ଆଗାମୀ ୨୪ ଘଂଟା ମଧ୍ୟରେ ରାଜ୍ୟର ୬ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା : ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ

66

କନକ ବ୍ୟୁରୋ : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ହେତୁ ଆଗାମୀ ୨୪ଘଣ୍ଟା ମଧ୍ୟରେ ଓଡ଼ିଶା ରାଜ୍ୟର ୬ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରବିବାର ପୂର୍ବାନୁମାନ କରିଛି । ଏହି ଜିଲ୍ଲାମାନଙ୍କ ମଧ୍ୟରେ କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା ଓ ବଲାଙ୍ଗୀର ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଅନୁଗୁଳ, ଢ଼େଙ୍କାନାଳ, କଟକ, ସମ୍ବଲପୁର ଓ ବରଗଡ଼ରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ବି ପ୍ରବଳ ବର୍ଷା ସମ୍ଭାବନା ରହିଛି ।  ତେଣୁ ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ଗତକାଲି ଚାନ୍ଦବାଲିରେ ସର୍ବାଧିକ ତାପମାତ୍ରା ୩୩.୪ଡିଗ୍ରୀ ଥିବା ବେଳେ ସୁନ୍ଦରଗଡ଼ରେ ୧୯.୦ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରହିଥିଲା । ସେହିପରି ପୁରୀ, ରାୟଗଡ଼ା, ଗଞ୍ଜାମ, ବଲାଙ୍ଗୀର, ଜଗତସିଂହପୁର, ଗଜପତି, ଯାଜପୁର, କେନ୍ଦ୍ରାପଡ଼ା, ସୋନପୁର, ଅନୁଗୁଳ, ବଲାଙ୍ଗୀର ଆଦି ସ୍ଥାନରେ ବର୍ଷା ହୋଇଥିଲା ।

ସେପଟେ ରାୟଗଡ଼ାରେ ସଙ୍ଗିନ ହେଲା ବନ୍ୟା ସ୍ଥିତି । ଲଗାଣ ବର୍ଷା ଯୋଗୁ ରାୟଗଡ଼ାରେ ବନ୍ୟା ବିପର୍ଯ୍ୟୟ ଦେଖାଦେଇଛି । ପୋଲ ଉପରେ ପାଣି ଚାଲିଥିବା ଯୋଗୁ ଦାକୁଲୁଗୁଡ଼ା-ହାଟ ମୁନିଗୁଡ଼ା ରାସ୍ତା ବିଚ୍ଛିନ୍ନ ହୋଇଥିବା ଜଣାପଡ଼ିଛି । ସେହିପରି ଦାକୁଲୁଗୁଡ଼ା-ବିଷମକଟକ ରାସ୍ତା ଉପରେ ମଧ୍ୟ ପାଣି ଚାଲିଛି । ପ୍ରବଳ ବର୍ଷା ଯୋଗୁ ରାୟଗଡ଼ା ଜିଲ୍ଲାର ଅଧିକାଂଶ ନଦୀ ନାଳରେ ଜଳସ୍ତର ବୃଦ୍ଧି ପାଇଛି । ଅନ୍ୟପଟେ କୁଟ୍ରାଗଡ଼-ପିସ୍କାପଙ୍ଗା ରାସ୍ତାରେ ୪ ଫୁଟ୍ ଉଚ୍ଚରେ ପାଣି ଚାଲିଛି । ବର୍ଷା ଯୋଗୁ ରାୟଗଡ଼ା ଓ ମୁନିଗୁଡ଼ା ସହରରେ ମଧ୍ୟ ପାଣି ପସି ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି । ବିଭିନ୍ନ ସ୍ଥାନରେ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । କିଛି ସ୍ଥାନରେ ଅଂଟାଏ ପାଣି ଦେଇ ରାସ୍ତା ପାରିହେଉଛନ୍ତି ଲୋକେ । ଏଭଳି ସ୍ଥିତିରେ ପ୍ରଶାସନ ତୁରନ୍ତ ସହାୟତା ଯୋଗାଇବାକୁ ସାଧାରଣରେ ଦାବି ହୋଇଛି ।

ଅନ୍ୟପଟେ ବର୍ଷା ପାଣିରେ ବେହାଲ ବ୍ରହ୍ମଗିରି । ଅଲାରନାଥଙ୍କ ରତ୍ନସିଂହାସନ ଛୁଇଁଲା ବର୍ଷା ପାଣି । ପମ୍ପ ଦ୍ୱାରା ଚାଲିଛି ଜଳ ନିସ୍କାସନ । ଗତକାଲିଠାରୁ ଲାଗି ରହିଥିବା ବର୍ଷା ଯୋଗୁଁ ବ୍ରହ୍ମଗିରି ସ୍ଥିତ ଅଲାରନାଥଙ୍କ ନିକଟରେ ଦେଖିବାକୁ ମିଳିଛି ଏଭଳି ଅବସ୍ଥା । ମନ୍ଦିର ପରିସର ପାଣିରେ ବୁଡି ରହିଛି । ସେପଟେ କୃଷ୍ଣପ୍ରସାଦ ବ୍ଲକ୍ ଅରଖକୁଦ ଅଂଚଳ ଜଳଘେରରେ ରହିଛି । ଚିଲିକାର ଜୁଆର ପାଣି ସହିତ ବର୍ଷା ପାଣି ମିଶି ଗାଁ ଭିତରେ ଲହଡି ମାରୁଛି । ଚିଲିକା କୂଳରେ ଥିବା ତଳିଆ ଅଂଚଳ ଘର ଦ୍ୱାର ବୁଡି ଯାଇଛି । ସମୁଦ୍ର ଅଶାନ୍ତ ଥିବାରୁ ପ୍ରବଳ ଜୁଆର ଆସି ଚିଲିକା ଦେଇ ଗାଁ ଭିତରେ ପାଣି ପଶି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ବିଦ୍ୟୁତ୍ ସେବା ଠପ୍ ହୋଇଯାଇଛି । ଏବେ ବି ବର୍ଷା ଲାଗି ରହିଛି ।

କେବଳ ବ୍ରହ୍ମଗିରି କିମ୍ବା ରାୟଗଡ଼ାରେ ନୁହେଁ ଲଗାଣ ବର୍ଷା ଯୋଗୁଁ ଢେଙ୍କାନାଳ ପୌରାଚଂଳ ୭ ନଂ ୱାର୍ଡରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ରିଜର୍ଭ ପୋଲିସ ମୁଖ୍ୟ ରାସ୍ତା ଉପରେ ପାଣି ଜମି ଏକ ପ୍ରକାରର ପୋଖରୀର ଭ୍ରମ ସୃଷ୍ଟି ହୋଇଛି । ଲୋକଙ୍କ ଘର ଭିତରେ ଆଣ୍ଠୁଏ ପାଣି ଜମି ରହିଛି । ଚାରିପଟୁ ପାଣି ଘେରିରହିବା ଯୋଗୁଁ ଲୋକେ ବାହାରକୁ ବାହାରିପାରୁନାହାନ୍ତି । ପୌରସଂସ୍ଥା ପକ୍ଷରୁ ପାଣି ନିଷ୍କାସନ ପାଇଁ ୩୦ଲକ୍ଷ ଖର୍ଚରେ କଲଭର୍ଟ ଓ ଡ୍ରେନ ନିର୍ମାଣ କରାଯାଇଥିଲା । କିନ୍ତୁ ତ୍ରୁଟିପୂର୍ଣ୍ଣ ନିର୍ମାଣଶୈଳୀ ଯୋଗୁଁ ପାଣି ବାହାରିବା ସମ୍ଭବ ହୋଇପାରୁନାହିଁ । ଓଲଟା ଲୋକଙ୍କ ଘରେ ପାଣି ପଶୁଛି ।