ସୁପର ସନଡେର ସୁପର ସୋ’ରେ ବାଧା ଦେବ ବର୍ଷା! ଭାରତ-ପାକିସ୍ତାନ ମ୍ୟାଚ୍ ଉପରେ ଘୂରିବୁଲୁଛି ବର୍ଷାର କଳାବାଦଲ, ଜାଣନ୍ତୁ କଣ କହୁଛି ପାଣିପାଗ ବିଭାଗ ।

428

ଆସନ୍ତା ୧୬ରେ ବିଶ୍ୱକପ ୨୦୧୯ର ମହାମୁକାବିଲା ଦେଖିବାକୁ ପାଇବେ କ୍ରିକେଟପ୍ରେମୀ । ମାଞ୍ଚେଷ୍ଟର ମୈଦାନରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ । ଏହି ମ୍ୟାଚକୁ ଜିତିବା ପାଇଁ ଭାରତ ଜୋରଦାର ପ୍ରସ୍ତୁତି କରୁଥିବା ବେଳେ ପାକିସ୍ତାନ ଏହାକୁ କର ବା ମର ମ୍ୟାଚ୍ ରୂପେ ଦେଖୁଛି । ପୂର୍ବ ଇତିହାସ ଭାରତ ସପକ୍ଷରେ ଯାଉଥିବା ବେଳେ ପାକିସ୍ତାନ ଚଳିତ ବିଶ୍ୱକପରେ ନୂଆ ଅଧ୍ୟାୟ ଲେଖିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛି ।

ତେବେ ଏହି ମହାମୁକାବିଲାର ମଜାକୁ ପାଣିଚିଆ କରିପାରେ ବର୍ଷା । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ବର୍ଷାରେ ଧୋଇଯିବା ପରେ ଏବେ ପାକିସ୍ତାନ ବିପକ୍ଷ ମ୍ୟାଚରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିପାରେ । ଏହି ହାଇଭୋଲଟେଜ ମୁକାବିଲା ଉପରେ ଏବେ ବର୍ଷାର କଳାବାଦଲ ଢାଙ୍କି ହୋଇ ରହିଛି । ପାଣିପାଗ ବିଭାଗ ଅନୁଯାୟୀ, ରବିବାର ମାଞ୍ଚେଷ୍ଟରରେ ପାଗୁଆ ମେଘାଚ୍ଛନ ରହିବ । ଏପରିକି ମଝିରେ ମଝିରେ ବର୍ଷା ହୋଇପାରେ । ତେଣୁ ଭାରତ-ପାକିସ୍ତାନ ହାଇଭୋଲଟେଜ ମୁକାବିଲା କ୍ରେଜ କମାଇପାରେ ବର୍ଷା ।

ଆକ୍ୱାୱେଦର ଡଟ୍ କମ୍ ଅନୁଯାୟୀ, ରବିବାର ମାଞ୍ଚେଷ୍ଟରରେ ସକାଳ ୯ଟାରେ ବର୍ଷା ହୋଇପାରେ । ସେହିଭଳି ମଧ୍ୟାହ୍ନ ୧୧ଟା ଓ ଅପରାହ୍ନ ୨ଟାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବ ମ୍ୟାଚ୍ ଉପରେ ମଧ୍ୟ ପଡିପାରେ । ତେବେ ନଟିଂହାମ ଭଳି ମାଞ୍ଚେଷ୍ଟରରେ ବର୍ଷା ଲାଗି ରହିବ ନାହିଁ ବୋଲି ସ୍ପଷ୍ଟ କରିଛି ପାଣିପାଗ ବିଭାଗ । ଭାରତ-ପାକିସ୍ତାନ ମଧ୍ୟରେ ପୂର୍ବରୁ ବିଶ୍ୱକପରେ ୬ଟି ମ୍ୟାଚ୍ ଖେଳାଯାଇଥିବା ବେଳେ ସବୁ ମ୍ୟାଚରେ ବାଜି ମାରିଛି ଟିମ୍ ଇଣ୍ଡିଆ । ତେଣୁ ଏହି ବିଜୟ ଧାରା ଜାରି ରହିବାକୁ ବିରାଟ ବାହିନୀ ଉଦ୍ୟମ କରିବ ।

ଏହାପୂର୍ବରୁ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିପକ୍ଷ ବିଶ୍ୱକପ ମ୍ୟାଚ୍ ନ ଖେଳିବାକୁ ଆଇସିସି ନିକଟରେ ଦାବି କରିଥିଲା ଭାରତ । ତେବେ ବିସିସିଆଇର ଏଭଳି ଦାବିକୁ ଗ୍ରହଣ କରିନଥିଲା ଆଇସିସି ।