ରାଜ୍ୟର ୮ଟି ଜିଲ୍ଲାରେ ଘଡଘଡି ସହ ପ୍ରବଳ ବର୍ଷା ଆଶଙ୍କା : ଅପରାହ୍ନ ସାଢେ ୪ଟା ଯାଏଁ ସତର୍କ ରହିବାକୁ ନିର୍ଦ୍ଦେଶ

38

କନକ ବ୍ୟୁରୋ: ରାଜ୍ୟର ୮ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା । ୮ଟି ଜିଲ୍ଲାକୁ ସତର୍କ ସୂଚନା । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରାଜ୍ୟର ୮ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ମୌସୁମୀ ବାୟୁ ନିର୍ଦ୍ଧାରିତ ସମୟ ଠାରୁ ଦୁଇ ଦିନ ଆଗୁଆ ଓଡିଶାକୁ ଛୁଇଁ ସାରିଥିବା ବେଳେ ଏହାର ପ୍ରଭାବରେ ଆଜି ୮ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ଯାଜପୁର, ଦେବଗଡ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, କେନ୍ଦ୍ରାପଡା, କେଉଁଝର ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଅପରାହ୍ନ ସାଢେ ୪ଟା ଯାଏ ସତର୍କ ରହିବାକୁ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି । ଆଜି ମଧ୍ୟ ମୌସୁମୀ ପ୍ରଭାବରେ ଓଡିଶାର ଉପକୂଳ ଅଂଚଳରେ ବର୍ଷା ହୋଇଛି । ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଂଚଳରେ ପ୍ରବଳ ବର୍ଷା ହୋଇଛି । ଆଜି ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ମୌସୁମୀ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ସେପଟେ, ପୁଣିଥରେ ମୁମ୍ବାଇ ଉପରେ ଦାଉ ସାଧିଲା ବର୍ଷା । ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ହେଲା ମୁମ୍ବାଇ ଜନଜୀବନ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଯୋଗୁ ପାଣିପାଗ ବିଭାଗ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି । ମୁମ୍ବାଇ ସମେତ ରତ୍ନଗିରି, ସୋଲାପୁର, କଳିଙ୍ଗପଟନମ୍, କୋଙ୍କଣ, ଆଦିଲାବାଦ୍ ଆଦି ଅଂଚଳରେ ଭାରି ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଲଗାଣ ବର୍ଷା ଦେଖି ପୁଣି ମନେ ପକାଇଦେଇଛି ୨୦୦୫ ସ୍ଥିତିକୁ । ମୁମ୍ବାଇ ମହାନଗରୀର ଲାଇଫ୍ ଲାଇନ୍ କୁହାଯାଉଥିବା ଲୋକାଲ ଟ୍ରେନ୍ ବ୍ୟବସ୍ଥା ମଧ୍ୟ ବର୍ଷା ଯୋଗୁ ପ୍ରଭାବିତ ହୋଇଛି । ଲୋକାଲ୍ ଟ୍ରେନ୍ ଅଧିକାଂଶ ସ୍ଥାନରେ ବନ୍ଦ କରା ଯାଇଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ରେଳ ଯାତ୍ରୀ । ସେହିପରି ବିମାନସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି । ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଥିବା ବେଳେ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି । ବର୍ଷା ପରିସ୍ଥିତିକୁ ଦେଖି ବିଏମସି ଓ ପ୍ରଶାସନ ଅଧିକାରୀଙ୍କ ଛୁଟି ବାତିଲ୍ କରିଛି ।