ଫେବୃୟାରୀ ଦ୍ୱିତୀୟ ସପ୍ତାହରେ ବର୍ଷା ! ଥଂଡାରେ ଥରୁଛି ଆଭ୍ୟନ୍ତରୀଣ ଓଡିଶା

26

କନକ ବ୍ୟୁରୋ : ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ଫେବ୍ରୁଆରି ଦ୍ୱିତୀୟ ସପ୍ତାହରେ ଓଡ଼ିଶାରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି। ଫେବ୍ରୁଆରି ୮ରୁ ୧୪ ତାରିଖ ପର୍ଯ୍ୟନ୍ତଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ ଅନୁଯାୟୀ ବାଲେଶ୍ୱର ସମେତ ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ାରେ ଫେବ୍ରୁଆରି ୧୦ରୁ କୋହଲା ପାଗ ରହିବ। ଗୋଟିଏ ଦୁଇଟି ସ୍ଥାନରେ ହାଲକା ବର୍ଷା ହୋଇପାରେ।

ପ୍ରତିବର୍ଷ ଏହି ସମୟରେ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ବର୍ଷା ହୋଇଥାଏ। ଏଥର ଉତ୍ତର ଓଡ଼ିଶାରେ ହେବା ନେଇ ଅନୁମାନ କରାଯାଉଛି। ଆଉ ୨ରୁ ୩ ଦିନ ପରେ ଏନେଇ ସ୍ପଷ୍ଟ ଚିତ୍ର ମିଳିବ। ତେବେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦେଶକ ଶରତ ସାହୁ ଏଭଳି ପୂର୍ବାନୁମାନ ନେଇ କୌଣସି ଆକଳନ କରିନାହାନ୍ତି। ସେ କହିଛନ୍ତି ବର୍ଷା ହେବା ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ନାହିଁ।

ଅନ୍ୟପକ୍ଷରେ ଏବେବି ଥରୁଛି ଅଭ୍ୟନ୍ତରୀଣ ଓଡ଼ିଶା। ତିନି ଦିନ ମଧ୍ୟରେ ୫ ଡିଗ୍ରି ପର୍ଯ୍ୟନ୍ତତାପମାତ୍ରା ହ୍ରାସ ଘଟିଛି। ୩.୫ ଡିଗ୍ରିରେ ଫୁଲବାଣୀ ଥରୁଥିବା ବେଳେ ଏବେ ଦାରିଙ୍ଗବାଡ଼ିରେ ବି ପୁଣିଥରେ ତାପମାତ୍ରା ୫ ଡିଗ୍ରି ତଳକୁ ଖସି ଆସିଛି। ଏଭଳି ସ୍ଥିତି ଆହୁରି ୪ ଦିନ ଲାଗିରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ପାଣିପାଗ କେନ୍ଦ୍ର ନିର୍ଦେଶକ ଶ୍ରୀ ସାହୁ କହିଛନ୍ତି ଯେ ଫେବ୍ରୁଆରି ୩ ତାରିଖ ପର୍ଯ୍ୟନ୍ତ ପାଗରେ ସେଭଳି ପରିବର୍ତନ ହେବାର ସମ୍ଭାବନା ନାହିଁ। ଉପକୂଳ ଓଡ଼ିଶା ସମେତ ଅନୁଗୁଳ, ଢ଼େଙ୍କାନାଳ, କୋରାପୁଟ, କନ୍ଧମାଳ ଜିଲ୍ଲାରେ ଘନ କୁହୁଡ଼ି ଲାଗି ରହିବ। ଫେବ୍ରୁଆରି ୨ ଓ ୩ ତାରିଖରେ କୁହୁଡ଼ି ଏଭଳି ହେବ ଯେ ୨୦୦ ମିଟର ପର୍ଯ୍ୟନ୍ତ ରାସ୍ତା ଦୃଶ୍ୟମାନ ହେବ ନାହିଁ। ଗାଡ଼ି ଚାଳକମାନେ ଏଥିପ୍ରତି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଅଭ୍ୟନ୍ତରୀଣ ଓଡ଼ିଶାରେ କିନ୍ତୁ ଶୀତ ପ୍ରବାହ ଜାରି ରହିବ। ଫେବ୍ରୁଆରି ୪ ବେଳକୁ କିଛିଟା ଫରକ ଆସିପାରେ। ଦିନର ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି।

ଗତ ୨୪ ଘଣ୍ଟାରେ ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୩.୫ ଡିଗ୍ରି ରେକର୍ଡ ହୋଇଛି। ଏହା ତଳକୁ ଦାରିଙ୍ଗବାଡ଼ିର ତାପମାତ୍ରା ୪ ଡିଗ୍ରି ରହିଥିବା ବେଳେ ସୁନ୍ଦରଗଡ଼ରେ ୭, ହୀରାକୁଦରେ ୭.୯, ଝାରସୁଗୁଡ଼ାରେ ୮.୪, ବଲାଙ୍ଗିରରେ ୮.୭, ଅନୁଗୁଳରେ ୯ ଓ କେନ୍ଦୁଝରରେ ୯.୪ ଡିଗ୍ରି ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।