ସ୍ପିକରରୁ ବାଜି ଉଠେ ଜନ-ଗଣ-ମନ…. ଯିଏ ଯେଉଁଠି ଥାଉ ନା କାହିଁକି କାମ ଛାଡି ସାବଧାନ ସ୍ଥିତିରେ ହୋଇଯାଆନ୍ତି ଛିଡା । ଜୀବନର ୫୨ ସେକେଣ୍ଡ କରିଦିଅନ୍ତି ଦେଶ ନାଁରେ

35

ଛତିଶଗଡର ଗରିୟାବନ୍ଦ ଜିଲ୍ଲାର ଗାଁ ଶ୍ୟାମ ନଗରରୁ ଦେଶପ୍ରେମର ଅନନ୍ୟ ଦୃଶ୍ୟ ସାମନାକୁ ଆସିଛି । ଗାଁରେ ନିୟମପୂର୍ବକ ସକାଳ ୮.୫୯ ଟାରେ ରାଷ୍ଟ୍ରଗାନ ବାଜେ । ବିଭିନ୍ନ ସ୍ଥାନରେ ପାଖାପାଖି ୨୦ଟି ଲାଉଡସ୍ପିକର ଲଗାଯାଇଛି । ପୂର୍ବରୁ ସୂଚନା ଦେଇକି ଲୋକଙ୍କୁ ସଚେତନ କରାଯାଏ । ପିଲାଠୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ଯିଏ ଯେଉଁଠି ଥାଆନ୍ତି, ସେଇଠି ସାବଧାନ ସ୍ଥିତିରେ ଛିଡା ହୋଇଯାଆନ୍ତି ଓ ସମର୍ପଣ ଭାବ ରଖି ରାଷ୍ଟ୍ରଗୀତ ଗାନ କରନ୍ତି । କେବଳ ଗାଁ ହିଁ ନୁହେଁ, ଦୂର-ଦୂର ପର୍ଯ୍ୟନ୍ତ ଯେଉଁ ସ୍ଥାନକୁ ସ୍ୱର ଶୁଭେ, ଶୁଣୁଥିବା ବ୍ୟକ୍ତି ରାଷ୍ଟ୍ରଗୀତର ସମ୍ମାନରେ ସାବଧାନ ମୁଦ୍ରାରେ ରହିଯାଆନ୍ତି । ଏବେ ତ ଲୋକଙ୍କ ଅଭ୍ୟାସ ବି ହୋଇଗଲାଣି ।

ସମସ୍ତେ କାମ ସାରି ରାଷ୍ଟ୍ରଗାନ ବାଜିବାର ଅପେକ୍ଷା କରନ୍ତି । ଯିଏ ଯେଉଁଠି ଥାଉ ନା କାହିଁକି ନିଜ ନିଜ କାମ ଛାଡି ସାବଧାନ ସ୍ଥିତିରେ ଛିଡା ହୋଇଯାଆନ୍ତି । ପୁରା ୫୨ ସେକେଣ୍ଡ, ଯେପର୍ଯ୍ୟନ୍ତ ରାଷ୍ଟ୍ରଗାନ ବାଜେ, ସମସ୍ତଙ୍କ ମୁଣ୍ଡ ଓ ଛାତି ଦେଶ ପ୍ରତି ଗର୍ବ ଭରି ସମ୍ମାନରେ ଥାଏ । ରାୟପୁରରୁ ପାଖାପାଖି ୬୦ କିମି ଦୂରରେ ଅବସ୍ଥିତ ଶ୍ୟାମ ନଗର ଗାଁ । ଲୋକମାନେ ପରସ୍ପର ମଧ୍ୟରେ ଚାନ୍ଦା ଆଦାୟ କରି ସ୍ଥାନ ସ୍ଥାନରେ ୨୦ଟି ଲାଉଡସ୍ପିକର ଲଗାଇଛନ୍ତି । ଲାଉଡସ୍ପିକରର କଣ୍ଟ୍ରୋଲ ରୁମ୍ ପଂଚାୟତ ଭବନ । ସର୍ବପ୍ରଥମେ ଏହି ସ୍ଥାନରୁ ରାଷ୍ଟ୍ରଗାନ ବଜାଇବାର ସୂଚନା ପ୍ରସାରିତ ହୁଏ । ପ୍ରଥମେ ଅପିଲ ହୁଏ କି, ଦୟାକରି ଯିଏ ଯେଉଁଠି ଅଛନ୍ତି, ସାବଧାନ ମୁଦ୍ରାରେ ଛିଡା ହୋଇଯାଆନ୍ତୁ । ଏହା ପରେ ବାଜି ଉଠେ ଜନ-ଗଣ-ମନ….