ରାଜଧାନୀରେ ବର୍ଷା ପାଣିରେ ଭାସିଗଲା କାର୍ ! ଅନ୍ୟପଟେ ଅତ୍ୟଧିକ ପାଣି ଯୋଗୁଁ ଆଇଟିଆର୍ ଅଂଚଳରେ ଭୁଶୁୁଡ଼ିଗଲା ପାଚେରୀ

35

କନକ ବ୍ୟୁରୋ : ରାଜଧାନୀରେ ଆଜି ସକାଳୁ ପ୍ରବଳ ବର୍ଷା ଲାଗି ରହିଛି । ତୁହାକୁ ତୁହା ବର୍ଷା ହେଉଛି । ବର୍ଷା ଛାଡ଼ିବାର ନାଁ ନେଉନି । ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଲାଣି । ତଳିଆ ଅଂଚଳର ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି ଲୋକେ । ରାଜଧାନୀ ଭୁବନେଶ୍ୱରରେ ୧୩୨ ଏମଏମ ବର୍ଷା ରେକର୍ଡ଼ ହୋଇଛି । ତେବେ ଆଜି ଏତେ ଜୋରରେ ବର୍ଷା ହୋଇଛି ଯେ ଭୁବନେଶ୍ୱରର ଜୟଦେବ ବିହାର ଅଂଚଳରେ ଏକ କାର ଭାସିଯାଇଛି । ଅନ୍ୟପଟେ ଭୁବନେଶ୍ୱରର ଆଇଟିଆର ନିକଟରେ ଏକ କାନ୍ଥ ଭୁଶୁଡ଼ିଯାଇଛି ।

ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ଭୀଷଣ ବର୍ଷା ଜାରି ରହିଛି । କଟକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ଗଜପତି, ଗଞ୍ଜାମ ସହ ଆହୁରି ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହେଉଛି । ବର୍ଷାରେ ରାଜଧାନୀ ଭୁବନେଶ୍ୱର ପୁଣି ଥରେ ଉବୁଟୁବୁ ହୋଇଛି । ସେହିପରି ଆଚାର୍ୟ୍ୟବିହାର ଅଂଚଳରେ ମଧ୍ୟ ଅବସ୍ଥା ସଙ୍ଗୀନ ହୋଇପଡିଛି । ତଳିଆ ଅଂଚଳରେ ଘର ଭିତରେ ପାଣି ପଶିଯାଇଛି । ବର୍ଷା ଯୋଗୁଁ କଟକ ଓ ଭୁବନେଶ୍ୱରରେ ଛୁଟି ଘୋଷଣା ହୋଇଛି । ସ୍କୁଲ ଓ କଲେଜ୍ ଛୁଟି ନେଇ ଏସଆରସି ବିଷ୍ଣୁପଦ ସେଠୀ ଘୋଷଣା କରିଛନ୍ତି । ଆଜି ଓ କାଲି ଅର୍ଥାତ୍ ୨୧ ଓ ୨୨ ତାରିଖରେ ୧୯ଟି ଜିଲ୍ଲାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆଗୁଆ ସୂଚନା ଜାରି କରିଥିଲା । ପୁରୀ ଓ ଗଞ୍ଜାମ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆକଳନ କରିଥିଲା ଆଂଚଳିକ ପାଣିପାଗ ବିଭାଗ ।

ସେପଟେ ପିଲାଛୁଆଙ୍କୁ ଧରି ଘରେ ବହୁତ କଷ୍ଟରେ ରହିଛନ୍ତି ଟୁଇନ ସିଟିର ଲୋକ । ତେବେ ପ୍ରଶାସନ ସକାଳୁ ପାଣି ବାହାର କରିବା ପାଇଁ ପ୍ରୟାସ କରୁଥିଲେ ମଧ୍ୟ ବର୍ତ୍ତମାନ ସମୟରେ ଅନେକ ସ୍ଥାନରେ ପାଣି ଜମି ରହିଥିବା ଦେଖିବାକୁ ମିଳିଛି । ଘରେ ପାଣି ପଶିଯିବାରୁ ଲୋକମାନେ ଭୋକ ଉପାସରେ ପଡି ରହିଛନ୍ତି ।

ତେଣୁ ସମସ୍ତ ଲୋକ ଯେଉଁମାନେ ପାଣି ଘେରରେ ରହିଛନ୍ତି । ସେମାନଙ୍କୁ ସରାକାରଙ୍କ ପକ୍ଷରୁ ରନ୍ଧାଖାଦ୍ୟ ଯୋଗାଇ ଦେବା ଲାଗି ନିଷ୍ପତ୍ତି ନିଆଯାଇଛି । ଏପଟେ ଏତେମାତ୍ରାରେ ପାଣି ରାସ୍ତାରେ ଚାଲୁଛି ଯେ, ପଦରେ ଚାଲିକି ଯିବା ମଧ୍ୟ କଷ୍ଟ ହୋଇପଡିଛି । ଛାତ୍ରଛାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର କଟକ ଓ ଭୁବନେଶ୍ୱରର ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି ସରକାର । ଭୁବନେଶ୍ୱରର ରସୁଲଗଡ, ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ନୟାପଲ୍ଲୀ, ପଳାଶୁଣୀ, ବାଣୀବିହାର, ବମିଖାଲ, ଭିଏସଏସନଗର ଆଦି ଅଞ୍ଚଳରେ ଆଣ୍ଠୁଏ ଉଚ୍ଚର ପାଣି ଜମିରହିଥିବା ବେଳେ କଟକର ବାଦାମ ବାଡି, ଶେକ ବଜାର, ଦରଘା ବଜାର ଓ ଷ୍ଟେସନ ବଜାର ଅଞ୍ଚଳରେ ପ୍ରବଳ ପାଣି ଜମି ରହିଥିବା ଦେଖାଯାଇଛି । ତେବେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବର୍ଷାଜଳ କମାଇବା ଲାଗି ପ୍ରୟାସ କରାଯାଉଥିବା ସୂଚନା ମିଳିଛି ।