ରାଜ୍ୟର ୧୭ଟି ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହିତ କୁଆପଥର ବର୍ଷା ହେବାର ସମ୍ଭାବନା : ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ

64

କନକ ବ୍ୟୁରୋ : ଆଗାମୀ ୨୪ଘଣ୍ଟା ଭିତରେ ରାଜ୍ୟର ୧୭ଟି ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହିତ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗକେନ୍ଦ୍ର ସତର୍କ ସୂଚନା ଜାରି କରିଛି । ସୁନ୍ଦରଗଡ଼, ଝାରସୁଗୁଡା, କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, ଭଦ୍ରକ, ବାଲେଶ୍ୱର, ଅନୁଗୁଳ, ଢ଼େଙ୍କାନାଳ, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା ଓ ଜଗତସିଂହପୁର ବାସିନ୍ଦାଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗ କହିଛି  । ଏହି ଜିଲ୍ଲାମାନଙ୍କ ମଧ୍ୟରୁ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ୫୦ରୁ୬୦କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ତେଣୁ ଏହି ସମୟର ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି ।

ଗତକାଲି ସମ୍ବଲପୁର, ଢ଼େଙ୍କାନାଳ, ସୁନ୍ଦରଗଡ଼, ସୋନପୁର,ବରଗଡ଼, ଅନୁଗୁଳ ଆଦି ଜିଲ୍ଲାରେ ବର୍ଷା ହୋଇଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ଗତକାଲି ଟିଟଲାଗଡ଼ ସର୍ବାଧିକ ତାପମାତ୍ର ୪୪.୦ଡିଗ୍ରୀ ଥିବା ବେଳେ ଫୁଲବାଣୀରେ ୧୨.୨ଡିଗ୍ରୀ ସର୍ବନିମ୍ନ ତାପମାତ୍ର ରହିଥିଲା ।

ଏତଦ୍‌ବ୍ୟତୀତ ମୌସୁମୀ ବର୍ଷାକୁ ନେଇ ପାଣିପାଗ ବିଭାଗ ୪ପ୍ରମୁଖ ଭୌଗୋଳିକ ଅଞ୍ଚଳରେ ସ୍ୱାଭାବିକ ବର୍ଷା ହେବା ନେଇ ସୂଚନା ଜାରି କରିଛି । ସେଣ୍ଟ୍ରାଲ ରିଜିଅନ୍‌ରେ ୯୯ପ୍ରତିଶତ ସମ୍ଭାବ୍ୟ ବର୍ଷା ହୋଇପାରେ । ଓଡ଼ିଶା ସେଣ୍ଟ୍ରାଲ ରିଜିଅନ୍‌ରେ ଆସୁଥିବା ବର୍ଷା ସ୍ୱାଭାବିକ ରହିବ । ଏଥିସହିତ ଜୁଲାଇରେ ଅଗଷ୍ଟଠାରୁ ଅଧିକ ବର୍ଷା ହେବା ନେଇ ସୂଚନା ଜାରି କରାଯାଇଛି ।