ଆଗକୁ ବର୍ଷାଦିନ, ପ୍ରାର୍ଥନା ସମୟରେ ବିଭିନ୍ନ ରୋଗ ସମୟରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇବେ ଶିକ୍ଷକ

242

କନକ ବ୍ୟୁରୋ : ବର୍ଷାଦିନିଆ ରୋଗ ପାଇଁ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯିବ । ବର୍ଷାଦିନରେ ହିଁ ସଚେତନତା ଅଭାବରୁ ବିଭିନ୍ନ ସଂକ୍ରାମକ ରୋଗ ହୋଇଥାଏ । ଆଉ ଏହାକୁ ଦୃଷ୍ଟିରେ ରଖି ପ୍ରଥମେ ଶିକ୍ଷକମାନଙ୍କୁ ବର୍ଷା ଦିନିଆ ରୋଗ ସମ୍ମନ୍ଧରେ ସଚେତନ କରାଯିବ । ଯଦ୍ୱାରା ଆସନ୍ତା ୧୯ତାରିଖରେ ସ୍କୁଲ ଖୋଲିବା ପରେ ରାଜଧାନୀର ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକମାନଙ୍କୁ ଏଥିରେ ସାମିଲ କରାଯିବ । ଫଳରେ ସେମାନେ ଛାତ୍ରଛାତ୍ରୀମାନଙ୍କୁ ଏ ସଂପର୍କରେ ଶିକ୍ଷା ଦେବା ସହିତ ସଚେତନ କରିପାରିବେ ।

ବର୍ଷାଦିନେ ଡେଙ୍ଗୁ, ଡାଇରିଆ ଓ ମ୍ୟାଲେରିଆ ଭଳି ରୋଗ ବ୍ୟାପିଥାଏ । ଏଥିପାଇଁ ସଚେତନତା ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ବିଶେଷକରି ମଶା ଜନ୍ମ ହେବାର ଉତ୍ସକୁ ନଷ୍ଟ କରିବା ଓ ଏଥିପାଇଁ ଆବଶ୍ୟକ ଲିଫଲେଟ୍ ଆଦିର ବଣ୍ଟନ ଉପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗୁରୁତ୍ବ ଦିଆଯାଉଛି । ଏଥିପାଇଁ ରାଜଧାନୀର ୭୦/୭୫ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକମାନଙ୍କୁ ନେଇ ଅଧା ଦିନ/ହାଫ୍ ଡେ’ ସଚେତନତା କାର୍ଯ୍ୟକ୍ରମ କରାଯିବ । ଚଳିତମାସ ୨୫ତାରିଖ ପରେ ଏହି ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।

ପ୍ରାର୍ଥନା ସମୟରେ ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କୁ ବର୍ଷାଦିନିଆ ରୋଗ ସଂପର୍କରେ ସଚେତନ କରିବେ। କେବଳ ଶିକ୍ଷକ/ଛାତ୍ରଛାତ୍ରୀ ନୁହନ୍ତି ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ମହିଳା ଆରୋଗ୍ୟ ସମିତି ବା ମାସ୍କୁ ମଧ୍ୟ ସଚେତନତା କରାଯିବ । ଗୋଟିଏ ଗୋଟିଏ ସମିତିରେ ୧୦/୧୫ଜଣ ମହିଳା ରହିଛନ୍ତି । ରାଜଧାନୀରେ ୫୭୫ଟି ମହିଳା ଆରୋଗ୍ୟ ସମିତି ରହିଥିବା ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ନିକଟରେ ଡାକ୍ତର ଓ ଆଶା କର୍ମୀମାନଙ୍କୁ ବର୍ଷାଦିନିଆ ରୋଗ ସଂପର୍କରେ ସଚେତନ କରାଯାଇଛି । ଆସନ୍ତା ୨/୩ ମାସ ପର‌୍ୟ୍ୟନ୍ତ ଏଭଳି ସଚେତନତା କାର୍ଯ୍ୟକ୍ରମ ଜାରି ରହିବ ବୋଲି ସୂଚନା ମିଳିଛି ।