେ । ଏପରିକି ମୟୂରଭଞ୍ଜରେ ବିଜେପିର ମଙ୍ଗ ଧରି ଆସୁଥିଲେ ରାଜକିଶୋର ।

ତେବେ ଚଳିତ ନିର୍ବାଚନରେ ମୋରଡା ଆସନରେ ପ୍ରାର୍ଥୀ ହେବାକୁ ମନ ବଳାଇଥିବା ରାଜଶେଖରଙ୍କୁ ବିଜେପି ପକ୍ଷରୁ ସେଭଳି କୌଣସି ସଂକେତ ମିଳିନଥିଲା । ଫଳରେ ଟିକେଟ ଘୋଷଣା ପୂର୍ବରୁ ଦୀର୍ଘ ୪୦ ବର୍ଷର ସର୍ମ୍ପକ ଛିନ୍ନ କରି ବିଜେପିକୁ ବାଏ ବାଏ କରିଥିଲେ ରାଜକିଶୋର । ସେପଟେ ୨୦୧୪ ନିର୍ବାଚନରେ ମୋରଡା ବିଧାନସଭା ଆସନରୁ ପ୍ରବୀଣ ଭଞ୍ଜଦେଓଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି । ତେବେ ଆଜି ବିଜେଡିରୁ ଇସ୍ତଫା ଦେଇଥିଲେ ପ୍ରବୀଣ । ଆଉ ରାଜକିଶୋର ଦାସଙ୍କୁ ମୋରଡା ଭାର ଦେଇଛନ୍ତି ବିଜେଡି ସୁପ୍ରିମୋ ।