ଲଘୁଚାପ ଦୁର୍ବଳ ହେବା ପରେ ଘୂର୍ଣ୍ଣିବଳୟ ଆଣିବ ବର୍ଷା : ପ୍ରଭାବରେ ଉତ୍ତର, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାରେ ଅଧିକ ବର୍ଷିବ

54

କନକ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଦୁର୍ବଳ ହୋଇଛି । ତେବେ ଉତ୍ତର ଓଡ଼ିଶା ନିକଟରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ୧୧ଟି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ତେବେ ଦକ୍ଷିଣ ଓଡିଶା ଅପେକ୍ଷା ଉତ୍ତର, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାରେ ଅଧିକ ବର୍ଷିବ । ୧୩ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ପରିମାଣ ବଢ଼ିବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଆଞ୍ଚଳିକ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ୧୩ ତାରିଖ ଯାଏ ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ସୋନପୁର, ସମ୍ବଲପୁର, ବରଗଡ଼, ଢେଙ୍କାନାଳ, ଝାରସୁଗୁଡ଼ା, ମୟୂରଭଞ୍ଜ, ସୁନ୍ଦରଗଡ଼, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ବର୍ଷା ହେବାର ଆଶଙ୍କା ରହିଛି । କେତେକ ସ୍ଥାନରେ ୬୦ ମିମିରୁ ଅଧିକ ବର୍ଷା ହୋଇପାରେ । ଗତ ୧୨ ଘଣ୍ଟାରେ ମାଲକାନଗିରିରେ ସର୍ବାଧିକ ୩୩ ମିମି ବର୍ଷା ହୋଇଛି । ବାରିପଦାରେ ୯ ଓ କେନ୍ଦୁଝର, କୋରାପୁଟ ଓ ଦାରିଙ୍ଗବାଡ଼ିରେ ୨ ମିମି ଲେଖାଏ ବର୍ଷା ହୋଇଥିବା ସୂଚନା ଦିଆଯାଇଛି ।

odisha weather
image courtesy-https://updateodisha.com

ପାଣିପାଗ ବିଶେଷଜ୍ଞ ତଥା ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଆସନ୍ତା ଦୁଇ ଦିନ ଦକ୍ଷିଣ ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ହେବା ସହ ସ୍ଥାନେ ସ୍ଥାନେ ଭାରି ବର୍ଷା ହୋଇପାରେ । କିନ୍ତୁ ସାରା ଓଡ଼ିଶାରେ ବିସ୍ତୃତ ଭାବେ ବର୍ଷା ହେବ । ୧୨ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୧୩ ତାରିଖ ବେଳକୁ ଦକ୍ଷିଣ ପୂର୍ବ ଆଡ଼କୁ ଗତି କରିବ। ଫଳରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷିବ । ଉତ୍ତର ଉପକୂଳବର୍ତୀ ଅଞ୍ଚଳ ସମେତ ଉତ୍ତର ଓଡ଼ିଶା, ସମ୍ବଲପୁର ଓ ଏହାର ଆଖପାଖ ଅଞ୍ଚଳରେ ମଧ୍ୟମରୁ ଭାରି ବର୍ଷା ହୋଇପାରେ। ଏହା ୧୫ ତାରିଖ ପର୍ଯ୍ୟନ୍ତ ଲାଗି ରହିବ । ୧୨ ତାରିଖଠାରୁ ଭୁବନେଶ୍ୱରରେ ବର୍ଷା ବଢ଼ିବ । ୧୫ ତାରିଖ ଯାଏ ଭାରି ବର୍ଷା ହୋଇପାରେ । ୩୫ରୁ ୬୪ ମିମି ବର୍ଷା ହେବାର ସମ୍ଭାବନା ରହିଛି ।

ସେ ଆହୁରି କହିଛନ୍ତି ଯେ ଚଳିତବର୍ଷ ପାଣିପାଗର ବୈଜ୍ଞାନିକ ବିଶ୍ଲେଷଣ ସଠିକ୍‌ ଭାବେ କାମ କରୁ ନାହିଁ । ପୂର୍ବରୁ କାଳବୈଶାଖୀର ତାଣ୍ଡବ ଯୋଗୁଁ ଦେଶର ଅଧିକାଂଶ ସ୍ଥାନରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଧନଜୀବନ ନଷ୍ଟ ହୋଇଥିଲା । ତା’ର ମଧ୍ୟ ସଠିକ୍‌ ଆକଳନ କରିବା କଷ୍ଟକର ଥିଲା । ଏବେ ପୁଣିଥରେ ସମାନ ସ୍ଥିତି ଉପୁଜିଛି । ଓଡ଼ିଶା ଉପରେ ମନ୍‌ସୁନ୍‌ ଟ୍ରପ୍‌ ସୃଷ୍ଟି ହେଉଛି । ହେଲେ ତାହା ସ୍ପଷ୍ଟ ହେଉନି। ଉତ୍ତର ପୂର୍ବ ଭାରତ ଓ ପୂର୍ବ ଭାରତରେ ବର୍ଷା ହେବା କଥା । ତାହା ଏପର୍ଯ୍ୟନ୍ତ ହୋଇ ନାହିଁ । ଏଥର ମନ୍‌ସୁନ୍‌ ଟ୍ରପ୍‌ ଉତ୍ତରରେ ରହିଥିଲେ ମଧ୍ୟ ଉତ୍ତରାଖଣ୍ଡରେ ସେଭଳି ବର୍ଷା ହୋଇ ନାହିଁ । ବରଂ ଜମ୍ମୁ କଶ୍ମୀରରେ ବନ୍ୟା ହେଉଛି । ଏହାକୁ ଦେଖିଲେ ଲାଗୁଛି ଯେ ବୈଜ୍ଞାନିକଙ୍କ ଆକଳନ ଠିକ୍‌ ଭାବେ କାମ କରୁନାହିଁ । ତେଣୁ ସମୟ ଆସିଛି ପାଣିପାଗ ବୈଜ୍ଞାନିକମାନଙ୍କୁ ଭଲ ଭାବେ ବିଶ୍ଲେଷଣ କରିବାର ଆବଶ୍ୟକତା ରହିଛି ।