ସକ୍ରିୟ ରହିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ : ଜୁଲାଇ ଦ୍ବିତୀୟ ସପ୍ତାହରେ ବି ଲାଗିରହିବ ବର୍ଷା

189

କନକ ବ୍ୟୁରୋ : ଓଡ଼ିଶାରେ ସକ୍ରିୟ ରହିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଦୁଇ ଦିନ ହେଲା ସାରା ରାଜ୍ୟରେ ବର୍ଷା ଲାଗି ରହିଛି । ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହେଉଛି । ତେବେ ମୌସୁମୀ ସକ୍ରିୟ ରହିଥିବାରୁ ଜୁଲାଇ ଦ୍ବିତୀୟ ସପ୍ତାହରେ ବି ବର୍ଷା ଲାଗିରହିବ । ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ନାହିଁ। ଏହାପରେ କିନ୍ତୁ ବର୍ଷା ପରିମାଣ ବଢ଼ିବ । ଜୁଲାଇ ୧୧ରୁ ବଡ଼ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ ହେଉଛି ଯେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ କଟକ ଓ ଭୁବନେଶ୍ୱର ସହ ରାଜ୍ୟର କୌଣସି ଜିଲ୍ଲା ପାଇଁ ପ୍ରବଳ ବର୍ଷା ହେବାର ସତର୍କତା ଜାରି ହୋଇନି । ତେବେ କିଛି ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ଉପକୂଳ ସମେତ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ଝିପିଝିପି ବର୍ଷା ଲାଗିରହିବ । ୯ ତାରିଖ ‌ବେଳକୁ ‌ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର, କୋରାପୁଟ ଓ ମାଲକାନଗିରିର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଏହାପରେ ସାରା ରାଜ୍ୟରେ ବର୍ଷା ପରିମାଣ ବଢ଼ିବ ।

୧୦ ତାରିଖରେ ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ଜଗତ୍‌ସିଂହପୁର, ଭଦ୍ରକ, କଟକ, ଢେଙ୍କାନାଳ, ସୁନ୍ଦରଗଡ଼ ଓ ସମ୍ବଲପୁର ଏବଂ ୧୧ ତାରିଖରେ କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କଳାହାଣ୍ଡି, ସୋନପୁର, ବୌଦ୍ଧ, ଦେବଗଡ଼ ଓ ଅନୁଗୁଳ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସୋମବାର ମଧ୍ୟାହ୍ନ ପର୍ଯ୍ୟନ୍ତ ଉତ୍ତର ବଙ୍ଗୋପସାଗର ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।

ପାଣିପାଗ ବିଶେଷଜ୍ଞଙ୍କ କହିବା କଥା ହେଉଛି ‌ଯେ ଜୁନ୍ ପହିଲାରୁ ଏପର୍ଯ୍ୟନ୍ତ ଓଡ଼ିଶାରେ ସ୍ୱାଭାବିକ ବୃଷ୍ଟିପାତ ହୋଇ ନାହିଁ । ନିଅଣ୍ଟିଆ ବର୍ଷା ହୋଇଛି । ଆଗକୁ ମୌସୁମୀ ବାୟୁ ଅଧିକ ସକ୍ରିୟ ରହିବ । ପ୍ରଭାବରେ ବର୍ଷା ସ୍ୱାଭାବିକ ହେବ । ଝାଡ଼ଖଣ୍ଡ ଉପରେ ଥିବା ଘୂର୍ଣ୍ଣିବଳୟ ଏବେ ଲଘୁଚାପରେ ପରିଣତ ହୋଇଛି ।
ଏବେ ଏହା ପଶ୍ଚିମ ବିହାର ଓ ଝାଡ଼ଖଣ୍ଡ ଉପରେ ରହିଛି । ପ୍ରଭାବରେ ଉତ୍ତର ଓଡ଼ିଶା ଜିଲ୍ଲା ଗୁଡ଼ିକରେ ଭଲ ବର୍ଷା ହୋଇଛି । ୧୧ ତାରିଖଠାରୁ ବର୍ଷା ପରିମାଣ ଆହୁରି ବଢ଼ିବ । ବିଶେଷ କରି ଉପକୂଳ ଓ ଉତ୍ତର ପଶ୍ଚିମ ଓଡ଼ିଶାରେ ପ୍ରଭାବ ଅଧିକ ପଡ଼ିବ । ଦକ୍ଷିଣ ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ରହିବ । ଅନ୍ୟପକ୍ଷରେ ଗତ ୩୬ ଘଣ୍ଟା ମଧ୍ୟରେ ହୀରାକୁଦରେ ସର୍ବାଧିକ ୪୨.୬ ମିମି ବର୍ଷା ହୋଇଥିବା ବେଳେ ଝାରସୁଗୁଡ଼ାରେ ୩୬, ସମ୍ବଲପୁରରେ ୩୩, ତାଳଚେରରେ ୧୫, କୋରାପୁଟରେ ୧୦.୪, ମାଲକାନଗିରିରେ ୬ ମିମି ବର୍ଷା ହୋଇଛି । ବର୍ଷା ପ୍ରଭାବରେ ରାଜ୍ୟର କିଛି ଜଳଭଣ୍ଡରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ।