ଭଗବାନ ଭରସାରେ ଢେଙ୍କାନାଳ ଡାକ୍ତରଖାନା ! ଚଟାଣରେ ପାଣି, ବେଡରେ ରୋଗୀ

31

କନକ ବ୍ୟୁରୋ : ଭଗବାନ ଭରସାରେ ଢେଙ୍କାନାଳ ଡାକ୍ତରଖାନା । ଡାକ୍ତରଖାନାରେ ପଶିଲା ବର୍ଷା ପାଣି । ଚଟାଣରେ ପାଣି ବେଡରେ ରୋଗୀ । ଏଭଳି ପରିସ୍ଥିତି ଉପୁଜିଛି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ । ଅସରାଏ ବର୍ଷା ହେଲେ ସବୁଠାରୁ ସମ୍ବେଦନଶୀଳ ସ୍ତ୍ରୀ-ପ୍ରସୂତି ବିଭାଗରେ ଦେଖାଦେଉଛି କୃତ୍ରିମ ବନ୍ୟା । ଚଟାଣରେ ଅସନା ପାଣି ଆଉ ଖଟରେ ନବଜାତ ସହିତ ମା’ ।

ଏଭଳି ସ୍ଥିତିରେ ଡାକ୍ତରଖାନାରେ ସଂକ୍ରମଣର ଆଶଙ୍କା ଦେଖାଦେଇଛି । ଆଉଟଡୋର ସମ୍ମୁଖରେ ପାଣି ଜମା ହୋଇ ପୋଖରୀର ଭ୍ରମ ସୃଷ୍ଟି କରିଛି । ରୋଗୀମାନେ ଜଳାଶୟ ପାର ହୋଇ ଡାକ୍ତରଙ୍କୁ ଭେଟିବାକୁ ଯାଉଛନ୍ତି । ଅସରାଏ ବର୍ଷାରେ ପ୍ରସୂତି ବିଭାଗ ସବୁଠାରୁ ଦୟନୀୟ ଅବସ୍ଥା ସୃଷ୍ଟି ହେଉଛି । ଛାତ ପାଣି ଆଉ ନଳା ପାଣି ପଶୁଛି ୱାର୍ଡ଼ ଭିତରେ ।

ଘର ବାରଣ୍ଡା ଏକାକାର ହୋଇପଡୁଛି । ଅସନା ପାଣି ପ୍ରସୂତି ମହିଳାଙ୍କ ଖଟ ତଳେ ଲହଡି ମାରୁଛି । ରୁମ ଭିତରେ ପାଣି ଲହଡି ମାରୁଥିଲେ ମଧ୍ୟ ମେଡିକାଲ ସୁଇପର ପାଣିକୁ ବାହାର କରିବାକୁ ଆସୁନଥିଲେ । ଫଳରେ ରୋଗୀଙ୍କ ସମ୍ପର୍କୀୟ ପାଣି ନିଷ୍କାସନ କରିବାରେ ଲାଗିଥିଲେ । ୱାର୍ଡ଼ରେ ଜାଗା ଅଭାବରୁ ବାରଣ୍ଡାରେ ଆଶ୍ରୟ ନେଇଥିବାର ପ୍ରସୂତି ମହିଳା ଏବଂ ନବଜାତମାନେ ମଧ୍ୟ ବର୍ଷା ଛିଟାରେ ହନ୍ତସନ୍ତ ହେଉଛନ୍ତି ।