ବିପଦରେ ଛୋଟ ପିଲାଙ୍କ ଭବିଷ୍ୟତ ! ସ୍କୁଲ ପରିସରରେ ମୁଣ୍ଡ ଉପରେ ଝୁଲୁଛି ୧୧ କେଭି ତାର ।

57

କନକ ବ୍ୟୁରୋ : ସ୍କୁଲ ଉପରେ ଝୁଲୁଛି ବିପଦ । ଆଶା ଆଶଙ୍କା ଭିତରେ ଚାଲିଛି ଛୋଟ ପିଲାଙ୍କ ଭବିଷ୍ୟତ ଗଢା । ପ୍ରତିମୂହୁର୍ତ୍ତରେ ବିପଦର ଆଶଙ୍କା ରହିଛି । ଆଉ ଏହାରି ଭିତରେ ମଧ୍ୟ ଚାଲିଛି ରାଇରଙ୍ଗପୁର ଚାପଲ ସ୍କୁଲ । ସ୍କୁଲ ପରିସରରେ ୧୧ କେଭି ବିଦ୍ୟୁତ ଟ୍ରାନ୍ସଫର୍ମର ରହିଛି । ଛାତ୍ରଛାତ୍ରୀ ମାନଙ୍କ ମୁଣ୍ଡ ଉପରେ ଦେଇ ଯାଇଛି ବିଦ୍ୟୁତ ତାର ।

ବିପଦରେ ପଡିରହିଛି କୋମଳମତୀ ଶିଶୁ ମାନଙ୍କର ଭବିଷ୍ୟତ । ସରକାରୀ କଟକଣାକୁ ଫୁ କରି ସ୍କୁଲ ପରିସର ମଧ୍ୟରେ ଇଲେଭେନ୍ କେଭି ବିଦ୍ୟୁତ ଟ୍ରାନ୍ସଫରମରବସିଛି । ସ୍କୁଲ ପାଚେରୀ ଭିତରେ ଟ୍ରାନ୍ସଫରମର ଥିବା ବେଳେ ଅତି ବିପଦପୂର୍ଣ୍ଣ ଭାବେ ଛାତ୍ରଛାତ୍ରୀଙ୍କ ମୁଣ୍ଡ ଉପରେ ୧୧ କେଭି ବିଦ୍ୟୁତ ତାର ଝୁଲୁଛି । ଆଶା ଆଶଙ୍କାରେ ଚାଲିଛି ୧୯୭୧ ମସିହାରୁ ସ୍ଥାପିତ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଚାପଲ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ।

ଚାପଲ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଯାଏଁ ୭୧ ଜଣ ଛାତ୍ରଛାତ୍ରୀ ପଢୁଥିବା ବେଳେ ଏଠାରେ ଅଙ୍ଗନୱାଡି ମଧ୍ୟ ଚାଲିଛି । ସ୍କୁଲ ପରିସର ଭିତରେ ଟ୍ରାନ୍ସଫର୍ମର ଥିବାରୁ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଜୀବନ ପ୍ରତି ବିପଦ ରହିଛି । ତେଣୁ ଟ୍ରାନ୍ସଫର୍ମର ସ୍ଥାନାନ୍ତର ପାଇଁ ୨ ବର୍ଷ ହେଲା ନେସ୍କୋକୁ ଅବଗତ କରାଇଛନ୍ତି ଶିକ୍ଷକ, ସ୍କୁଲ ପରିଚାଳନା କମିଟି ଏବଂ ସ୍ଥାନୀୟ ସରପଞ୍ଚ । ହେଲେ ଆଜି ଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ  । ଅନ୍ୟପଟେ ସ୍କୁଲ ପରିସରରୁ ଟ୍ରାନ୍ସଫର୍ମର ସ୍ଥାନାନ୍ତର କରାଯିବ ବୋଲି ରାଇରଙ୍ଗପୁର ବିଦ୍ୟୁତ ବିଭାଗ ଏସଡିଓ କହିଛନ୍ତି ।

ତେବେ ନିୟମ କହୁଛି, ବିଦ୍ୟାଳୟକୁ ବିପଦ ମୁକ୍ତ ରଖାଯିବ । ଏପରିକି ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷକମାନେ ମାଡ ମାରିପାରିବେ ନାହିଁ, ଏଥିପାଇଁ ସ୍କୁଲକୁ ଦଣ୍ଡମୁକ୍ତ ଅଞ୍ଚଳ ବୋଲି ଘୋଷଣା କରାଯାଇଛି । ହେଲେ ଯେଉଁ ସ୍କୁଲ ଭିତରେ ୧୧ କେଭି ବିଦ୍ୟୁତ ଟ୍ରାନ୍ସଫର୍ମର ରହିଛି ସେ ସ୍କୁଲ କେତେ ବିପଦମୁକ୍ତ ସେନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।