ଉପକୂଳ ଓଡ଼ିଶାରେ ତାଣ୍ଡବ ରଚିଲା କାଳବୈଶାଖୀ ! ଯାଜପୁର ଓ କେନ୍ଦ୍ରାପଡ଼ାରେ କୁଆପଥର ମାଡ଼ ସହ ବ୍ୟାପକ କ୍ଷୟକ୍ଷତି

387

କନକ ବ୍ୟୁରୋ : ଉପକୂଳ ଓଡ଼ିଶାରେ ଗତକାଲି ଅପରାହ୍‌ଣରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଥିଲା । ଯାଜପୁରରେ କୁଆପଥର ବର୍ଷା ହୋଇଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାର କେତେକ ସ୍ଥାନରେ ଲୋକଙ୍କ ଛପର ଉଡ଼ିଯିବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି । କଟକ, ଖୋର୍ଧା, ଜଗତ୍‌ସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ଝଡ଼ବର୍ଷା ଦେଖିବାକୁ ମିଳିଛି । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ ବ୍ୟାପକ ‌କ୍ଷତି ହୋଇଛି । ଅପରାହ୍‌ଣ ପ୍ରାୟ ୩ଟା ବେଳେ ହଠାତ୍‌ ପ୍ରବଳ ବେଗରେ ପବନ ଆସିବା ସହ ବର୍ଷା, ଘଡ଼ଘଡ଼ି ଓ ବଜ୍ରପାତ ହୋଇଥିଲା ।

ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବୋହିଥିଲା । ଏଥିରେ କଚ୍ଚା ଘରର ଛପର ଉଡ଼ିଯିବା ସହ ବଡ଼ ବଡ଼ ଗଛ ଭାଙ୍ଗିପଡ଼ିଛି । ଯାଜପୁର ଜିଲ୍ଲାର କେତେକ ସ୍ଥାନରେ ବି କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ଅପରାହ୍‌ଣ ଗୋଟାଏରୁ ଦୁଇଟା ମଧ୍ୟରେ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିବା ସହ ତୁହାକୁ ତୁହା କୁଆପଥର ବର୍ଷା ହୋଇଥିଲା । ଏହାଦ୍ବାରା ଟମାଟୋ, ବାଇଗଣ, କଲରା, କାକୁଡ଼ି ପ୍ରଭୃତି ଫସଲ କ୍ଷତିଗ୍ରସ୍ତ ହୋଇଥିବା‌ ଜଣାପଡ଼ିଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ ଗୁରୁବାର ମଧ୍ୟାହ୍ନ ପର୍ଯ୍ୟନ୍ତ କୋରାପୁଟ, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୟାଗଡ଼, ଖୋର୍ଧା, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଝଡ଼ବର୍ଷା ସହ ବଜ୍ରପାତର ଆଶଙ୍କା ରହିଛି । ପରବର୍ତୀ ସମୟରେ ଗଜପତି, ଗଞ୍ଜାମ, ରାୟଗଡ଼ା, ଖୋର୍ଧା, ପୁରୀ, କନ୍ଧମାଳ ଓ ନୟାଗଡ଼ ଜିଲ୍ଲାରେ ଘଡ଼ଘଡ଼ି ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏହାପରେ କିନ୍ତୁ ପାଗ ବଦଳିବ । ୨୨ ତାରିଖଠାରୁ ପୁଣିଥରେ ଦିନର ତାପମାତ୍ରା ବଢ଼ିବ । ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ଟପିଯିବ ବୋଲି ଆକଳନ କରାଯାଇଛି ।

ଅନ୍ୟପକ୍ଷରେ ଗତକାଲି ଚାନ୍ଦବାଲି ସମେତ କଟକ, ପାରାଦୀପ, ଭୁବନେଶ୍ବର, ଗୋପାଳପୁର, ଭବାନୀପାଟଣାର ଗୋଟିଏ ଦୁଇଟି ସ୍ଥାନରେ ଝଡ଼ବର୍ଷା ହୋଇଛି । ମାଲକାନଗିରିରେ ପୁଣିଥରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୯.୪ ଡିଗ୍ରି ରେକର୍ଡ କରାଯାଇଛି । ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରି ପାର୍‌ ହୋଇଥିବା ବେଳେ ଭୁବନେଶ୍ବରରେ ୩୬.୭ ଡିଗ୍ରି ରହିଥିଲା ।