ଆକାଶର ବୀର ଯୋଦ୍ଧାଙ୍କ ପାଇଁ ଆକାଶରୁ ହେଲା ଜଳାଭିଷେକ! ଚାରିଆଡେ ଚର୍ଚ୍ଚା, ସାହସୀ ପୁଅ ଫେରିବା ପରେ ଭାରତମାତା ଆଖିରୁ ଝରିପଡିଲା ଖୁସିର ଲୁହ

563

କନକ ବ୍ୟୁରୋ : ଅଭିନନ୍ଦନ.ଅଭିନନ୍ଦନ.. ଭାରତକୁ ଫେରିଲେ ଦେଶର ବୀର ଯୋଦ୍ଧା ଅଭିନନ୍ଦନ । ଦୁଇ ଦିନ ଧରି ପାକିସ୍ତାନ କବଜାରେ ଥିବା ୱିଙ୍ଗ କମାଣ୍ଡର ଅଭିନନ୍ଦନ ଆଜି ଭାରତ ଫେରିଛନ୍ତି । ଅଭିନନ୍ଦନଙ୍କ ଫେରିବ ବାଟକୁ ପୂରା ଦେଶବାସୀ ଚାହିଁ ରହିଥିବା ବେଳେ ସନ୍ଧ୍ୟାରେ ଭାରତ ମାଟିରେ ପହଞ୍ଚିଛନ୍ତି ଅଭିନନ୍ଦନ । ତେବେ ଆକାଶର ଏହି ବୀର ଯୋଦ୍ଧାଙ୍କ ପାଇଁ ଆକାଶରୁ ହୋଇଛି ଜଳାଭିଷେକ । କୁହାଯାଉଛି, ନିଜ ବୀର ପୁଅର ମୁକ୍ତିକୁ ନେଇ ଭାରତମାତାର ଆଖିରୁ ମଧ୍ୟ ଖୁସିର ଲୁହ ଝରି ଆସିଛି ।

ଅଭିନନ୍ଦନ ଭାରତ ମାଟିକୁ ଫେରିବା ପୂର୍ବରୁ ଆରମ୍ଭ ହୋଇଥିଲା ଝିପଝିପ ବର୍ଷା । ଅଭିନନ୍ଦନ ଫେରିବା ପରେ ମଧ୍ୟ ଏହି ବର୍ଷା କମିନଥିଲା । ଲାଗୁଥିଲା ସତେ ଯେମିତି ବୀର ପୁଅକୁ ପାଇବା ପରେ ଖୁସିରେ ଆତ୍ମହରା ହୋଇ ଭାରତମାତା ଆଖିରୁ ଏହି ଲୁହ ଝରି ଆସୁଥିଲା । ସାହସୀ ପୁଅକୁ ପୂରା ଦେଶବାସୀ ସ୍ୱାଗତ କରୁଥିବା ବେଳେ ଉପରୁ ଅଭିନନ୍ଦନଙ୍କ ଉପରେ ଖୁସିର ଲୁହ ଝରାଇ ଦେଇଥିଲେ ଭାରତମାତା । ପାକିସ୍ତାନ ସେନା ପକ୍ଷରୁ ଅଭିନନ୍ଦନଙ୍କୁ ଭାରତକୁ ହସ୍ତାନ୍ତର କରାଯିବା ପରେ ସଙ୍ଗେ ସଙ୍ଗେ ତାଙ୍କୁ ଅମୃତସର ବିମାନବନ୍ଦର ନିଆଯାଇଛି । ସେଠାରୁ ତାଙ୍କୁ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀକୁ ଅଣାଯିବ ।

ଏହାପୂର୍ବରୁ ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତମାନ ବୁଧବାର ପାକିସ୍ତାନ ଅଧିକୃତ କଶ୍ମୀର ଅଂଚଳରେ ଭୁଲ ବଶତଃ ଅବତରଣ କରିଥିଲେ । ଭାରତୀୟ ସୀମା ଭିତରକୁ ପଶିଆସିଥିବା ପାକିସ୍ତାନ ଯୁଦ୍ଧ ବିମାନ ଏଫ-୧୬କୁ ଧ୍ୱଂସ କରିବା ପାଇଁ ପିଓକେ ଭିତରକୁ ପଶିଯାଇଥିଲେ ଅଭିନନ୍ଦନ । ତାଙ୍କୁ ସେଠାରୁ ପାକ୍ ସେନା କବଜା କରି ନେଇଥିଲା । ପାକିସ୍ତାନ କବଜାରେ ଭାରତୀୟ ପାଇଲଟ୍ ଥିବା ନେଇ ଭିଡିଓ ଭାଇରାଲ ହେବା ପରେ ନିସର୍ତରେ ତାଙ୍କୁ ମୁକ୍ତ କରିବାକୁ ଭାରତ ସରକାର ଦାବି କରିଥିଲେ । ପ୍ରବଳ ଆନ୍ତର୍ଜାତୀକ ଚାପ ଓ ଭାରତର ଯୁଦ୍ଧ ପ୍ରସ୍ତୁତି ଦେଖି ଶେଷରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଆଜି ଅଭିନନ୍ଦନଙ୍କୁ ମୁକ୍ତ କରିବେ ବୋଲି ଗତକାଲି ଘୋଷଣା କରିଥିଲେ ।