କୋରାପୁଟରେ ହଜିଗଲା ବର୍ଷା, ଚିନ୍ତାରେ ଚାଷୀ ! ମେଘ ଖେଳୁଛି ଅଛି ନାହିଁର ଲୁଚକାଳି, ଫସଲ ବୀମା କରିବାକୁ ପ୍ରଶାସନ ଦେଲା ପରାମର୍ଶ ।

73

କନକ ବ୍ୟୁରୋ : ଫେଲ ମାରିଲା ପାଣିପାଗ ବିଭାଗର ଆକଳନ  । କୋରାପୁଟରେ ହଜିଗଲା ବର୍ଷା । ବର୍ଷା ଅଭାବରୁ ଚିନ୍ତାରେ ଏବେ ଚାଷୀ  । ତଳି ବୁଡ଼ା ହେବାକୁ ବସିଲାଣି ରୁଆ ହୋଇପାରୁନାହିଁ  । ଭଲ ଫସଲ ପାଇଁ ଚାଷୀ ଦେଖିଥିବା ସ୍ୱପ୍ନରେ ଏକପ୍ରକାର ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ବସିଲାଣି  । ସେପଟେ ଲୁଚକାଳି ଖେଳୁଛି ବର୍ଷା  । ଏହା ହେଉଛି କୋରାପୁଟ୍ ବୋରିଗୁମ୍ମା ଚାଷୀଙ୍କ ଦୁଃଖର କାହାଣୀ  ।

ଆକାଶରେ ମେଘ ଅଛି କିନ୍ତୁ କୋରାପୁଟରେ ବର୍ଷା ନାହିଁ ଆଉ ଚାଷୀ ମୁହଁରୁ ହଜିଯାଇଛି ଚମକ  । ଏହା ହେଉଛି କୋରାପୁଟ୍ ବୋରିଗୁମ୍ମା ଅଂଚଳର ଘଟଣା । ବର୍ଷାକୁ ଦେଖି ଚାଷୀ ତରତର ହୋଇ ଖରିଫ ଚାଷ ପାଇଁ  ତଳି ପକାଇଥିଲା  । ତେବେ ବର୍ଷାର ଲୁଚକାଳି ଖେଳ ଯୋଗୁଁ ରୁଆ କାମ ଆଗେଇ ପାରୁନାହିଁ  । ଚାରିଆଡ଼େ ଚାଷଜମି ମୁକୁଳା ପଡ଼ିଥିବା ବେଳେ ବଢ଼ିଯାଇଛି ଚାଷୀର ଚିନ୍ତା  ।

ଚାଷ ପାଇଁ ୨୦୬.୮୮ ମିଲିମିଟର ବର୍ଷା ଆବଶ୍ୟକ ହୋଇଥିବା ବେଳେ ଗତ ବର୍ଷ ଜୁନରେ  ୨୬୦.୨୬  ମିଲିମିଟର ବର୍ଷା ହୋଇଥିଲା  । କିନ୍ତୁ ଏ ବର୍ଷ ଜୁନରେ ୧୩୭.୭୬  ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି ଯାହାକି ଆବଶ୍ୟକତା ତୁଳନାରେ ଯଥେଷ୍ଟ କମ୍  । ଏହା ଚାଷ ପାଇଁ ପ୍ରତିବନ୍ଧକ ସୃଷ୍ଟି କରିଥିବା ବେଳେ ଆଗକୁ ସ୍ୱାଭାବିକ ବର୍ଷା ପାଇଁ ଆଶା ବାନ୍ଧିଛନ୍ତି ଚାଷୀ ଓ ପ୍ରଶାସନ  । ଚାଷ କାମ ଯାହାର କି ଆନନ୍ଦ ତାହାର  । ପଢ଼ା ବହିର ଏ କବିତା ମିଛ ପ୍ରମାଣିତ ହୋଇଛି କୋରାପୁଟ ବୋରିଗୁମ୍ମାରେ  । ସୁନାର ଫସଲ ସ୍ୱପ୍ନ ତ ଦୂରରେ ଥାଉ ଏବେ ଫସଲକୁ ବଂଚାଇବା ମଧ୍ୟ କଷ୍ଟକର ହୋଇପଡ଼ିଛି  । ସେପଟେ ଆକାଶରେ ମେଘ ଖେଳୁଛି ଅଛି ନାହିଁର ଲୁଚକାଳି ଖେଳ  ।