ଅସରାଏ ବର୍ଷାରେ ଉବୁଟୁବୁ ପୁରୀ ବଡଦାଣ୍ଡ : ବଡଦାଣ୍ଡରେ ଲହଡି ଭାଙ୍ଗୁଛି ଆଣ୍ଠୁଏ ଆଣ୍ଠୁଏ ପାଣି

35

କନକ ବ୍ୟୁରୋ : ଚଳିତବର୍ଷର ପ୍ରଥମ ବର୍ଷାରେ ଉବୁଟୁବୁ ପୁରୀ ବଡଦାଣ୍ଡ । ଅଳ୍ପ ସମୟର ବର୍ଷାରେ ବଡଦାଣ୍ଡରେ ଲହଡି ଭାଙ୍ଗୁଛି ଆଂଠୁଏ ଆଂଠୁଏ ପାଣି । ଆଗକୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଥିବା ବେଳେ ଏହାର ପରିଚାଳନା ନେଇ ତୁହାକୁ ତୁହା ବୈଠକ ବସୁଛି । ଅନ୍ୟପଟେ ସହର ଡ୍ରେନେଜ ବ୍ୟବସ୍ଥା ନେଇ ହଟ୍ଟଗୋଳ ମଧ୍ୟ ଦେଖିବାକୁ ମିଳିଛି । ହେଲେ ପ୍ରଶାସନ ଡ୍ରେନେଜ କାମ ଶେଷ ହୋଇଥିବା ନେଇ ବାରମ୍ବାର ଦୃଢୋକ୍ତି ପ୍ରକାଶ କରିଛି । କିନ୍ତୁ ଆଜିର ବର୍ଷା ସାମ୍ନାକୁ ଆଣିଛି ସତ ।

ରଥଯାତ୍ରା ସମୟରେ ଏପରି ପରିସ୍ଥିତି ସୃଷ୍ଟି ହେଲେ କି ସାଂଘାତିକ ସ୍ଥିତି ସୃଷ୍ଟି ହେବ ତାହା ସହଜରେ ଅନୁମେୟ । ଅନ୍ୟପଟେ ଆସନ୍ତା ୨୫ ତାରିଖରେ ରଥଯାତ୍ରା ପାଇଁ ତୃତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହେବ । ତେଣୁ ଏହି ବୈଠକରେ ମଧ୍ୟ ପୁରୀ ସହରର ଜଳ ନିଷ୍କାସନ ବ୍ୟବସ୍ଥା ନେଇ ହଟ୍ଟଗୋଳ ହେବା ସମ୍ଭାବନା ସୃଷ୍ଟି ହୋଇଛି ।