ପୁଣି ପାଣି ଘେରରେ ସୂର୍ଯ୍ୟମନ୍ଦିର : ନିଷ୍କାସନ ହୋଇପାରୁନି ବର୍ଷା ପାଣି, ଆଣ୍ଠୁଏ ପାଣିରେ ବୁଲୁଛନ୍ତି ପର୍ଯ୍ୟଟକ

23

କନକ ବ୍ୟୁରୋ: ମୈାସୁମୀ ବର୍ଷାରେ ସାରା ରାଜ୍ୟରେ ପ୍ରବଳ ବର୍ଷା ହେଉଛି । ଗତ ମଙ୍ଗଳବାର ଠାରୁ ପୁରୀ ଜିଲ୍ଲାରେ ପ୍ରବଳ ମାତ୍ରାରେ ବର୍ଷା ହେବା ସହ ପର୍ଯ୍ୟଟନ କ୍ଷେତ୍ର କୋଣାର୍କରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଛି । ଏହି କାରଣରୁ ସୂର୍ଯ୍ୟମନ୍ଦିର ପରିସରରେ ପ୍ରାୟ ୨ ଫୁଟ ଉଚ୍ଚର ପାଣି ଜମିରହିଛି । ପାଣି ଜମିବା ଫଳରେ ବାହାରୁ ଏଠାକୁ ବୁଲିବାକୁ ଆସିଥିବା ପର୍ଯ୍ୟଟକ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପାଣି ନିଷ୍କାସନର ବ୍ୟବସ୍ଥା ନଥିବାରୁ ଏପରି ପରିସ୍ଥିତି ହୋଇଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି । ତେବେ କେହି କେହି ବର୍ଷା ପାଣିରେ ନିଜକୁ ଓଦା କରି ଏହାର ମଜା ଉଠାଉଥିବା ଦେଖାଯାଇଛି ।

କେବଳ କୋଣାର୍କ ନୁହେଁ ପୁରୁଷୋତ୍ତମ କ୍ଷେତ୍ର ପୁରୀରେ ମଧ୍ୟ ପ୍ରବଳ ବର୍ଷା ଗତ କାଲି ଠାରୁ ଲାଗି ରହିଛି । ବଡଦାଣ୍ଡରେ ଡ୍ରେନେଜ୍ ବ୍ୟବସ୍ଥା ଥାଇ ମଧ୍ୟ ସଠିକ ଭାବରେ ଜଳ ନିଷ୍କାସନ ହୋଇ ପାରୁନାହିଁ । ବଡଦାଣ୍ଡରେ ପାଣି ଜମି ରହିଥିବାରୁ ମନ୍ଦିର ଯିବାପାଇଁ ଅନେକ ଭକ୍ତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଗକୁ ବିଶ୍ୱ ପ୍ରସିଦ୍ଧ ଯାତ୍ରା । ତେବେ ଏବେଠାରୁ ଏପରି ପାଣି ଜମି ରହିଲେ ରଥଯାତ୍ରା ସମୟରେ ପରିସ୍ଥିତି କେତେ ଭୟଙ୍କର ହେବ ତାହାର ଜବାବ କାହାରି ପାଖରେ ନାହିଁ । ତେବେ ଖୁବ୍ ଶୀଘ୍ର ପାଣି କିପରି ଭାବରେ ନିଷ୍କାସନ ହେବ ତାହା ଉପରେ ଧ୍ୟାନ ଦେବାକୁ ବିଭିନ୍ନ ମହଲରେ ଦାବି ହେଉଛି ।