୨୪ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ! ଓଡ଼ିଶାରେ ବର୍ଷା ସମ୍ଭାବନା

488

କନକ ବ୍ୟୁରୋ : ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ସମୁଦ୍ର ଭିତରେ ପଶ୍ଚିମ ଦିଗ ଆଡ଼କୁ ଗତି କରୁଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତରେ ପରିଣତ ହୋଇ ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁ ମୁହାଁ ହେବ । ୧୫ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ଉତ୍ତର ତାମିଲନାଡ଼ୁ ଉପକୂଳକୁ ସ୍ପର୍ଶ କରିବ । ପ୍ରଭାବରେ ୧୪ ତାରିଖଠାରୁ ଉକ୍ତ ଦୁଇ ରାଜ୍ୟରେ ବର୍ଷା ପବନ ଲାଗିରହିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ସମ୍ଭାବ୍ୟ ଝଡ଼ବର୍ଷାକୁ ଦୃଷ୍ଟିରେ ରଖି ଆଜି ପୁଣିଥରେ ସତର୍କ ସୂଚନା ଜାରି କରାଯାଇଛି । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ‌ଯେ ଏବେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୬୦ କିମି ରହୁଛି । ୧୩ ତାରିଖ ବେଳକୁ ତାହା ବୃଦ୍ଧି ପାଇ ଘଣ୍ଟା ପ୍ରତି ୬୫ କିମିରେ ପହଞ୍ଚି ବ। ୧୫ ଓ ୧୬ ତାରିଖରେ ଗଭୀର ଅବପାତ ପ୍ରଭାବରେ ଘଣ୍ଟା ପ୍ରତି ୮୦ କିମି ବେଗରେ ପବନ ବହିପାରେ ।

ଏହି ସମୟରେ ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ ଓ ପଣ୍ଡିଚେରି ଉପକୂଳ ଅଶାନ୍ତ ରହିବ। ତେଣୁ ମତ୍ସଜୀବୀମାନେ ସମୁଦ୍ରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ଯେଉଁମାନେ ସମୁଦ୍ର ଭିତରକୁ ଯାଇଛନ୍ତି ସେମାନେ ୧୪ ତାରିଖ ସନ୍ଧ୍ୟା ସୁଦ୍ଧା ଉପକୂଳକୁ ଫେରି ଆସିବାକୁ କୁହାଯାଇଛି । ୧୫ ଓ ୧୬ ତାରିଖରେ ଉପକୂଳ ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ଓ ପଣ୍ଡିଚେରିରେ ପ୍ରବଳରୁ ପ୍ରବଳ ବର୍ଷା ହେବ। ୧୬ ତାରିଖଠାରୁ ଓଡ଼ିଶା ‌ସମେତ ଛତିଶଗଡ଼, ତେଲେଙ୍ଗାନା, ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକର କିଛି ସ୍ଥାନରେ ପ୍ରବଳ ‌ବର୍ଷା ହେବାର ଆକଳନ କରାଯାଇଛି ।

 

ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ଯେ ୧୬ ତାରିଖ ବେଳକୁ ଅବପାତର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ । ପବନର ସମ୍ଭାବନା ନାହିଁ । ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇପାରେ । କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ । ଏହି ସମୟରେ ଉତ୍ତର ଓଡ଼ିଶାରେ ପାଗ ଶୁଖିଲା ରହିବ । ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ରହିଥିବାରୁ ଗୁରୁବାର ଝାରସୁଗୁଡ଼ା, ସମ୍ବଲପୁର, ନବରଙ୍ଗପୁର, କୋରାପୁଟ ଓ ସୁନ୍ଦରଗଡ଼ର ଗୋଟିଏ ଦୁଇଟି ସ୍ଥାନରେ ହାଲକା ବର୍ଷା ହୋଇପାରେ ।

ପାଣିପାଗ ବିଶେଷଜ୍ଞଙ୍କ କହିବାନୁଯାୟୀ ଅବପାତ ବାତ୍ୟାରେ ପରିଣତ ହେବ କି ନାହିଁ ଏବେ କହିବା କଷ୍ଟକର । ତଥାପି ସ୍ଥଳ ଭାଗ ଛୁଇଁବା ସମୟରେ ପବନର ‌ବେଗ ଘଣ୍ଟା ପ୍ରତି ୮୦ କିମି ପର୍ଯ୍ୟନ୍ତ ରହିବ । ବର୍ତମାନର ସ୍ଥିତିକୁ ଦେଖିଲେ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ। କେବଳ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ହୋଇପାରେ । ୧୪ ତାରିଖ ବେଳକୁ ଚିତ୍ର ସ୍ପଷ୍ଟ ହୋଇଯିବ । ୧୬ ତାରିଖ ସକାଳଠାରୁ ଆକାଶ ମେଘୁଆ ରହିବା ସହ ବର୍ଷାର ଆଶଙ୍କା ରହିଛି। ଦକ୍ଷିଣ-ପୂର୍ବ ଓ ଉତ୍ତର-ପୂର୍ବ ଦିଗରୁ ପବନ ବହିବ । ଦିନରେ ସର୍ବାଧିକ ତାପମାତ୍ରା ୧୮-୩୦ ଡିଗ୍ରି ରହିବାକୁ ଥିବା ବେ‌ଳେ ସର୍ବନିମ୍ନ ତାପମାତ୍ରା ୧୫ରୁ ୧୬ ଡିଗ୍ରି ମଧ୍ୟରେ ରହିବ । ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ଥିବାରୁ ଚାଷୀମାନେ ଅମଳ ଅବସ୍ଥାରେ ଥିବା ଧାନ କାଟି ଦେବାକୁ ସେମାନେ ପରାମର୍ଶ ଦେଇଛନ୍ତି ।