ଅବପାତର ରୂପ ନେଉଛି ଲଘୁଚାପ : ପ୍ରଭାବରେ ସାରା ରାଜ୍ୟରେ ବର୍ଷା ସମ୍ଭାବନା,୮ ଜିଲ୍ଲା ପାଇଁ ରେଡ୍‌ ଆଲର୍ଟ

381

କନକ ବ୍ୟୁରୋ : ଉତ୍ତର ପଶ୍ଚିମ ବାଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ‘ୱେଲ୍‌ ମାର୍କଡ ଲୋ ପ୍ରେସର’ରେ ପରିଣତ ହୋଇଛି । ପ୍ରଭାବରେ ଆଜି ଦିନତମାମ ସାରା ଓଡ଼ିଶାରେ ବର୍ଷା ଲାଗି ରହିଛି । ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି । ଉତ୍ତର ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ଜଳବନ୍ଦୀ ପରି ସମସ୍ୟା ସୃଷ୍ଟି ହୋଇଛି । କେତେକ ସ୍ଥାନରେ ନଦୀ ଜଳସ୍ତର ବୃଦ୍ଧି ପାଇଥିଲେ ମଧ୍ୟ ନିୟନ୍ତ୍ରଣ ଭିତରେ ରହିଛି ।

ଉପକୂଳ ଓ ପଶ୍ଚିମ ଓଡ଼ିଶା ଅପେକ୍ଷା ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ପରିମାଣର ବର୍ଷା ଜାରି ରହିଛି । ଆସନ୍ତା ୨୪ ଘଣ୍ଟା ପର‌୍ୟ୍ୟନ୍ତ ବି ଏଭଳି ବର୍ଷା ଲାଗିରହିବ । ମଙ୍ଗଳବାର ମଧ୍ୟାହ୍ନ ସୁଦ୍ଧା ଯାଜପୁର, କେନ୍ଦ୍ରାପଡ଼ା, ଅନୁଗୁଳ, ଢ଼େଙ୍କାନାଳ, ସମ୍ବଲପୁର, ସୋନପୁର, ବୌଦ୍ଧ ଓ ବରଗଡ଼ରେ ପ୍ରବଳରୁ ଅତିପ୍ରବଳ ଏବଂ ସ୍ଥାନେ ସ୍ଥାନେ ୨୦୦ ମିମିରୁ ଅଧିକ ବର୍ଷା ହୋଇପାରେ । ଏହି ସମୟ ମଧ୍ୟରେ ବାଲେଶ୍ବର, ଭଦ୍ରକ, ଜଗତ୍‌ସିଂହପୁର, କଟକ, ଖୋର୍ଧା, ପୁରୀ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ବି ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିପରି ଜୁଲାଇ ଆଜି ଓ ଆସନ୍ତାକାଲି କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ବରଗଡ଼, ନୂଆପଡ଼ା, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ତେବେ ୩ ତାରିଖ ବେଳକୁ ପାଗରେ ସାମାନ୍ୟ ପରିବର୍ତନ ଆସିବ ।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ପୂର୍ବାହ୍ନରେ ‘ୱେଲ୍‌ ମାର୍କଡ ଲୋ ପ୍ରେସର’ରେ ପରିଣତ ହୋଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେଇ ଓଡ଼ିଶା ଅତିକ୍ରମ କରିବ । ପ୍ରଭାବରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିବ । ତେ‌ଣୁ ୨ ତାରିଖ ଲାଗି ଓଡ଼ିଶା ପାଇଁ ଅରେଞ୍ଜ ଆଲର୍ଟ ଦିଆଯାଇଛି । ଜୁଲାଇ ୨ ତାରିଖ ଅପରାହ୍‌ଣ ବେଳକୁ ‘ୱେଲ୍‌ ମାର୍କଡ ଲୋ ପ୍ରେସର୍‌’ ଛଡ଼ିଶଗଡ଼ ଓ ବିଦର୍ଭ ଆଡ଼କୁ ଅଗ୍ରସର ହୋଇ ଭୀଷଣ ବର୍ଷା କରାଇବ । ‌ଛତିଶଗଡ଼ରେ ୩ ତାରିଖ ଓ ବିଦର୍ଭରେ ୪ ତାରିଖ ଯାଏ ଭାରି ବର୍ଷାର ଆଶଙ୍କା ଥିବାରୁ ସେଠା‌‌‌ରେ ରେଡ୍‌ ଆଲର୍ଟ ଜାରି କରାଯାଇଛି ।

ଜୁଲାଇ ୩ରୁ କୋଙ୍କଣ, ଗୋଆ, ମଧ୍ୟ ମହାରାଷ୍ଟ୍ର, ମରାଠାୱାଡା, ଗୁଜୁରାଟ, ପୂର୍ବ ରାଜସ୍ଥାନ, ପଶ୍ଚିମ ମଧ୍ୟପ୍ରଦେଶରେ ବି ବର୍ଷା‌ ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ଉତ୍ତର ଓ କେନ୍ଦ୍ରୀୟ ବଙ୍ଗୋପସାଗର ଅଶାନ୍ତ ରହିବ। ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ହେବାର ଆଶଙ୍କା ରହିଥିବାରୁ ଓଡ଼ିଶା ଓ ପଶ୍ଚିମବଙ୍ଗ ମତ୍ସଜୀବୀଙ୍କୁ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

୧୫ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାକୁ ଥିବାରୁ ଅରେଞ୍ଜ ଆଲର୍ଟ ଏବଂ ୭ଟି ଜିଲ୍ଲା ଲାଗି ୟେଲୋ ଆଲର୍ଟ ଜାରି ହୋଇଛି । ଅପରାହ୍‌ଣଠାରୁ ପାଗରେ ସାମାନ୍ୟ ପରିବର୍ତନ ଆସିବ । ତେବେ ରେଡ୍‌ ଓ ଅରେଞ୍ଜ ଆଲର୍ଟକୁ କାଢ଼ି ନିଆଯାଇଛି । ‌ପଶ୍ଚିମ ଓ ଉତ୍ତର ଓଡ଼ିଶାର କେତେକ ଜିଲ୍ଲା ପାଇଁ କେବଳ ୟେଲୋ ଆଲର୍ଟ ଦିଆଯାଇଥିବା ସେ କହିଛନ୍ତି । ଦୁଇ ତାରିଖ ପର‌୍ୟ୍ୟନ୍ତ ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି ।