କାହାର ହେବ ରାଇରଙ୍ଗପୁର! କଂଗ୍ରେସ-ବିଜେପିରେ ଛିଣ୍ଡୁନି ଅଙ୍କ, କାହାକୁ ବାଛିବେ ବିଜେଡି ସୁପ୍ରିମୋ? ୩ ଦଳକୁ ଟେନସନ୍ ଦେଇପାରେ ଜେଏମଏମ୍ ।

112

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ନେଇ ତାରିଖ ଘୋଷଣା ପରେ ରାଜ୍ୟ ରାଜନୀତି ସରଗରମ । ଏପ୍ରିଲ ୨୯ ତାରିଖରେ ହେବାକୁଥିବା ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ଓଡ଼ିଶାର ୬ଟି ଲୋକସଭା ଓ ଏହା ଅଧିନରେ ଥିବା ୪୨ଟି ବିଧାନସଭା କ୍ଷେତ୍ରରେ ହେବ ମତଦାନ । ସେଥି ମଧ୍ୟରେ ରହିଛି ମୟୁରଭଞ୍ଜ ସଂସଦୀୟ କ୍ଷେତ୍ରର ରାଇରଙ୍ଗପୁର ବିଧାନସଭା ନିର୍ବାଚନମଣ୍ଡଳୀ । ଯାହାକୁ ନେଇ ଏଠାରେ ଏବେ ରାଜନୈତିକ ଛକାପଞ୍ଝା ଦେଖିବାକୁ ମିଳିଛି । ଉଭୟ ବିଜେଡି ଓ ବିଜେପି ଏହି ଆସନକୁ ନିଜ ଦଖଲକୁ ନେବାକୁ ଅଣ୍ଟା ଭିଡିଛନ୍ତି ।

ନିର୍ବାଚନ ମଣ୍ଡଳୀ ପୁନର୍ଗଠନ ପରେ ବିଜେପି କବଜାରେ ଥିବା ଏହି ଆସନକୁ ୨୦୦୯ରେ କଂଗ୍ରେସ ଦଖଲ କରିଥିଲା । ସେହିଭଳି ୨୦୧୪ରେ ପ୍ରଥମ କରି ଏହି ଆସନଟି ବିଜେଡି ହାତକୁ ଯାଇଥିଲା । ସେହିପରି ସାଇବା ସୁଶିଲ ହାଁସଦା ବିଧାୟକ ଭାବେ ନିର୍ବାଚିତ ହୋଇ ଆସିବା ପରେ ନିର୍ବାଚନ ମଣ୍ଡଳୀରେ ଉଥାନପତନ ଲାଗି ରହିଛି । ଆସନ୍ତା ଏପ୍ରିଲ୍ ୨୯ ତାରିଖରେ ହେବାକୁଥିବା ଶେଷ ତଥା ଚତୁର୍ଥ ପର୍ଯ୍ୟାୟ ମତଦାନରେ ବିଜେଡି ବିଧାୟକ ସାଇବା ସୁଶିଲଙ୍କୁ ପୁଣି ଥରେ ପ୍ରାର୍ଥୀ କରିବ ନା ନୂଆ ଚେହେରାଙ୍କୁ ଆଣିବ ସେନେଇ ସସପେନ୍ସ ଜାରି ରହିଛି । ଏହାରି ମଧ୍ୟରେ ବିଜେଡିରେ ଆଶାୟୀଙ୍କ ତାଲିକା ଦିନକୁ ଦିନ ଲମ୍ବିବାରେ ଲାଗିଛି । ଆଶାୟୀଙ୍କ ମଧ୍ୟରେ ଜେଏମଏମରୁ ଆସି ବିଜେଡିରେ ସାମିଲ ହୋଇଥିବା ପୂର୍ବତନ ବିଧାୟକ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ମାରଣ୍ଡିଙ୍କ ଭଳି ୧୦ରୁ ଉଦ୍ଧ୍ୱର୍ ଆଶାୟୀ ରହିଛନ୍ତି । ବିଜେଡିରୁ ଏହି ନିର୍ବାଚନ ମଣ୍ଡଳୀରୁ ମହିଳା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଗଲେ ତିରିଂ ବ୍ଲକର ଅଧ୍ୟକ୍ଷା ତଥା ଜିଲ୍ଲା ମହିଳା ମୋର୍ଚ୍ଚାର ଉପସଭାପତି ଜେମାମଣି ଶୁଣ୍ଡିଙ୍କ ନାଁ ମଧ୍ୟ ଶୁଣିବାକୁ ମିଳୁଛି ।

ସେହିପରି ରାଜ୍ୟରେ ଧିରେଧିରେ ଶକ୍ତି ଗୋଟାଉଥିବା ବିଜେପି ଏହି ନିର୍ବାଚନ ମଣ୍ଡଳୀକୁ ହାତେଇବା ପାଇଁ ଗୋଟିଚାଳନା କରୁଛି । ଗତ ପଞ୍ଚାୟତ ନିର୍ବାଚନରେ ଏହି ନିର୍ବାଚନ ମଣ୍ଡଳୀରେ ଥିବା ମୋଟ୍ ୮ଗୋଟି ଜିଲ୍ଲା ପରିଷଦ ଆସନରୁ ୭ଟିରେ ବିଜେପି ଜିତିଥିଲା। ମାତ୍ର ଗୋଟିଏ ଆସନ ବିଜେଡି ହାତକୁ ଯାଇଥିଲା । ଏପରିକି, ରାଇରଙ୍ଗପୁର ଓ ଜାମଦା ବ୍ଲକରେ ଅଧ୍ୟକ୍ଷା ପଦକୁ ମଧ୍ୟ ବିଜେପିକୁ ଦଖଲ କରିଥିଲା । ରାଇରଙ୍ଗପୁର ପୌର ପରିଷଦକୁ ବିଜେପି ଦୀର୍ଘ ୨୫ବର୍ଷ ଧରି ନିଜ କ୍ଷମତାରେ ରଖିଆସିଛି । ତେଣୁ ଆସନ୍ତା ସାଧାରଣ ନିର୍ବାଚନରେ ରାଇରଙ୍ଗପୁର ଆସନରୁ ପ୍ରମୁଖ ଦାବିଦାରଙ୍କ ମଧ୍ୟରେ ବିଶିଷ୍ଟ ଶ୍ରମିକ ନେତା ତଥା ବିଜେପି ଆଦିବାସୀ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାମଚନ୍ଦ୍ର ହାଁସଦା ରହିଥିବା ବେଳେ ମ୍ୟୁନିସିପାଲଟିର ପୂର୍ବତନ ପୌରାଧ୍ୟକ୍ଷ ନବ ଚରଣ ମାଝୀ, ଯୁବନେତା ଫାଗୁରାମ ମାରଣ୍ଡି, ବିଜୟ କୁମାର ନାଏକ ପ୍ରମୁଖ ଆଶାୟୀ ରହିଛନ୍ତି।

ଅନ୍ୟପଟେ କଂଗ୍ରେସ ଓ ଜେଏମଏମ୍ ମଧ୍ୟରେ ଆସନ ବୁଝାମଣାର ସମ୍ଭାବନା ଥିବାରୁ ଆଗକୁ ତ୍ରିମୁଖୀ ଲଢ଼େଇର ଇସାରା ମିଳୁଛି । କଂଗ୍ରେସରୁ ପୂର୍ବତନ ବିଧାୟକ ଶ୍ୟାମ ଚରଣ ହାଁସଦା ଓ ଲକ୍ଷ୍ମଣ ମାଝୀ ପ୍ରମୁଖ ଦାବିଦାରମାନଙ୍କ ମଧ୍ୟରେ ରହିଥିବା ବେଳେ ଜେଏମଏମରୁ ମଧ୍ୟ ପୁରୁଣା ପ୍ରାର୍ଥୀ ଆଶାୟୀଙ୍କ ମଧ୍ୟରେ ଅଛନ୍ତି । ଉଭୟ ବିଜେଡି ଓ ବିଜେପିରେ ବିଧାୟକ ପ୍ରାର୍ଥୀ ପାଇଁ ଆଶାୟୀଙ୍କ ଲମ୍ବା ଧାଡ଼ି ଲାଗିଥିବା ବେଳେ ଆଗକୁ ରାଜନୈତିକ ସମୀକରଣ ଓଲଟପାଲଟ ହେବାର ସମ୍ଭାବନା ବଢ଼ିଚାଲିଛି।