ଆଜି ଇଡେନ୍‌ ଲଢ଼େଇ : ବର୍ଷା ହୋଇପାରେ ବାଧକ

14

eden-1କନକ ବ୍ୟୁରୋ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଦ୍ୱିତୀୟ ମୁକାବିଲା ଗୁରୁବାର ଐତିହାସିକ ଇଡେନ୍‌ ଗାର୍ଡେନ୍‌ସ ପଡ଼ିଆରେ ଖେଳାଯିବ। ଚେନ୍ନାଇରେ ଖେଳାଯାଇଥିବା ବର୍ଷା ପ୍ରଭାବିତ ପ୍ରଥମ ମ୍ୟାଚ୍‌ରେ ଚମକପ୍ରଦ ବିଜୟ ହାସଲ କରିଥିବା ଭାରତୀୟ କ୍ରିକେଟ୍‌ ଦଳ ଏହାକୁ ଜିତି ୨-୦ରେ ଆଗୁଆ ହେବା ଆଶାରେ ରହିଛି। ସେପଟେ ଅଷ୍ଟ୍ରେଲିଆ କୋଲ୍‌କାତାରେ ବିଜୟ ଧାରାକୁ ଫେରିବା ଲକ୍ଷ୍ୟରେ ଅଛି। ଏହି ଲକ୍ଷ୍ୟ ପୂରଣ କରିବା କିନ୍ତୁ କଙ୍ଗାରୁ ଦଳ ପାଇଁ ସେତେଟା ସହଜ ହେବନି। ଏଥିଲାଗି ଏହି ଦେଶର ଖେଳାଳିଙ୍କୁ ଭାରତର ଶକ୍ତ ସ୍ପିନ୍‌ ଜାଲକୁ ଛିଣ୍ଡାଇବାକୁ ପଡ଼ିବ। ନୂଆ ରଣନୀତି ନେଇ ପଡ଼ିଆକୁ ଓହ୍ଲାଇବାକୁ ହେବ। ସେହିଭଳି ଉପମହାଦେଶୀୟ ପରିବେଶରେ ଭାରତୀୟ ଦ୍ରୁତ ବୋଲରଙ୍କୁ କିଭଳି ପ୍ରତିହତ କରିହେବ ସେ କଳା ଶିଖିବାକୁ ପଡ଼ିବ। ଦିବା/ରାତ୍ର ଭିତ୍ତିରେ ଖେଳା ଯିବାକୁ ଥିବା ଏହି ମ୍ୟାଚ୍‌ରେ ଅବଶ୍ୟ ବର୍ଷା ବ୍ୟାଘାତ ସୃଷ୍ଟି କରିବାର ଯଥେଷ୍ଟ ଆଶଙ୍କା ରହିଛି।

ବିଶ୍ୱ ବିଜେତା ଅଷ୍ଟ୍ରେଲିଆ ଖେଳିଥିବା ଗତ ୧୦ ଦିନିକିଆରୁ ମାତ୍ର ଗୋଟିଏରେ ବିଜୟ ଲାଭ କରିଛି। କଙ୍ଗାରୁ ଦଳ ତା’ର ଶେଷ ଦିନିକିଆ ବିଜୟ ବର୍ଷକ ତଳେ ଦୁର୍ବଳ ଆୟର୍ଲାଣ୍ଡ ବିପକ୍ଷରେ ହାସଲ କରିଥିଲା। ସେବେଠାରୁ ୯ ମ୍ୟାଚ୍‌ ହାରି ସାରିଲାଣି। ଅନ୍ୟୁନ ୧୦ ମ୍ୟାଚ୍‌ରୁ ମାତ୍ର ୧୦ ପ୍ରତିଶତ ବିଜୟ ହାସଲ କରିବା ଆଗରୁ ଅଷ୍ଟ୍ରେଲିଆ କ୍ରିକେଟ୍‌ ଇତିହାସରେ କେବେବି ଘଟି ନଥିଲା। ଏହାର ମୁଖ୍ୟ କାରଣ ହେଉଛି ସ୍ପିନ୍‌କୁ ଖେଳିବାର ଅକ୍ଷମତା। ସ୍ପିନ୍‌ ଦୁର୍ବଳତା ଲାଗି ଗତବର୍ଷ ଜୁଲାଇରେ ଶ୍ରୀଲଙ୍କାରେ ଖେଳିଥିବା ଟେଷ୍ଟ ଶୃଙ୍ଖଳାକୁ ଅଷ୍ଟ୍ରେଲିଆ ୦-୩ରେ ହାରିଥିଲା। ଭାରତରେ ମଧ୍ୟ ସ୍ପିନର ହିଁ କଙ୍ଗାରୁ ଖେଳାଳିଙ୍କ ଲାଗି ଦୁଃସ୍ୱପ୍ନ ପାଲଟିଛନ୍ତି। ଚେନ୍ନାଇରେ ଦୁଇ ଭାରତୀୟ ଯୁବ ସ୍ପିନର ଯୁଜବେନ୍ଦ୍ର ଚହଲ ଏବଂ କୁଲଦୀପ ଯାଦବ ଅଷ୍ଟ୍ରେଲିଆ ପରାଜୟର ମୁଖ୍ୟ କାରଣ ଥିଲେ। ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ପ୍ରଥମ ଦିନିକିଆରେ ଭାରତୀୟ ଶୀର୍ଷକ୍ରମକୁ ଧ୍ୱସ୍ତ ବିଧ୍ୱସ୍ତ କରି ଦେଇଥିଲେ। ହେଲେ ସ୍ପିନର ସେମିତି କିଛି କମାଲ କରି ପାରି ନଥିଲେ। ମଝି ଓଭରରେ ରନ୍‌ ରୋକିବାକୁ ମଧ୍ୟ ଅଷ୍ଟ୍ରେଲୀୟ ବୋଲର ସଫଳ ହୋଇ ନଥିଲେ। ସେହିଭଳି ବ୍ୟାଟ୍ସମ୍ୟାନ୍‌ ଦାୟିତ୍ୱହୀନ ସଟ୍‌ ଖେଳି ନିଜ ନିଜ ଓ୍ଵିକେଟ୍‌ ଫିଙ୍ଗି ଦେଇଥିଲେ। ସେଥିପାଇଁ ଏହି ଦଳ ହାତରୁ ବିଜୟ ଖସି ଯାଇଥିଲା। କୋଲ୍‌କାତାରେ ଅଷ୍ଟ୍ରେଲିଆକୁ ଏହି ତ୍ରୁଟି ସୁଧାରିବାକୁ ହେବ। ଏହି ମ୍ୟାଚ୍‌ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭେନ୍‌ ସ୍ମିଥଙ୍କ ଶତକୀୟ ଅନ୍ତର୍ଜାତୀୟ ଦିନିକିଆ ହେବ।

ଦଳ: ଦଳୀୟ ସମୀକରଣକୁ ଦେଖିଲେ ଶୀର୍ଷକ୍ରମରେ ବଡ଼ ଧରଣର ଅଦଳ ବଦଳ କରିବାର କୌଣସି ସଂକେତ ଭାରତୀୟ ଅଧିନାୟକ ବିରାଟ କୋହଲି ଦେଇ ନାହାନ୍ତି। ସେଥିପାଇଁ ଇଡେନରେ ରୋହିତ ଶର୍ମାଙ୍କ ସହ ଅଜିଙ୍କ୍ୟ ରାହାଣେ ପାଳି ଆରମ୍ଭ କରିବାର ସମ୍ଭାବନା ଅଧିକ। ମଧ୍ୟକ୍ରମରେ ଅବଶ୍ୟ ଛୋଟ କାଟିଆ ପରିବର୍ତନ କରିବାର ସୁଯୋଗ ରହିଛି। ମନୀଷ ପାଣ୍ଡେ ପ୍ରଥମ ଦିନିକିଆରେ ଖାତା ଖୋଲି ପାରି ନଥିଲେ। ଏଣୁ ତାଙ୍କ ସ୍ଥାନରେ ଲୋକେଶ ରାହୁଲଙ୍କୁ ସୁଯୋଗ ଦେବା କଥା କୋହଲି ବିଚାର କରି ପାରନ୍ତି। ଅନ୍ୟ ପକ୍ଷରେ ବ୍ୟାଟିଂକୁ ନେଇ ଅଷ୍ଟ୍ରେଲିଆ ଅଧିକ ଚିନ୍ତିତ ଅଛି। ନବାଗତ ହିଲଟନ କାର୍ଟରାଇଟ୍‌, ଟ୍ରାଭିସ୍‌ ହେଡ୍‌, ମାର୍କସ ଷ୍ଟୋଇନିସ୍‌ ଓ ମାଥ୍ୟୁ ଓ୍ଵାଦେ ଚେନ୍ନାଇରେ ନିରାଶ କରିଥିଲେ। ବିଶେଷ କରି ଷ୍ଟୋଇନିସ୍‌ ଭାରତୀୟ ସ୍ପିନରଙ୍କୁ ଆଦୌ ବୁଝି ପାରି ନଥିଲେ। ହେଲେ ସେ ଭଲ ବୋଲିଂ କରିଥିଲେ। ତଥାପି ଅଷ୍ଟ୍ରେଲିଆ ମଧ୍ୟକ୍ରମରେ ପିଟର ହ୍ୟାଣ୍ଡ୍ସକମ୍ବଙ୍କୁ ଖେଳାଇବା ଅପେକ୍ଷା ଆଉ କୌଣସି ବଡ଼ ଧରଣର ପରିବର୍ତନ କରିବାର ଆଶା ପ୍ରାୟ ନାହିଁ।

ସମ୍ଭାବ୍ୟ ଭାରତ: ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ, ରୋହିତ ଶର୍ମା, ମନୀଷ ପାଣ୍ଡେ/ ଲୋକେଶ ରାହୁଲ, କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନି, ହାର୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଯସପ୍ରୀତ ବୁମରା।

ସମ୍ଭାବ୍ୟ ଅଷ୍ଟ୍ରେଲିଆ: ଷ୍ଟିଭେନ ସ୍ମିଥ୍‌ (ଅଧିନାୟକ), ଡେଭିଡ୍‌ ଓ୍ଵାର୍ନର, ଟ୍ରାଭିସ୍‌ ହେଡ୍‌, ଗ୍ଲେନ୍‌ ମ୍ୟାକ୍ସେଓ୍ଵଲ୍‌, ମାର୍କସ ଷ୍ଟୋଇନିସ୍‌, ମାଥ୍ୟୁ ଓ୍ଵାଦେ, ଜେମ୍ସ ଫକନର, ନାଥନ କୁଲଟର ନାଇଲ୍‌, ପ୍ୟାଟ୍‌ କମିନ୍ସ, ଆଦାମ ଜାମ୍ପା।

ପିଚ୍‌ ଏବଂ ପାଗ: ଗତ ତିନି ଚାରି ଦିନ ହେବ କୋଲ୍‌କାତାରେ ପ୍ରବଳ ବର୍ଷା ହେଉଛି। ସେଥିପାଇଁ ଇଡେନ୍‌ ପିଚ୍‌କୁ ଠିକ୍‌ ଭାବେ ପ୍ରସ୍ତୁତ କରାଯାଇ ପାରି ନାହିଁ। ପିଚ୍‌ ଯେତିକି ଖରା ଖାଇବା କଥା ସେତିକି ତାକୁ ମିଳି ନାହିଁ। ପିଚ୍‌ରେ ସାମାନ୍ୟ ଘାସ ମଧ୍ୟ ଅଛି। ସେଥିପାଇଁ ଏହା ଦ୍ରୁତ ବୋଲରଙ୍କ ପାଇଁ ଭୂସ୍ୱର୍ଗ ପାଲଟିପାରେ। ଉଭୟ ସ୍ପିନ୍‌ ଏବଂ ଦ୍ରୁତ ବୋଲରଙ୍କୁ ଏଠାରେ ପର୍ୟ୍ୟାପ୍ତ ସହାୟତା ମିଳିବ ବୋଲି ଆଶା କରାଯାଉଛି। ସୀମା ରେଖାକୁ ତୁଳନାତ୍ମକ ଭାବେ ଛୋଟ କରାଯାଇଥିବାରୁ ଏହା ଅବଶ୍ୟ ବ୍ୟାଟ୍ସମ୍ୟାନଙ୍କ ପାଇଁ ଏକ ଭଲ ଖବର ହୋଇପାରେ । ଗୁରୁବାର ସଂଧ୍ୟାରେ ଘଡ଼ ଘଡ଼ି ସହ ବର୍ଷା ହେବାର ପୂର୍ବାନୁମାନ ରହିଛି। ସେଥିପାଇଁ ଚେନ୍ନାଇ ଭଳି କୋଲକାତାରେ ମଧ୍ୟ ବର୍ଷା ପାଇଁ ଖେଳ ବାଧାପ୍ରାପ୍ତ ହୋଇପାରେ । ବୁଧବାର ସକାଳେ ଝିପି ଝିପି ବର୍ଷା ହୋଇଥିବାରୁ କ୍ରିକେଟ୍‌ ପ୍ରେମୀଙ୍କ ସହ ଆୟୋଜକଙ୍କ ଚିନ୍ତା ମଧ୍ୟ ବଢ଼ି ଯାଇଛି।

ପରିସଂଖ୍ୟାନ: ଇଡେନ୍‌ ଗାର୍ଡେନରେ ଖେଳିଥିବା ଗତ ୯ ଅନ୍ତର୍ଜାତୀୟ ପାଳିରେ ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା ୧୧୩.୪୨ ହାରରେ ୭୯୪ ରନ୍‌ କରିଛନ୍ତି। ଏଣୁ ଗୁରୁବାର ସେ ଏଠାରେ ଭଲ ଖେଳିବେ ବୋଲି ଆଶା କରାଯାଉଛି। କୋଲକାତାରେ ଗତ ଋତୁରେ ଖେଳା ଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ଦ୍ରୁତ ବୋଲର ୧୬.୪ ହାରରେ ୬୧ ଓ୍ଵିକେଟ୍‌ ନେଇଥିଲେ। ସ୍ପିନର ୨୩ ହାରରେ ମାତ୍ର ୨୪ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ଯାହା ଅଷ୍ଟ୍ରେଲିଆ ପାଇଁ ଭଲ ଖବର। କାରଣ ଏହି ଦଳର ସ୍ପିନରଙ୍କ ଅପେକ୍ଷା ଭଲ ଦ୍ରୁତ ବୋଲର ଅଛନ୍ତି। ଇଡେନ୍‌ ଗାର୍ଡେନରେ ଖେଳା ଯାଇଥିବା ଗତ ପାଞ୍ଚଟି ଦିନିକିଆର ହାରାହାରି ରନ୍‌ ହେଉଛି ୩୧୧। ଏଣୁ ଗୁରୁବାର ପୂରା ୫୦ ଓଭର ଖେଳ ହୋଇ ପାରିଲେ ନିଶ୍ଚିତ ଭାବେ ଏକ ହାଇସ୍କୋରିଂ ମ୍ୟାଚ୍‌ ଦେଖିବାକୁ ମିଳିବ।