ସରକାରଙ୍କୁ ଘାରିଲା ବର୍ଷା ଚିନ୍ତା ! ଭିଡିଓ କନଫରେନ୍ସିଂରେ ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା । ୭ରୁ ଡିପ ଡିପ୍ରେସନ ନେଇ ପାଣିପାଗ ବିଭାଗର ପୂର୍ବାନୁମାନ 

24

କନକ ବ୍ୟୁରୋ : ସରକାରଙ୍କୁ ଘାରିଲା ବର୍ଷା ଚିନ୍ତା । ସମ୍ଭାବ୍ୟ ବର୍ଷାର ମୁକାବିଲା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଲା ଜରୁରିକାଳୀନ ବୈଠକ । ଫସଲକୁ ସୁରକ୍ଷିତ ରଖିବାକୁ ଚାଷୀ ମାନଙ୍କୁ ନିର୍ଦ୍ଦେଶ ଦେଲେ ସରକାର । ଧାନକୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଧାନମଣ୍ଡିରେ ରହିଥିବା ଧାନକୁ ସୁରକ୍ଷିତ ରଖିବା ପାଇଁ ଆରଏମସିକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ସହିତ ସତର୍କ ରହିବାକୁ କ୍ଷେତ୍ର ଅଧିକାରୀ ଓ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରବି ଓ ପନିପରିବା କ୍ଷତିରୁ ବର୍ତିବା ପାଇଁ କୃଷି ବିଶ୍ୱବିଦ୍ୟାଳୟ ସର୍କୁଲାର ଜାରି କରିଛି । ବୈଠକ ଶେଷରେ ଏହି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ୨୯ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି ନବୀନ ।

ସେପଟେ ଆଂଚଳିକ ପାଣିପାଗ ନିର୍ଦ୍ଦେଶକ କହିଛନ୍ତି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୭ ତାରିଖରୁ ଡିପ ଡିପ୍ରେସନର ରୂପ ନେବ । ପବନର ପ୍ରଭାବ ଯୋଗୁ ଓଡିଶାରେ ବର୍ଷା ହେବ । ୭ ତାରିଖ ସଂଧ୍ୟାରୁ ବିଶେଷ ଭାବରେ ଏହାର ପ୍ରଭାବ ପଡିବ । ୮ ତାରିଖରୁ ଉପକୂଳ ଓଡିଶାରେ ବର୍ଷା ହେବ ଏବଂ ୧୧ ତାରିଖକୁ ବର୍ଷା କମିବ । ତେବେ ଓଡିଶାରେ ଏହାର ପ୍ରଭାବ କେତେ ପରିମାଣରେ ପଡିବ ତାହା ୭ ତାରିଖରେ ସ୍ପଷ୍ଟ ହେବ ।