କନକ ବ୍ୟୁରୋ : ଉତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରୁ ରାଜ୍ୟରେ ଲଗାଣ ବର୍ଷା ହେଉଛି । ଏହାର ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୮ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା ଓ ବଲାଙ୍ଗୀର ଆଦି ରହିଛି । ସେହିପରି ମାଲାକାନଗିରି, କୋରାପୁଟ, ନୂଆପଡ଼ା, କଳହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ଅନ୍ୟପଟେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ବରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ ଆଶଙ୍କା ରହିଛି । ଏନେଇ ସମସ୍ତ ଜିଲ୍ଲାର ବାସିନ୍ଦାକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏଇକିଛି ଦିନ ମଧ୍ୟରେ ବିଜୁଳି ହେତୁ ଅନେକ ଲୋକଙ୍କ ଜୀବନ ବି ଚାଲିଯାଇଥିବା ଖବର ପ୍ରକାଶ ପାଇଛି । ତେଣୁ ବିଜୁଳି ମାରୁଥିବା ସମୟରେ ସତର୍କତା ସହ ରହିବାକୁ କୁହାଯାଇଛି । ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ବାରଣ କରାଯାଇଛି ।

ସେପଟେ ଲଗାଣ ବର୍ଷା ଯୋଗୁଁ ପାଣି ଘେରରେ କଳାହାଣ୍ଡି । କଳାହାଣ୍ଡି ଜିଲ୍ଲାରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ଜିଲ୍ଲାର ଅନେକ ଅଂଚଳ ଜଳମଗ୍ନ ହୋଇପଡିଛି । ଭବାନିପାଟଣା ପିପଲନାଲ ନିକଟରେ ଥିବା ଜଳେଶ୍ୱର ମନ୍ଦିର ବନ୍ୟା ପାଣିରେ ବୁଡି ଯାଇଛି । ଲଗାଣ ବର୍ଷା ଯୋଗୁଁ ମନ୍ଦିର ପାଖରେ ପ୍ରବଳ ଯୋରରେ ପାଣିର ସୁଅ ପଡିଛି ।

କେବଳ ମନ୍ଦିର ନୁହେଁ, ତଳିଆ ଅଂଚଳରେ ବିଭିନ୍ନ ଜନବସତି ଭିତରକୁ ପାଣି ପଶିଯାଇଛି । ଘର ଭିତରେ ଅଂଟାଏ ପାଣି ପଶିବା ଯୋଗୁ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ । ରାସ୍ତା ଘାଟରେ ପାଣି ଜମି ରହିବା ଦ୍ୱାରା ଯାତାୟତରେ ମଧ୍ୟ ସମସ୍ୟା ଦେଖା ଦେଇଛି । ଯୋଗାଯୋଗ ବିଛିନ୍ନ ହୋଇ ପଡିଥିବାରୁ ଅନେକ ସ୍ଥାନରେ ଭୋକ ଉପାସରେ ରହିଛନ୍ତି ଲୋକ । ରାସ୍ତା ମଧ୍ୟ ଧୋଇ ହୋଇଯାଇଛି । ଏପରିକି ପିଇବା ପାଣି ନେଇ ମଧ୍ୟ ସମସ୍ୟା ଭୋଗୁଛନ୍ତି ପାଣି ଘେରରେ ରହିଥିବା ଲୋକେ । ଜିଲ୍ଲାରେ ବିଭିନ୍ନ ନଦୀରେ ଜଳସ୍ତର ବୃ୍ଦ୍ଧି ପାଇବାରେ ଲାଗିଛି । ଇନ୍ଦ୍ରାବତୀ ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହାତୀ ବ୍ୟାରେଜ୍ର ୫ଟି ଗେଟ୍ ଖୋଲାଯାଇଛି । ସେକେଣ୍ଡ ପ୍ରତି ୪୪୨ କ୍ୟୁସେକ୍ ଜଳ ଛଡାଯାଉଛି । ଅନ୍ୟପଟେ ଜୁନାଗଡର ବିଭିନ୍ନ ୱାର୍ଡରେ ବନ୍ୟା ପାଣି ପଶିଯାଇଥିବା ବେଳେ ଥୁଆମୂଳ ରାମପୁର ଓ କଲମପୁର ମଧ୍ୟରେ ଯୋଗେଯାଗ ବିଚ୍ଛିନ୍ନ ହୋଇପଡିଛି । ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକରେ ସର୍ବାଧିକ ୨୦୮ ଦଶମିକ ୫ ମିଲିମିଟର ବର୍ଷା ହୋଇଥିବା ବେଳେ ଜୟପାଟଣାରେ ୧୫୦ ମିଲିମିଟର, କଲମପୁରରେ, ୧୩୭ ମିଲିମିଟର ଓ ଜୁନାଗଡରେ ୭୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ପ୍ରବଳ ବର୍ଷା ଯୋଗୁଁ କୋରାପୁଟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଲଗାଣ ବର୍ଷା କୋରାପୁଟ ଜିଲ୍ଳାବାସୀଙ୍କ ଗତିପଥକୁ ବଦଳାଇ ଦେଇଛି । ମୁଖ୍ୟତଃ ଜୟପୁର ସହରର ସବୁ ଗଳି କନ୍ଦିରେ ପାଣି ଭରି ହୋଇରହିଥିବା ବେଳେ ଜାତୀୟ ରାଜପଥ ୨୬ର ଅବସ୍ଥା ସାଂଘାତିକ ହୋଇଛି । ରାସ୍ତା ନିର୍ମାଣର ବର୍ଷେ ନପୁରୁଣୁ ଲଗାଣ ବର୍ଷା ସମ୍ପୁର୍ଣ୍ଣ ରୁପେ ନଷ୍ଟ କରିଛି । ସେପଟେ ନଦୀକୁ ଖସି ପଡିଛି ଟ୍ରାକ୍ଟକ । ବୋରିଗୁମ୍ମା ବ୍ଲକର ରଣସପୁରଠାରୁ ବିସିଙ୍ଗପୁର କେନାଲ କାମରେ ଟ୍ରାକରଟି ନିୟୋଜିତ ଥିଲା । ଏହି ସମୟରେ ସିଙ୍ଗାରୀ ନଦୀରେ ବନ୍ୟାଜଳ ମାଡିଆସିଲା । ଫଳରେ ଟ୍ରାକ୍ଟରଟି ବ୍ରିଜରୁ ନଦୀରେ ଖସିପଡିଥିଲା । ବର୍ତମାନ ଟ୍ରାକ୍ଟରଟି ନଦୀ ଭତିରେ ଫଶି ରହିଛି ।

 

ସେପଟେ ମାଟି ଅତଡା ଖସିବାରୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । କୋରାପୁଟ ଲକ୍ଷ୍ମୀପୁର-କାକିରିଗୁମା ମଧ୍ୟରେ ମାଟି ଅତଡ଼ା ଖସିବାରୁ ସମସ୍ତ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି । ଟିଟଲାଗଡରୁ ରାୟଗଡା ଏବଂ ରାୟଗଡାରୁ କୋରାପୁଟକୁ ଯାଉଥିବା ସମସ୍ତ ଟ୍ରେନକୁ ବାତିଲ କରାଯାଇଛି । ସମ୍ବଲପୁର-କୋରାପୁଟ ପାସେଂଜର, ଜୁନାଗଡ ରୋଡ୍-ଲାଂଜିଗଡ ରୋଡ୍ ପାସେଂଜର, ସମ୍ବଲପୁର-ଜୁନାଗଡ ରୋଡ୍ ପାସେଂଜର, ରାୟପୁର-କେସିଙ୍ଗା ପାସେଂଜର, ରାୟଗଡା-ସମ୍ବଲପୁର ଏକ୍ସପ୍ରେସ, କୋରାପୁଟ-ସମ୍ବଲପୁର ପାସେଂଜର, ସମ୍ବଲପୁର-ରାୟଗଡା ଏକ୍ସପ୍ରେସ, ବିଶାଖପାଟଣା-ରାୟପୁର ପାସେଂଜର, ରାୟପୁର-ବିଶାଖପାଟଣା ପାସେଂଜର, ବିଶାଖପାଟଣା-ଦୁର୍ଗ ପାସେଂଜର, ଜଗଦଲପୁର-ହାଓଡା ସମଲେଶ୍ୱରୀ ଏକ୍ସପ୍ରେସ, ରାୟଗଡା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସକୁ ବାତିଲ କରାଯାଇଛି । ଏହି ଟ୍ରେନ୍ ସବୁ ବାୟାଗୁଡ଼ା, କାକିରିଗୁମା, ଲକ୍ଷ୍ମୀପୁର ଷ୍ଟେସନ ଗୁଡିକରେ ଅଟକି ରହିଛି । ଟ୍ରେନ ଲାଇନରୁ ମାଟି କାଢ଼ିବା କାମ ଜାରି ରହିଛି ।

ପ୍ରବଳ ବର୍ଷା ମାଲକାନଗିରି ଜିଲ୍ଲାରେ ଅବସ୍ଥା ବେହାଲ ହୋଇପଡିଛି । ମୂଷଳ ଧାରାରେ ବର୍ଷା ଯୋଗୁ ସପ୍ତଧାରା ନଦୀ ଫୁଲିବାରେ ଲାଗିଛି । ଗୋବିନ୍ଦପାଲି ଘାଟିରେ ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ପୋଲ ଉପରେ ପାଣି ଚାଲୁଥିବା ଯୋଗୁଁ ଯାନବାହନ ଚଳାଚଳ ଠପ୍ ହୋଇପଡିଛି । ପାଙ୍ଗାମ ପୋଲ ଉପରେ ବି ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି । ଫଳରେ ମାଲକାନଗିରି ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି । ଏହା ସହ କାର୍ଲାପୋଟ ପୋଲ ଉପରେ ୪ ଫୁଟର ପାଣି ଚାଲୁଛି । ଯେଉଁଥି ପାଇଁ ମାଲକାନଗିରି-ବାଲିମେଳା ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି । ବଣ୍ଡାଘାଟିରେ ମଧ୍ୟ ପ୍ରବଳ ମାତ୍ରାରେ ବର୍ଷା ପବନ ହୋଇଛି । ପବନ ଯୋଗୁଁ ରାସ୍ତା ଉପରେ ଗଛ ଭାଙ୍ଗି ପଡିଛି । ରାସ୍ତା ଉପରୁ ଗଛ ଉଠାଇବା କାମ ଜାରି ରହିଛି । ମୁଦୁଲିପଡା ପୁଲିସ ଓ ଅଗ୍ନିଶମ ଅଧିକାର ରାସ୍ତା ସଫା କାମରେ ଲାଗିଛନ୍ତି । ମୁଦୁଲିପଡା ଆଈଆଇସି ନିଜେ ଗଛ କାଟିବା କାମରେ ଲାଗିଥିବା ଦେଖିବାକୁ ମିଳିଛି ।

ଲଗାଣ ବର୍ଷା ଫଳରେ ନବରଙ୍ଗପୁରରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରୁ ଅନେକ ଅଂଚଳ ଜଳମଗ୍ନ ହୋଇପଡିଛି । ଏପରିକି ପୋଲ ଉପରେ ବି ପ୍ରବାହିତ ହେଉଛି ବନ୍ୟାଜଳ । ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକରେ ଦହଣା ନିକଟରେ ଥିବା ବାଙ୍ଗିରି ବ୍ରିଜ୍ ଉପର ଦେଇ ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ଏହି ରାସ୍ତା ଦେଇ ଇନ୍ଦ୍ରାବତୀ ଓ ଜିଲ୍ଲା ସଦର ମହକୁମାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଇନ୍ଦ୍ରାବତୀ, ଦହଣା, ଦିଗିସଲାପା, ଜଗନ୍ନାଥପୁର, ଅଂଟସର, ଝାଡବନ୍ଧଗୁଡା, ମାଳିଗୁଡା, ଉସୁରିପଦର, ନୂଆଗାଁ, ମେରନାଶକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।

ରାଜ୍ୟରେ ଦୁଇ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ ରାୟଗଡ଼ାରେ ବନ୍ୟା ପରିସ୍ଥିତି । ଅମ୍ବାଦଳା ବଂଶଧାରା ବ୍ରିଜ ଉପରେ ୫ଫୁଟର ବନ୍ୟାପାଣି ପ୍ରବାହିତ ହୋଇଛି । ସାଧାରଣାରେ ଯାତାୟତ ଠପ ହୋଇପଡ଼ିଛିି । ରାୟଗଡ଼ା-ଭବାନୀପାଟଣାକୁ ଯୋଗାଯୋଗ ବିଚ୍ଚିନ୍ନ ହୋଇଛି । ରାସ୍ତାର ଉଭୟ ପାଶ୍ୱରେ ଗାଡି ଅଟକି ରହିଛି । ସ୍କୁଲ ବସ ଅଟକି ରହିଥିବାରୁ ଛାତ୍ରଛାତ୍ରୀ ଶିକ୍ଷକମାନେ ସ୍କୁଲ ଯାଇପାରିନାହାନ୍ତି ।