ସୁନ୍ଦରଗଡରେ ସାଂଘାତିକ ସ୍ଥିତି ! ସ୍କୁଲ ସମେତ ସରକାରୀ ଅଧିକାରୀଙ୍କ ଘରେ ପଶିଲା ବର୍ଷା ପାଣି ।

35

କନକ ବ୍ୟୁରୋ : ଗତ କିଛି ଦିନ ଧରି ଲଗାଣ ବର୍ଷାର ପ୍ରଭାବ ସାରା ରାଜ୍ୟରେ ଦେଖିବାକୁ ମିଳିଛି । ଅନେକ ସ୍ଥାନ ଜଳମଗ୍ନ ହୋଇଥିବା ବେଳେ ଶହ ଶହ ହେକ୍ଟର ଚାଷ ଜମିରେ ପାଣି ପଶିଛି । ଲଗାଣ ବର୍ଷାରେ ବେହାଲ ହୋଇପଡିଛି ସୁନ୍ଦରଗଡ । ସୁନ୍ଦରଗଡ କୁତ୍ରା ବ୍ଲକରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଲଗାଣ ବର୍ଷା ଫଳରେ ସ୍ଥାନୀୟ ଅଞ୍ଚଳରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ପାଣି ପଶିଥିଲା । ଆଜି ସକାଳେ ଛାତ୍ରଛାତ୍ରୀ ସ୍କୁଲ ଯିବା ସମୟରେ କେନ୍ଦ୍ରୀୟ ବିଦ୍ୟାଳୟ ପରିସର ସମେତ ଶ୍ରେଣୀଗୃହରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହିଥିଲା । ଛାତ୍ରଛାତ୍ରୀଙ୍କ ସମେତ ସ୍କୁଲ କର୍ତ୍ତୃପକ୍ଷ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଖବର ଜାଣିବା ପରେ ସୁନ୍ଦରଗଡ ଜିଲ୍ଲାପାଳ ଆଜି ସ୍କୁଲକୁ ଛୁଟି ଘୋଷଣା କରିଥିଲେ ।

ସୂଚନା ଅନୁଯାୟୀ, ସୃଷ୍ଟି ହୋଇଥିବା ଲଘୁଚାପ ପାଇଁ ଗତ ଦୁଇ ଦିନ ହେବ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଜାରି ରହିଥିଲା । ତେବେ କାଲି ରାତି ଠାରୁ ପ୍ରବଳ ବର୍ଷା ହୋଇଥିବାରୁ ସୁନ୍ଦରଗଡର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସମେତ, ସ୍କୁଲ, ପଶୁ ଡାକ୍ତରଖାନାରେ ପାଣି ପଶିଯାଇଥିଲା । ଏପରିକି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବାସ ଭବନରେ ପାଣି ପଶିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ସ୍କୁଲରେ ବର୍ଷା ପାଣି ପଶିଥିବା ହେତୁ ବାଧ୍ୟ ହୋଇ ଜିଲ୍ଲାପାଳ ସ୍କୁଲକୁ ଛୁଟି ଘୋଷଣା କରିଥିଲେ । ତେବେ ଆସନ୍ତାକାଲି ସ୍ଥିତି ପରଖିବା ପରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ସୁନ୍ଦରଗଡ ଜିଲ୍ଲାପାଳ କହିଛନ୍ତି । ତେବେ ବର୍ଷା ଏବେ କମିଥିବା ବେଳେ ଆଗକୁ କେଉଁ ପରିସ୍ଥିତି ସୃଷ୍ଟି ହେବ ତାକୁ ନେଇ ଚିନ୍ତାରେ ରହିଛନ୍ତି ସ୍ଥାନୀୟବାସୀ ।