ରେଢ଼ାଖୋଲ ରାଜନୀତି ! ବିଜୟ ପାଇଁ ମୈଦାନକୁ କାହାକୁ ଓହ୍ଲାଇବେ ତିନି ଦଳର ଦଳପତି ?

173

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ନେଇ ତାରିଖ ଘୋଷଣା ପରେ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି । ଏପ୍ରିଲ ୨୩ ତାରିଖରେ ହେବାକୁଥିବା ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ଓଡ଼ିଶାର ୬ଟି ଲୋକସଭା ଓ ଏହା ଅଧିନରେ ଥିବା ୪୨ଟି ବିଧାନସଭା କ୍ଷେତ୍ରରେ ହେବ ମତଦାନ । ସେଥି ମଧ୍ୟରେ ରହିଛି ସମ୍ବଲପୁର ସଂସଦୀୟ କ୍ଷେତ୍ରର ରେଢ଼ାଖୋଲ ବିଧାନସଭା ନିର୍ବାଚନମଣ୍ଡଳୀ । ଯାହାକୁ ନେଇ ଏଠାରେ ଏବେ ରାଜନୈତିକ ଛକାପଞ୍ଝା ଦେଖିବାକୁ ମିଳିଛି । ଉଭୟ ଶାସକ ଓ ବିରୋଧୀ ଏହି ଆସନକୁ ନିଜ ଦଖଲକୁ ନେବାକୁ ଅଣ୍ଟା ଭିଡିଛନ୍ତି ।

ପଶ୍ଚିମ ଓଡ଼ିଶାର ସବୁଠୁ ଅଧିକ ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ଗୁଡ଼ିକ ମଧ୍ୟରେ ଅନ୍ୟତମ ରେଢ଼ାଖୋଲ ଉପରେ ଏବେ ସମସ୍ତଙ୍କ ନଜର । ଏହି ଅଣସଂରକ୍ଷିତ ନିର୍ବାଚନମଣ୍ଡଳୀର ଟିକଟ ପାଇଁ ବିଜେଡି, ବିଜେପିରେ ଆଶାୟୀଙ୍କ ଲମ୍ବା ତାଲିକା ରହିଛି। ଉଭୟ ଦଳରୁ ପ୍ରାୟ ଡଜନେ ଲେଖାଏଁ ପ୍ରାର୍ଥୀ ରେଢ଼ାଖୋଲ ଟିକେଟକୁ ଅନାଇ ବସିଛନ୍ତି। ତେଣୁ ଏଠାରୁ କାହାକୁ ପ୍ରାର୍ଥୀ କରିବେ ତାହା ଦୁଇ ଦଳ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଭୋଟ ଲଢ଼େଇ ପୂର୍ବରୁ ଏଠାରେ ଟିକଟ୍ ପାଇଁ ଆଉ ଏକ ଛାୟା ଲଢ଼େଇ ଚାଲିଛିଥିବା ଚର୍ଚ୍ଚା ହେଉଛି । ରେଢ଼ାଖୋଲରେ ସବୁବେଳେ ବାହାର ପ୍ରାର୍ଥୀଙ୍କ ଆଧିପତ୍ୟ ରହି ଆସିଛି। ଏହାଛଡ଼ା ଚଷା ବହୁଳ ଏହି ଅଞ୍ଚଳରେ ଚଷା ଓ ଖ୍ରୀଷ୍ଟିଆନ୍ ଭୋଟ୍ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିଥାଏ । ଏସବୁକୁ ବିଚାର କରି ସମ୍ଭାବ୍ୟ ପ୍ରାର୍ଥୀମାନେ ନିଜ ନିଜ ସପକ୍ଷରେ ଗଣିତ କଷିବା ଆରମ୍ଭ କରିଛନ୍ତି ।ବିଜେଡିରୁ ବିଧାୟକ ତଥା ସରକାରୀ ଦଳର ଉପମୁଖ୍ୟ ସଚେତକ ରୋହିତ ପୂଜାରୀ ଟିକଟର ମୁଖ୍ୟ ଦାବିଦାର ଅଛନ୍ତି । ନିଜ କ୍ଷମତାର ଉପଯୋଗ କରି ପୂଜାରୀ ନିର୍ବାଚନମଣ୍ଡଳୀ ପାଇଁ ଅନେକ ଗୁଡ଼ିଏ ପ୍ରକଳ୍ପ ମଞ୍ଜୁର କରାଇ ପାରିଛନ୍ତି । ବିକାଶ କାମକୁ ପାଥେୟ କରି ପୂଜାରୀ ନିର୍ବାଚନ ଜିଣିବା ଆଶା ବାନ୍ଧିଥିଲା ବେଳେ ତାଙ୍କୁ ନେଇ ଦଳୀୟ କର୍ମୀ ମହଲରେ କିଛିଟା ଅସନ୍ତୋଷ ରହିଥିବା ଆଲୋଚନା ହେଉଛି। ସେହିଭଳି ପଶ୍ଚିମ ଓଡ଼ିଶା ରାଜନୀତିର ଚାଣକ୍ୟ ପ୍ରସନ୍ନ ଆଚାର୍ଯ୍ୟଙ୍କ ନାଁ ମଧ୍ୟ ପୁଣିଥରେ ରେଢ଼ାଖୋଲ ନିର୍ବାଚନମଣ୍ଡଳୀରେ ଶୁଣିବାକୁ ମିଳୁଛି । ସେ ନିଜ ପୁରୁଣା କ୍ଷେତ୍ରକୁ ଫେରିବାକୁ ଚାହୁଁଛନ୍ତି । ରାଜ୍ୟସଭା ସାଂସଦ ଥିବା ପ୍ରସନ୍ନ ନିଜ ମୁହଁରେ ନକହିଲେ ବି ତାଙ୍କ ସମର୍ଥକମାନେ ଏଥି ପାଇଁ ଦାବି କରୁଛନ୍ତି। ଏପରିକି ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କୁ ସମ୍ବଲପୁର ଲୋକସଭା ଓ ରୋହିତଙ୍କୁ ସମ୍ବଲପୁର ବିଧାନସଭା ପ୍ରାର୍ଥୀ କରି ପ୍ରସନ୍ନଙ୍କୁ ରେଢ଼ାଖୋଲରୁ ଛିଡ଼ା କରାଯିବା ଚର୍ଚ୍ଚା ହେଉଛି । ସେହିଭଳି ଡକ୍ଟର ଲଲାଟେନ୍ଦୁ ନାୟକ, ବିଜେଡି ଜିଲ୍ଲା ସଭାପତି ପଦ ହରାଇଥିବା ପ୍ରମୋଦ ରଥ ବି ଆଶାୟୀ ମଧ୍ୟରେ ରହିଛନ୍ତି ।

ସେହିଭଳି ବିଜେପିର ପୁରୁଣା ନେତା ଗୋବିନ୍ଦ ଅଗ୍ରୱାଲ ବହୁ ବର୍ଷ ହେଲା ରେଢ଼ାଖୋଲ ନିର୍ବାଚନମଣ୍ଡଳୀରେ ନିଜ ଜନସଂପର୍କ ରଖିବା ସହ ପଦ୍ମ ଟିକଟର ପ୍ରମୁଖ ଦାବିଦାର ଅଛନ୍ତି । ଅନ୍ୟତମ ଆଶାୟୀ ଦେବେନ୍ଦ୍ର ମହାପାତ୍ର ବି ନିର୍ବାଚନମଣ୍ଡଳୀରେ ବୁଲି ନିଜ ସାଂଗଠନିକ କାର୍ଯ୍ୟକ୍ରମ ଚଳାଇଛନ୍ତି। ଏବଂ ତାଙ୍କୁ ସୁରେଶ ପୂଜାରୀଙ୍କ ସମର୍ଥନ ରହିଥିବା ଚର୍ଚ୍ଚା ହେଉଛି । ରେଢ଼ାଖୋଲର ସ୍ଥାନୀୟ ନିବାସୀ ଓ ଦଳର ପୁରୁଣା କର୍ମୀଭାବେ ସମର ପ୍ରଧାନଙ୍କର ଭଲ ସଂଗଠନ ରହିଛି ତେଣୁ ସେ ମଧ୍ୟ ଟିକେଟ୍ ପାଇଁ ଆଶାୟୀ ରହିଛନ୍ତି । କିନ୍ତୁ ତାଙ୍କୁ ସୁରେଶ ପୂଜାରୀଙ୍କ ଗୋଷ୍ଠୀ ବିରୋଧ କରୁଥିବା କୁହାଯାଉଛି । ଗତଥର ଦଳୀୟ ପ୍ରାର୍ଥୀ ହୋଇଥିବା ପ୍ରତାପ ପ୍ରଧାନ ବି ଏଥର ଦୌଡ଼ରେ ଅଛନ୍ତି । ଏହାଛଡ଼ା ବିଜେପି ଶେଷ ମୁହୂର୍ତ୍ତରେ ନିଜ ରଣନୀତି ବଦଳାଇ ସୁରେଶ ପୂଜାରୀଙ୍କୁ ବି ଏଠାରୁ ପ୍ରାର୍ଥୀ କରିପାରେ ବୋଲି ଆଲୋଚନା ହେଉଛି।

ଅପରପକ୍ଷେ ଜିଲ୍ଲାର ଅନ୍ୟ ନିର୍ବାଚନମଣ୍ଡଳୀ ତୁଳନାରେ ଏଠାରେ କଂଗ୍ରେସର ସ୍ଥିତି ମଜଭୁତ ରହିଛି । ହେଲେ ଶେଷ ମୁହୂର୍ତ୍ତରେ ଆସଫଙ୍କୁ ଚାଲେଞ୍ଜ ଦେଇ ଦଳର ରାଜ୍ୟ ସଂପାଦକ ଦୁଲାଲ ପ୍ରଧାନ ଏବଂ ଯୁବ ନେତା ବରୁଣ ଦେହୁରୀ ମଧ୍ୟ ଟିକଟ୍ ପାଇଁ ଆବେଦନ କରିଛନ୍ତି। ଦେଖିବାର କଥା ଯେ ଦଳର ହାଇକମାଣ୍ଡ ଏହାକୁ କେଉଁ ଦିଗ ନେଇ ବିଚାର କରିବା ସହ କାହାକୁ ଟିକେଟ୍ ଦେବେ ତାହା ଉପରୁ ଏବେ ବି ପରଦା ଉଠିବା ବାକି ରହିଛି ।