ଆସନ୍ତାକାଲି ଠାରୁ ଶୁଖିଲା ରହିବ ପାଗ ! ୪ରୁ ପାଗ ବଦଳିବାର ସମ୍ଭାବନା

106

କନକ ବ୍ୟୁରୋ : ଓଡ଼ିଶା ଉପରେ ଟ୍ରାପ୍ ଲାଇନ୍‌ରେ ପ୍ରଭାବରେ ଲାଗି ରହିଥିବା କାଳବୈଶାଖୀ ବର୍ଷା କମିବ । ଶୁକ୍ରବାର ମୟୂରଭଞ୍ଜ, ବା‌ଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ଖୋର୍ଧା, ରାୟଗଡ଼ା, ଗଜପତି ଓ କନ୍ଧମାଳ ଜିଲ୍ଲାରେ କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ହେବାର ଆଶଙ୍କା ରହିଛି । ଏହି ସମୟରେ ବର୍ଷା ସହ ପବନର ବେଗ ଘଣ୍ଟା ପ୍ରତି ୨୦ରୁ ୩୦କିମି ରହିବ ।

ଶନିବାରଠାରୁ ସୋମବାର ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ବର୍ଷା ହେବାର ସମ୍ଭାବନା ନାହିଁ । ଏହାପରେ କିନ୍ତୁ ପାଗ ପୁଣି ବଦଳିବ। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ହାଲକା ବର୍ଷା ସହ କାଳବୈଶାଖୀ ହେବ। ୫ତାରିଖ ବେଳକୁ ଉତ୍ତର ଓ କେନ୍ଦ୍ରୀୟ ଓଡ଼ିଶାରେ ଥିବା ଜିଲ୍ଲାଗୁଡ଼ିକରେ କାଳବୈଶାଖୀର ପ୍ରଭାବ ରହିବ। ବର୍ଷା ସହ ପବନ ବାଡ଼େଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଅନ୍ୟପକ୍ଷରେ ଗତ ୨୪ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ କାଳବୈଶାଖୀ ତାଣ୍ଡବ ଖେଳାଇଛି । କଟକରେ ସର୍ବାଧିକ ୨୬.୨ ମିମି ବର୍ଷା ହୋଇଥିବା ବେଳେ ବାଲେଶ୍ବରରେ ୨୪.୬, ଭୁବନେଶ୍ବରରେ ୨୧.୮, ଭବାନୀପାଟଣାରେ ୨୧, ଦାରିଙ୍ଗବାଡ଼ିରେ ୧୫, ଗୋପାଳପୁରରେ ୧୦.୬, ଅନୁଗୁଳରେ ୧୦, ଫୁଲବାଣୀରେ ୮.୬ମିମି ବର୍ଷା ରେକର୍ଡ କରାଯାଇଛି । କେତେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଗଛ ଭାଙ୍ଗିବା ସହ ବିଦ୍ୟୁତ୍‌ ସରବରାହ ବାଧାପ୍ରାପ୍ତ ହୋଇଛି ।