ଧ୍ୟାନ ଦେଲାନି ଆଇସିସି ! ସେମିଫାଇନାଲ ମୁକାବିଲାରୁ ଟାଣୁଆ ଟିମ୍ ବାଦ୍ ପଡିବା ସମ୍ଭାବନା, ଭାଙ୍ଗିଯିବ ବିଶ୍ୱକପ ଜିତିବା ସ୍ୱପ୍ନ ।

2,151

କନକ ବ୍ୟୁରୋ : ଚଳିତ ବିଶ୍ୱକପରେ ବର୍ଷା କଲା ବିଶ୍ୱ ରେକର୍ଡ । ବିଶ୍ୱକପର ୧୮ ମ୍ୟାଚ୍ ମଧ୍ୟରୁ ୪ଟି ମ୍ୟାଚ୍ ବର୍ଷା ପାଇଁ ବାତିଲ ହେବା ପରେ ନୂଆ ବିଶ୍ୱରେକର୍ଡ ହୋଇଛି । ନ୍ୟୁଜିଲାଣ୍ଡ-ଭାରତ ମ୍ୟାଚ୍ ବର୍ଷା କାରଣରୁ ବାତିଲ ହେବା ପରେ ଏହି ନିଆରା ରେକର୍ଡ ଯୋଡି ହୋଇଯାଇଛି । ଆଉ ଏଭଳି ଘଟଣା ପରେ ଏବେ ଆଇସିସି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି କ୍ରିକେଟପ୍ରେମୀ । ଏତେବଡ ଅର୍ନ୍ତଜାତୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ପୂର୍ବରୁ ଆଇସିସି ଇଂଲଣ୍ଡର ପାଣିପାଗ ଉପରେ ଦୃଷ୍ଟି ଦେଇନଥିଲା କି?ଏହାପୂର୍ବରୁ ୧୯୯୨ ଓ ୨୦୦୩ରେ ବର୍ଷା କାରଣରୁ ୨ଟି ଲେଖାଏଁ ମ୍ୟାଚ୍ ରଦ୍ଦ ହୋଇଥିଲା ।

ବିଶ୍ୱକପ ଆରମ୍ଭ ହେବା ପରଠାରୁ ଏହାର କ୍ରେଜ ଧୀରେ ଧୀରେ ବଢିବାରେ ଲାଗିଛି । କିନ୍ତୁ ଏହି ରୋମାଞ୍ଚରେ ବ୍ରେକ ଲଗାଉଛି ବର୍ଷା । ଆଉ ଏହି ବର୍ଷାର ପ୍ରଭାବ ସିଧାସଳଖ ପଏଣ୍ଟ ଟେବୁଲ ଉପରେ ମଧ୍ୟ ପଡୁଛି । ଯଦି ଏଭଳି ସ୍ଥିତି ଆଗକୁ ମଧ୍ୟ ଜାରି ରୁହେ ତେବେ ଶକ୍ତିଶାଳୀ ଟିମ୍ ମଧ୍ୟ ସେମିଫାଇନାଲରୁ ବାଦ୍ ପଡିପାରନ୍ତି । କାରଣ ଏହି ବର୍ଷା ହିଁ ପଏଣ୍ଟ ଟେବୁଲର ସମୀକରଣକୁ ଓଲଟପାଲଟ କରିପାରେ । ଏବେ ସୁଦ୍ଧା ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ୱେଷ୍ଟଇଣ୍ଡିଜ, ଦକ୍ଷିଣ-ଆଫ୍ରିକା, ନ୍ୟୁଜିଲାଣ୍ଡ, ଭାରତ ବର୍ଷା ପାଇଁ ପଏଣ୍ଟ ବାଣ୍ଟି ନେଇଛନ୍ତି ।

ଏହାପୂର୍ବରୁ ବର୍ଷା କାରଣରୁ ୧୯୯୨ ବିଶ୍ୱକପରେ ୨ଟି ମ୍ୟାଚ୍ ରଦ୍ଦ ହୋଇଥିବା ବେଳେ ୯ଟି ମ୍ୟାଚ୍ ବର୍ଷାର୍ ଯୋଗୁଁ ବାଧାପ୍ରାପ୍ତ ହୋଇଥିଲା । ସେହିଭଳି ୨୦୦୩ରେ ମଧ୍ୟ ୨ଟି ମ୍ୟାଚ୍ ରଦ୍ଦ ହୋଇଥିବା ବେଳେ ୫ଟି ମ୍ୟାଚ୍ ବାଧାପ୍ରାପ୍ତ ହୋଇଥିଲା । ୨୦୦୭ରେ ବର୍ଷା ପାଇଁ ୭ଟି ମ୍ୟାଚ୍ ବାଧାପ୍ରାପ୍ତ ହୋଇଥିଲେ ମଧ୍ୟ କୌଣସି ମ୍ୟାଚ୍ ରଦ୍ଦ ହୋଇନଥିଲା । ଏପରିକି ୨୦୧୭ରେ ଇଂଲଣ୍ଡରେ ହୋଇଥିବା ଚାମ୍ପିୟନ୍ସ ଟ୍ରଫି ମଧ୍ୟ ବର୍ଷା ବଡ ବାଧକ ସାଜିଥିଲା । ସେତେବେଳେ ବର୍ଷା ପାଇଁ ୧୦ଟି ମ୍ୟାଚ୍ ବାଧାପ୍ରାପ୍ତ ହୋଇଥିଲା । ଏହାପରେ ମଧ୍ୟ ଆଇସିସି ପକ୍ଷରୁ ବିଶ୍ୱକପ ସୂଚୀରେ କୌଣସି ପରିବର୍ତ୍ତନ କରାଯାଇନଥିଲା । ତେବେ ବାରମ୍ବାର ବର୍ଷା ପାଇଁ ମ୍ୟାଚ୍ ବନ୍ଦ ହେବା ଯୋଗୁଁ ଆଇସିସି ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଆଇସିସି ପକ୍ଷରୁ କୁହାଯାଇଛି ଯେ, ସାଧାରଣତଃ ଜୁନ୍ ମାସରେ ଲଣ୍ଡନରେ କମ ବର୍ଷା ହୋଇଥାଏ । ଏପରିକି ୨୦୧୮ ମସିହାରେ ଏହି ମାସରେ ମାତ୍ର ୨ ମିମି ବର୍ଷା ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ପୂର୍ବ ଇଂଲଣ୍ଡେରେ ୧୦୦ ମିମିରୁ ଅଧିକ ବର୍ଷା ହୋଇଛି । ତେଣୁ ଏହାର ବିକଳ୍ପ ବ୍ୟବସ୍ଥା କିଛି ନାହିଁ ବୋଲି ସ୍ପଷ୍ଟ କରିଛି ଆଇସିସି ।